ଗୁଜରାଟକୁ ୧୯୦ ବିଜୟଲକ୍ଷ୍ୟ

ଆଇପିଏଲ୍ ୨୦୨୨ ୧୬ତମ ମ୍ୟାଚ୍
ମୁମ୍ବାଇ, ୮ା୪ (ଏଜେନ୍ସି): ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ଙ୍କ ଦମ୍ଦାର ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲ୍ର ୧୬ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ୧୯୦ ରନ୍ର ବିଜୟଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ଗୁଜରାଟ ୧୨ ଓଭର୍ରେ ୧ ୱିକେଟ୍ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲା । ଶୁଭମନ ଗିଲ୍ ୭୩ ଓ ସାଇ ସୁଦର୍ଶନ ୨୮ ରନ୍ କରି ଅପରାଜିତ ଥିଲେ ।
ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପଞ୍ଜାବ ପକ୍ଷରୁ ଜନି ବେଆର୍ଷ୍ଟୋ ପ୍ରଥମ ମ୍ୟାଚ୍ ଖେଳିଥିଲେ । ତାଙ୍କୁ ଭାନୁକା ରାଜପାକ୍ଷଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା । ଅନ୍ୟପଟେ, ଗୁଜରାଟ ଏକାଦଶରେ ବିଜୟ ଶଙ୍କର ଓ ବରୁଣ ଆରୋନ୍ଙ୍କ ସ୍ଥାନରେ ଦର୍ଶନ ନାଲକଣ୍ଡେ ଓ ସାଇ ସୁଦର୍ଶନଙ୍କୁ ସୁଯୋଗ ଦିଆଯାଇଥିଲା ।
୧୯୦ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଗୁଜରାଟ ଟିମ୍ର ଓପନିଂ ଯୋଡ଼ି ୩୨ ରନ୍ରେ ଭାଙ୍ଗିଥିଲା । ମାଥୁ୍ୟ ୱେଡ୍ ମାତ୍ର ୬ ରନ୍ କରି କାଗିସୋ ରାବାଡ଼ାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଶୁଭମନ ନୂଆ ବ୍ୟାଟର୍ ସୁଦର୍ଶନଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଉଭୟଙ୍କ ପ୍ରୟାସରେ ଇନିଂସ୍ ୧୦୦ ଅତିକ୍ରମ କରିଥିଲା । ଶୁଭମନ ୨୯ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
ଏଥି ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ଲିଭିଙ୍ଗ୍ଷ୍ଟୋନ୍ ସର୍ବାଧିକ ୬୪ (୨୭ ବଲ୍ରୁ ୭ ଚୌକା ଓ ୪ ଛକା ସହାୟତାରେ) ରନ୍ କରିଥିବା ବେଳେ ଶିଖର ଧାବନ୍ ୩୫, ଜିତେଶ ଶର୍ମା ୨୩, ରାହୁଲ ଚାହର ଅପରାଜିତ ୨୨ ରନ୍ କରିଥିଲେ । ବିପକ୍ଷ ବୋଲର୍ ରଶିଦ୍ ଖାଁ ୩ଟି ଓ ଦର୍ଶନ ୨ଟି ୱିକେଟ୍ ନେଇଥିଲେ ।
ଉଲ୍ଲେଖନୀୟ ଇନିଂସ୍ ଖେଳିଥିବା ଲିଭିଙ୍ଗ୍ଷ୍ଟୋନ୍ଙ୍କୁ ଇନିଂସ୍ର ନବମ ଓଭର୍ରେ ଜୀବନଦାନ ମିଳିଥିଲା । ରଶିଦ୍ଙ୍କ ବଲ୍ରେ ସେ ଡିପ୍ ମିଡ୍ ୱିକେଟ୍ରେ ବଡ଼ ସଟ୍ ଖେଳିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏହି କ୍ୟାଚ୍ ଧରିଥିଲେ । ଗ୍ରାଉଣ୍ଡ ଅମ୍ପାୟାର ଥାର୍ଡ ଅମ୍ପାୟାରଙ୍କ ସହାୟତା ନେଇଥିଲେ । ରିପ୍ଲେରୁ ଜଣାପଡ଼ିଥିଲା ହାର୍ଦ୍ଦିକ କ୍ୟାଚ୍ ଧରୁଥିବା ବେଳେ ତାଙ୍କ ପାଦ ବାଉଣ୍ଡାରୀ ଲାଇନ୍କୁ ଟଚ୍ କରିଥିଲା । ସେତେବେଳେ ଲିଭିଙ୍ଗ୍ଷ୍ଟୋନ୍ ୧୪ ରନ୍ କରି ଖେଳୁଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *