ଅଧାରେ ଅଟକିଛି ମିନି ଷ୍ଟାଡିୟମ୍

ତିହିଡ଼ି (ଆପ୍ର): ତିହିଡ଼ି ବ୍ଲକ୍ରେ ତିନି ବିଧାୟକଙ୍କ ରାଜତ୍ୱ । ହେଲେ ପାଞ୍ଚ ବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇଥିବା ତିହିଡ଼ି ବ୍ଲକ୍ର ମିନି ଷ୍ଟାଡିୟମଟି ଅଧପନ୍ତରିଆ ହୋଇ ପଡ଼ିରହିଛି । ସମସ୍ତଙ୍କ ପାଇଁ ଖେଳ ଲକ୍ଷ୍ୟ ନେଇ ପ୍ରତି ବ୍ଲକ୍ରେ ଗୋଟିଏ ଗୋଟିଏ ମିନି ଷ୍ଟାଡିୟମ କରିବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ତିହିଡ଼ି ବ୍ଲକ୍ରେ ଅତି ଦୟନୀୟ ଭାବେ ପରାହତ ହୋଇଛି ।
ତିହିଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଞ୍ଚବର୍ଷ ତଳେ ଏହି ମିନି ଷ୍ଟାଡିୟମ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେଥିପାଇଁ ରାଜ୍ୟ ସରକାର ୨୦୧୫-୧୬ରେ ୧୦ ଲକ୍ଷ ଟଙ୍କା ଓ ୨୦୧୬-୧୭ରେ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଏପରି ସ୍ଥଳେ ତିହିଡ଼ି ବ୍ଲକ୍ରେ ନିର୍ମାଣାଧୀନ ମିନି ଷ୍ଟାଡିୟମରେ ସମ୍ମୁଖଭାବ ପ୍ରାଚୀର, ଗ୍ୟାଲେରି, ଗେଟ୍ ଓ କିଛି ମାଟି ଯାହା ପଡ଼ିଛି । ବର୍ଷବର୍ଷ ହେଲା କାର୍ଯ୍ୟବନ୍ଦ ରହିଛି । ରକ୍ଷଣାବେକ୍ଷଣା ଅଭାବରୁ ଲୁହା ଗେଟ୍ରେ କଳଙ୍କି ଲାଗିଲାଣି । ତିହିଡ଼ିରେ ଏକ ଖେଳ ପଡ଼ିଆ ନଥିବା କାରଣରୁ ଏହି ମିନି ଷ୍ଟାଡିୟମକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା । ବ୍ଲକ୍ ଓ ଜିଲ୍ଲାସ୍ତରୀୟ ବିଭିନ୍ନ କ୍ରୀଡ଼ା ଏଠାରେ ଅନୁଷ୍ଠିତ ହେବ ବୋଲି ଆଶା ପ୍ରକାଶ ପାଇଥିଲା । ତେବେ ଏହି ଆଶା ମଉଳି ଯିବା ସହ କ୍ଷୋଭ ମଧ୍ୟ ପ୍ରକାଶ ପାଇଛି । ଲୋକେ ଏବେ ମିନି ଷ୍ଟାଡିୟମ କଥା ଭୁଲିଯିବାକୁ ବସିଲେଣି । ସେହିପରି ପାଇକା ଯୋଜନାରେ ଆସିଥିବା ବିଭିନ୍ନ କ୍ରୀଡ଼ା ସରଞ୍ଜାମ ତିହିଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଖତ ଖାଉଛି । ବର୍ଷ ପରେ ବର୍ଷ ବିତି ଯାଉଛି, ହେଲେ ଷ୍ଟାଡିୟମ କଥା କାହାରି ଭାବିବାକୁ ସମୟ ନାହଁ । ଗୋଟିଏ ବ୍ଲକ୍ର ଭିତ୍ତିିଭୂମିର ବିକାଶ ପାଇଁ ସରକାର ଯୋଜନା କରୁଥିବା ବେଳେ ଅଧିକାରୀ ବା ନିର୍ବାଚିତ ପ୍ରତିନିଧିଙ୍କ ସେଥିପ୍ରତି ଆଦୌ ନଜର ନାହିଁ । ତିନି ନିର୍ବାଚନମଣ୍ଡଳୀରେ ବିଭାଜିତ ହୋଇ ନିଜର ଗୁରୁତ୍ୱ ହରାଇସାରିଥିବା ତିହିଡ଼ି ବ୍ଲକ୍ର ବିଭିନ୍ନ ଯୋଜନା ଏହିପରି ଚାଲିଛି । ମିନି ଷ୍ଟାଡିୟମ ଓ ଓପନ ଜିମ ସେଣ୍ଟର କାର୍ଯ୍ୟ ଯେ କୌଣସି ଉପାୟରେ ଶେଷ କରାଯାଇ କ୍ରୀଡ଼ାକୁ ଉତ୍ସାହିତ କରାଯାଉ ବୋଲି ତିହିଡ଼ି ବ୍ଲକ୍ର କ୍ରୀଡ଼ାପ୍ରେମୀଙ୍କ ବାରମ୍ବାର ଦାବି କେବଳ ଦାବିରେ ରହିଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *