୭ ଜଣଙ୍କୁ ବାନ୍ଧିଲା ବନବିଭାଗ
ଡିଲ୍ବେଳେ ବାଘ ଚମଡ଼ା ଜବତ
ବାରିପଦା (ଆପ୍ର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ଅନ୍ତର୍ଗତ ଯଶିପୁର ବଜାରସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡରେ ଗତ ୫ତାରିଖ ବିଳମ୍ବିତ ରାତିରେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବୁ୍ୟରୋ ଓ କେନ୍ଦୁଝର ଏବଂ କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉ କରାଯାଇଛି । ଚଢ଼ଉରେ କଲରାପତ୍ରିଆ ବାଘ ଚମଡ଼ା ଜବତ ସହ ମୁଖ୍ୟ ଅଭିଯୁକ୍ତ ସମେତ ୭ଜଣଙ୍କୁ କେନ୍ଦୁଝର ବନଖଣ୍ଡର ବିଭିନ୍ନ ଜାଗାରୁ ଗିରଫ କରିବାରେ ବନବିଭାଗ ସଫଳ ହୋଇଛି ।
ମଧ୍ୟପ୍ରଦେଶସ୍ଥିତ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବୁ୍ୟରୋ ଅଧିକାରୀ ବିପିନ କୁମାର ଚଟୋପାଧ୍ୟାୟ କୌଣସି ସୂତ୍ରରୁ ଖବରପାଇ କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟକୁ ଆସିଥିଲେ । କାର୍ଯ୍ୟାଳୟର ସହକାରୀ ବନସଂରକ୍ଷକ ଘନଶ୍ୟାମ ମହାନ୍ତଙ୍କୁ ସାଙ୍ଗରେ ନେଇ ଉକ୍ତ ଅଧିକାରୀ ଯଶିପୁରସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡକୁ ଯାଇଥିଲେ । ସେଠାରେ ଚମଡ଼ା ଚୋରା କାରବାର ପାଇଁ ଯୁବକଦ୍ୱୟ ଅପେକ୍ଷା କରିଥିବା ସମୟରେ ସେମାନଙ୍କୁ ଗିରଫ କରିବା ସହ ଚମଡ଼ାକୁ ଜବତ କରିଥିଲେ । ପରେ ଦୁଧିଆଣି ବନାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଥିଲେ । ଗିରଫ ଯୁବକଦ୍ୱୟଙ୍କୁ ପଚରାଉଚୁରା ପରେ ଆଉ ୫ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଘଟଣା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜାଗାରୁ ଗିରଫ କରି ଅଧିକ ତଦନ୍ତ କରିବା ସହିତ ଆଜି କୋର୍ଟ ଚାଲାଣ କରିବ । ଜବତ ଚମଡ଼ାର ଲମ୍ବ ସାଢ଼େ ୪ ଫୁଟ୍ ଓ ଓସାର ୨ ଫୁଟ୍ ୫ ଇଞ୍ଚ ଥିବା ଜଣାଯାଇଛି । ଉକ୍ତ ଚମଡ଼ାଟି ବହୁ ପୁରୁଣା ହୋଇଥିବାରୁ ଅନେକ ସ୍ଥାନର ଲୋମ ଉଠିଯାଇଛି । ତେବେ ବାରମ୍ବାର ଏପରି ବନ୍ୟଜନ୍ତୁ ଶିକାରୀମାନେ ସକ୍ରିୟ ଥିବା ବେଳେ ବନବିଭାଗ ଶିକାର ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛି ।