ଜଳ ନିଷ୍କାସନର ସ୍ଥାୟୀ ସମାଧାନ କରିବାକୁ ପରାମର୍ଶ

ବିଭିନ୍ନ ସମସ୍ୟାର ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ
ପୁରୀ (ବୁ୍ୟରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ୍ରେ ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଗୋରୁଆଳ ଚଉଦଶହ ପୁଆଣି କେନାଲ, ନଅମାଣ ବନ୍ଧ କେନାଲ, ଆମ୍ବପଡ଼ା ମହଲାପାଟ କେନାଲ, ଏକନାଳିଆ କେନାଲର କାଠୁଆରେଡ଼ି ଶଙ୍ଖ, ଏକନାଳିଆରୁ ଲିଙ୍କ୍ କାଠୁଆରେଡ଼ି, ବକ୍ସି କାଣିଆ, ଦକ୍ଷିଣ କାଣିଆର ନୂତନ ଭାବେ ଉନ୍ନତିକରଣ ଓ ଜଳ ନିଷ୍କାସନ ପକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ୧୪ ମୌଜାର ନାଣ୍ଡିପୁର ଠାରେ ନିଷ୍କାସନ ନାଳ, ୧୪ ମୌଜା ଦଶମାଣ ଶଙ୍ଖ, ୧୪ ମୌଜା ତିଅରପାରୀ କେନାଲ, କୁରୁଣ୍ଟି କେନାଲ କୃଷ୍ଣସରଣପୁର ଜଳ ନିଷ୍କାସନ ପକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହିତ ଗୋବର୍ଦ୍ଧନପୁର ବ୍ୟାରେଜ୍ ଏବଂ ଚାଇଗିଣିଆ ସୁଇଜର ନବୀକରଣ କରିବା ପାଇଁ ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଜଳ ସେଚନ ଓ ଜଳ ନିଷ୍କାସନ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟାହ୍ନରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ।
ଦକ୍ଷିଣ କାଣିଆ, ବକ୍ସି କାଣିଆ ଜଳ ନିଷ୍କାସନ ଏବଂ ଜଳସେଚନ, ଶାଖା କେନାଲର ପୁନରୁଦ୍ଧାର, ଗୋବର୍ଦ୍ଧନପୁର ବ୍ୟାରେଜ୍ ନବୀକରଣ, ଚାଇଁଗିଣିଆ ସୁଇଜର ନବୀକରଣ ଧରଣୀକୁଦୀରୁ ବାଘଲାଞ୍ଜି ଡ୍ରେଜିଂ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସେ ନିଦେ୍ର୍ଦଶ ଦେଇଛନ୍ତି । ଏହାଦ୍ୱାରା ଚାଷୀମାନଙ୍କ ସମସ୍ୟା ସମାଧାନ ସହ ସେମାନେ କିପରି ଉପକୃତ ହୋଇପାରିବେ ଏ ସମ୍ପର୍କରେ ଶ୍ରୀ ଦାସବର୍ମା ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା ରତ୍ନବାଳା ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, ବ୍ଲକ୍ ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ଦଳେଇ, ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ଉପନିର୍ବାହୀ ଯନ୍ତ୍ରୀ ତପନ କୁମାର ମଜୁମଦାର, ପୁରୀ ଜଳସେଚନ ବିଭାଗ ଯନ୍ତ୍ରୀ ଶଡ଼ାନନ ପ୍ରଧାନ, ସୁଶାନ୍ତ କୁମାର ଦୋରା, ଜଳ ନିଷ୍କାସନ ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ମିଶ୍ର ଓ ଉପମୁଖ୍ୟ ଯନ୍ତ୍ରୀ ସନ୍ତୋଷ ସ୍ୱାଇଁ, ସ୍ଥାନୀୟ ଲୋକ ପ୍ରତିନିଧି ଓ କୃଷକମାନେ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *