ସାମ୍ବାଦିକଙ୍କୁ ମାଡ଼ ମାରି ବେଡ଼ି ପକାଇଲା ପୁଲିସ
ନୀଳଗିରି (ଆପ୍ର): ସବୁ ସୀମା ଟପିଗଲା ନୀଳଗିରି ପୁଲିସ । ପୂର୍ବ ରାଗ ଶୁଝାଇବାକୁ ଯାଇ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଉପରେ ଅତ୍ୟା·ର କରାଯିବା ସହିତ ମାନବାଧିକାର କ୍ଷୁଣ୍ଣ କରାଯାଇଛି ।
ଦୁଇଦିନ ପୂର୍ବେ ନୀଳଗିରି ଗୁଣ୍ଡିଚା ମନ୍ଦିର ବଜାରରେ ଲୋକନାଥ ପରିବା କିଣୁଥିବା ସମୟରେ ନୀଳଗିରି ଥାନାର ହୋମ୍ଗାର୍ଡ ନିରଞ୍ଜନ ରଣା ଦ୍ରୁତ ଗତିରେ ବାଇକ୍ ଚଳାଇ ଆସି ତାଙ୍କୁ ଧକ୍କା ଦେଇଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ଓ ଉପସ୍ଥିତ ଲୋକଙ୍କ ହସ୍ତକ୍ଷେପ ପରେ ଉଭୟେ ଶାନ୍ତ ପଡ଼ିଥିଲେ । କିନ୍ତୁ ବୁଧବାର ଦିନ ପୁଲିସ ମିଛ ମାମଲା ରୁଜୁ କରି ଲୋକନାଥଙ୍କୁ ଗିରଫ କରି ଥାନାକୁ ନେଇ ମାଡ଼ ମାରିଥିଲା ବୋଲି ଅଭିଯୋଗ ହୋଇଛି ।
ମାଡ଼ଯୋଗୁ ଲୋକନାଥ ଅସୁସ୍ଥ ହୋଇପଡ଼ିଥିଲେ । ପୁଲିସ ତାଙ୍କୁ ପ୍ରଥମେ ନୀଳଗିରି ଏବଂ ସେଠାରୁ ବାଲେଶ୍ୱର ଡାକ୍ତରଖାନା ନେଇଥିଲା । ଡାକ୍ତରଖାନାରେ ବି ପୁଲିସ ଅମାନବୀୟ ଆଚରଣ ପ୍ରଦର୍ଶନ କରିଥିଲା । ଲୋକନାଥଙ୍କ ଗୋଡ଼ରେ ବେଡ଼ି ପକାଇ ସେ ବେଡ୍ରେ ବାନ୍ଧି ଦେଇଥିଲା । ଏହି ଘଟଣା ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ପୁଲିସ ଅତ୍ୟା·ର ବିରୋଧରେ ଆନେ୍ଦାଳନ କରାଯିବ ବୋଲି ସାମ୍ବାଦିକ ସଂଘ ପକ୍ଷରୁ କୁହାଯାଇଛି ।
ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଦୁଃଖଦାୟକ ଓ ଚିନ୍ତାଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ବାରମ୍ବାର ଆକ୍ରମଣ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ପେଶାଦାର ଅପରାଧୀ ଭଳି ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ । ଉଚ୍ଚପଦସ୍ଥ ପୁଲିସ ଅଧିକାରୀମାନେ ସଠିକ୍ ଭାବରେ ତଦନ୍ତ କରି ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି ।