ମାନବାଧିକାର ପରିଷଦରୁ ରୁଷ୍ ସସ୍ପେଣ୍ଡ୍
ନୁ୍ୟୟର୍କ, ୭ା୪: ଜାତିସଂଘର ମାନବାଧିକାର ପରିଷଦ (ୟୁଏନ୍ଏଚ୍ଆର୍ସି)ରୁ ରୁଷିଆକୁ ନିଲମ୍ବନ କରିଦିଆଯାଇଛି । ୟୁକ୍ରେନ୍ ଆକ୍ରମଣ ତଥା ୟୁକ୍ରେନ୍ରେ ନରସଂହାର ପାଇଁ ରୁଷିଆକୁ ଏହି ଦଣ୍ଡ ମିଳିଛି । ଆମେରିକା ପକ୍ଷରୁ ଉକ୍ତ ପ୍ରସ୍ତାବ ଆଗତ କରାଯାଇଥିଲା । ଜାତିସଂଘ ମହାସଭାରେ ଗୁରୁବାର ମତଦାନ ବେଳେ ଭାରତ ପୂର୍ବଭଳି ଦୂରେଇ ରହିଥିଲା । ଅନ୍ୟ ୫୭ ଦେଶ ଭୋଟିଂରୁ ବିରତ ରହିଥିଲେ । ପ୍ରସ୍ତାବ ସପକ୍ଷରେ ୯୩ ଦେଶର ପ୍ରତିନିଧି ଭୋଟ୍ ଦେଇଥିଲେ । ୨୪ ଦେଶର ପ୍ରତିନିଧି ରୁଷ୍ ବିରୋଧୀ ପ୍ରସ୍ତାବକୁ ବିରୋଧ କରିଥିଲେ, ଅର୍ଥାତ୍ ରୁଷ୍ ସପକ୍ଷରେ ପଡିଥିଲା ୨୪ଟି ଭୋଟ୍ ।
ଜାତିସଂଘ ମହାସଭାର ଏହି ବିଶେଷ ଜରୁରୀ ଅଧିବେଶନରେ ରୁଷୀୟ ପ୍ରତିନିଧି କହିଥିଲେ, ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଏଭଳି ଏକ ପ୍ରସ୍ତାବ ଉପରେ ମନ୍ଥନ କରି ପାଶ୍ଚାତ୍ୟ ଦେଶମାନଙ୍କ ଷଡଯନ୍ତ୍ରକୁ ପଣ୍ଡ କରିବା ଆବଶ୍ୟକ । ୟୁକ୍ରେନ୍ର ପ୍ରତିନିଧି କହିଥିଲେ, ୟୁଏନ୍ଏଚ୍ଆର୍ସିରୁ ରୁଷିଆକୁ ବହିଷ୍କାର କରିବା ପ୍ରତ୍ୟେକ ରାଷ୍ଟ୍ରର ଏକ କର୍ତ୍ତବ୍ୟ । ବହିଷ୍କାର ଛଡା ବିକଳ୍ପ କିଛି ନାହିଁ ।
ଜାତିସଂଘ ମାନବାଧିକାର ପରିଷଦର ସଦସ୍ୟ ସଂଖ୍ୟା ୪୭ । ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନରେ ଯେକୌଣସି ସଦସ୍ୟ ରାଷ୍ଟ୍ରଙ୍କୁ ଏହି ପରିଷଦରୁ ବହିଷ୍କାର ବା ନିଲମ୍ବନ କରିବା ବ୍ୟବସ୍ଥା ଅଛି । ରୁଷିଆର ସଦସ୍ୟତା ୨୦୨୩ ପର୍ଯ୍ୟନ୍ତ ଥିଲା । ୟୁକ୍ରେନ୍ର ବୁଚା ନଗରୀରେ ରୁଷୀୟ ସୈନ୍ୟମାନେ ଅମାନୁଷିକ ହତ୍ୟା ଲୀଳା କରିଥିବା ଜଣାପଡିବା ପରେ ଜାତିସଂଘରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥମାସ୍ ଗ୍ରୀନ୍ଫିଲ୍ଡ ପରିଷଦରୁ ରୁଷିଆକୁ ବହିଷ୍କାର କରିବା ଲାଗି ଆହ୍ୱାନ ଦେଇଥିଲେ । ବୁଚାରେ ଅସଂଖ୍ୟ ନିରୀହ ୟୁକ୍ରେନୀ ନାଗରିକଙ୍କ ଶବ ପଡିରହିଥିବାର ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା । ଏହି ପ୍ରସଙ୍ଗରେ ଆମେରିକୀୟ ରାଷ୍ଟ୍ରଦୂତ ବିଶ୍ୱସମୁଦାୟଙ୍କ ଦୃଷ୍ଟିଆକର୍ଷଣ କରି କହିଥିଲେ ଯେ ରୁଷ୍ ଭଳି ଏକ ପିଶାଚ ରାଷ୍ଟ୍ର ମାନବାଧିକାର ପରିଷଦରେ ସଦସ୍ୟ ହୋଇ ରହିବା ଅନୁଚିତ ।
ମାନବାଧିକାର ପରିଷଦରୁ କ୍ୱଚିତ କୌଣସି ରାଷ୍ଟ୍ରକୁ ସସ୍ପେଣ୍ଡ କରାଯାଇଛି । ୨୦୧୧ରେ ଲିବ୍ୟାକୁ ଏଥିରୁ ସସ୍ପେଣ୍ଡ କରାଯାଇଥିଲା ।