ମାସିକିଆ ନୁହେଁ, ସାପ୍ତାହିକ ବୈଠକ

ରୋଷଘର ଚୁଲି ଭାଙ୍ଗିବା ପରେ ଚେତିଲା ପ୍ରଶାସନ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ରୋଷଶାଳା ଚୁଲି ଭାଙ୍ଗି ଦୁର୍ବୃତ୍ତ ଜେଲ୍ ଯିବା ପରେ ପ୍ରଶାସନର ଚେତା ପଶିଲା । ତେବେ ଆଜିଠୁ କିଭଳି ଶ୍ରୀମନ୍ଦିର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ଏବଂ ଆଗକୁ କୌଣସି ଅଘଟଣ ନ ହେବ ସେ ନେଇ ଗୁରୁବାର ଅପରାହ୍ଣରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରିଥିଲେ ।
ବୈଠକ ପରେ ଗଣମାଧ୍ୟମକୁ ସୁଚନା ଦେଇ ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ଯେ, ଶ୍ରୀମନ୍ଦିର ସୁରକ୍ଷା ନେଇ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ଶ୍ରୀମନ୍ଦିର ଆଭ୍ୟନ୍ତରୀଣରେ ଅଚଳ ଥିବା ସିସିଟିଭିଗୁଡ଼ିକ ସଚଳ କରାଯିବା ସହ ସମୁଦାୟ ୧୩୫ଟି ସିସିଟିଭି ଲଗାଯିବ । ତତ୍ସହିତ ଏଣିକି ଶ୍ରୀମନ୍ଦିର ଭିତରେ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ ସହ ଓଡ଼ିଶା ପୁଲିସର କର୍ମଚାରୀମାନେ ମୁତୟନ ରହିବେ । ଅନ୍ୟପକ୍ଷରେ ରାତିରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ । ରାତିରେ ଠାକୁରଙ୍କ ନୀତିକାନ୍ତି ଶେଷ ହେବା ପରେ ସୌଧ ହେବା ପରେ ମନ୍ଦିରକୁ ଭଲ ଭାବେ ଯାଞ୍ଚ କରାଯିବ । ଯେପରି ଶ୍ରୀମନ୍ଦିର ପରିସରରେ କୌଣସି ବ୍ୟକ୍ତି ରହିବେ ନାହିଁ ।
ସେହିପରି ଶ୍ରୀମନ୍ଦିରରେ ଜେଟିପି ଓ କର୍ମଚାରୀଙ୍କ ଖାଲି ପଡ଼ିଥିବା ସ୍ଥାନକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ମାସିକିଆ ବୈଠକରେ ଆଲୋଚନା କରାଯାଉଥିଲା । ଏଣିକି ମାସିକିଆ ପରିବର୍ତ୍ତେ ପ୍ରତି ସପ୍ତାହରେ ବୈଠକ ବସିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ବୈଠକରେ ଏସ୍ପି କନୱାର ବିଶାଲ ସିଂହ, ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଶ୍ରୀମନ୍ଦିର କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *