ପାନୀୟ ଜଳ ପାଇଁ ରାସ୍ତାରୋକ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଆଖୁଆପାଳ ପଞ୍ଚାୟତ ୫ ନମ୍ବର ବସ୍ତି ବାସିନ୍ଦାମାନେ ପାନୀୟ ଜଳ ସମସ୍ୟା ନେଇ ୧୪୯ ନମ୍ବର ଜାତୀୟ ରାଜପଥକୁ ରଙ୍ଗଥଳୀ ନିକଟରେ ଅବରୋଧ କରିଥିଲେ । ଏହି ୫ ନଂ ବସ୍ତିରେ ଦୁଇଟି ବୋରୱେଲ ଏବଂ ଗୋଟିଏ ନଳକୂପ ସହିତ ସୋଲାର ବ୍ୟବସ୍ଥା ରହିଛି । କିନ୍ତୁ ଏହିସବୁ ଅଚଳ ହୋଇପଡିଥିବାରୁ ଖରାଦିନେ ପାନୀୟ ଜଳ ପାଇଁ ବସ୍ତିବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଶହ ଶହ ମହିଳା ଏବଂ ପୁରୁଷ ଗରା ମାଠିଆ ଧରି ୧୪୯ ନମ୍ବର ଜାତୀୟ ରାଜପଥକୁ ରଙ୍ଗଥଳୀ ନିକଟରେ ଅବରୋଧ କରିରଖିଥିଲେ । ବୋରୱେଲ୍ ଦୁଇଟି ୭ ମାସରୁ ଅଧିକ ଦିନହେବ ଅଚଳ ହୋଇ ପଡିଥିବାବେଳେ ସୋଲାର ବ୍ୟବସ୍ଥା ବି ଅଚଳ ହୋଇପଡିଛି । ମାତ୍ର ୧୫ ମିନିଟ୍ ପାଣି ଆସୁଥିବା ବେଳେ ଅଧିକ ପାଣି ମିଳୁନାହିଁ । ଫଳରେ ସକାଳ ୯ରୁ ବସ୍ତି ବାସିନ୍ଦାମାନେ ରାଜପଥ ଅବରୋଧ କରି ରଖିଥିଲେ । ରାସ୍ତା ଅବରୋଧ ଯୋଗୁ ତାଳଚେର ଏବଂ ପାଲଲହଡା ଦିଗରୁ ଆସୁଥିବା ସମସ୍ତ ଯାନବାହନ ବନ୍ଦହୋଇ ରହିିଥିଲା । ଖବର ପାଇ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମରାମତି କରିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା ।