ରାୟଙ୍କ ବହିରେ କୁମ୍ବଲେ-କୋହଲି ବିବାଦ

‘କୁମ୍ବଲେଙ୍କ ଅତ୍ୟଧିକ ଅନୁଶାସନ ଯୋଗୁଁ ଭୟ କରୁଥିଲେ ଟିମ୍ର ଯୁବ ସଦସ୍ୟ’
ନୂଆଦିଲ୍ଲୀ, ୭ା୪ (ଏଜେନ୍ସି): ପ୍ରଶାସକଙ୍କ କମିଟି (ସିଓଏ)ର ମୁଖ୍ୟ ରହି ସାରିଥିବା ବିନୋଦ ରାୟ ନିକଟରେ ରିଲିଜ୍ ହୋଇଥିବା ତାଙ୍କ ପୁସ୍ତକ “ନଟ୍ ଜଷ୍ଟ ଏ ନାଇଟ୍ୱାଚ୍ମ୍ୟାନ୍: ମାଇଁ ଇନିଂସ୍ ୱିଥ୍ ବିସିସିଆଇ”ରେ ନିଜର ୩୩ ମାସର କାର୍ଯ୍ୟକାଳର ବିଭିନ୍ନ ଦିଗ ଉପରେ ଉଲ୍ଲେଖ କରିଛନ୍ତି । ସେଥି ମଧ୍ୟରେ ପୂର୍ବତନ କୋଚ୍ ଅନିଲ କୁମ୍ବଲେ ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିବାଦ ପ୍ରସଙ୍ଗ ଅଧିକ ଚର୍ଚ୍ଚାରେ ରହିଛି ।
ବିନୋଦ ରାୟଙ୍କ ଅନୁଯାୟୀ କୁମ୍ବଲେଙ୍କୁ ମନେ ହେଉଥିଲା ଯେ ତାଙ୍କ ସହିତ ‘ଅନୁଚିତ ବ୍ୟବହାର’ କରାଯାଇଥିଲା ଏବଂ ଭାରତୀୟ ଟିମ୍ର ମୁଖ୍ୟ କୋଚ୍ ପଦବୀରୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଥିଲା । ତେବେ ତକ୍ରାଳୀନ ଅଧିନାୟକ କୋହଲିଙ୍କ ବିଚାରରେ ଖେଳାଳି ଅନୁଶାସନ ଲାଗୁ କରିବାରେ ତାଙ୍କର ‘ଭୟଜାତକାରୀ’ ଶୈଳୀରେ ସେ ସନ୍ତୁଷ୍ଟ ନ ଥିଲେ ।
ସବୁଠାରୁ ବଡ଼ ପ୍ରସଙ୍ଗ ଓ ସମ୍ଭବତଃ ସବୁଠାରୁ ବିବାଦୀୟ ପ୍ରସଙ୍ଗ ସେତିକିବେଳେ ଉଠିଥିଲା, ଯେତେବେଳେ କୋହଲି, କୁମ୍ବଲେଙ୍କ ସହିତ ମତଭେଦର ଅଭିଯୋଗ କରିଥିଲେ, ଯିଏକି ୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ପରେ ସାର୍ବଜନୀନ ଭାବରେ ଇସ୍ତଫା ଘୋଷଣା କରିଥିଲେ । କୁମ୍ବଲେଙ୍କୁ ୨୦୧୬ରେ ଏକ ବର୍ଷର ଚୁକ୍ତି ଦିଆଯାଇଥିଲା ।
ରାୟ ନିଜ ପୁସ୍ତକରେ ଲେଖିଥିଲେ, “ଅଧିନାୟକ ଓ ଟିମ୍ ମ୍ୟାନେଜ୍ମେଣ୍ଟ ସହିତ ମୋ କଥାବାର୍ତ୍ତାରେ ଏହା ଜାଣିବାକୁ ମିଳିଥିଲା ଯେ କୁମ୍ବଲେ ବହୁତ ଅଧିକ ଅନୁଶାସନ ଲାଗୁ କରୁଛନ୍ତି ଏବଂ ଏଥିପାଇଁ ଟିମ୍ର ସଦସ୍ୟ ତାଙ୍କ ଉପରେ ବେଶୀ ସନ୍ତୁଷ୍ଟ ନ ଥିଲେ । ମୁଁ ଏହି ପ୍ରସଙ୍ଗରେ ବିରାଟ କୋହଲିଙ୍କ ସହ କଥାବାର୍ତ୍ତା କରିଥିଲି ଏବଂ ସେ କହିଥିଲେ ଯେ ଟିମ୍ର ଯୁବ ସଦସ୍ୟ ତାଙ୍କ କାମ କରିବାର ତରିକାରେ ଭୟ କରୁଥିଲେ ।”
ରାୟ ଖୁଲାସା କରିଥିଲେ ଯେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) କୁମ୍ବଲେଙ୍କ ଚୁକ୍ତିମିଆଦ ବଢ଼ାଇବା ପାଇଁ ସୁପାରିସ କରିଥିଲା । ସେ ଲେଖିଛନ୍ତି, “ଏହାପରେ ଲଣ୍ଡନରେ ସିଏସିର ବୈଠକ ହୋଇଥିଲା ଏବଂ ଏ ପ୍ରସଙ୍ଗକୁ ତୁଟାଇବା ପାଇଁ ଉଭୟଙ୍କ ସହିତ ଅଲଗା ଅଲଗା କଥାବାର୍ତ୍ତା କରାଯାଇଥିଲା । ତିନି ଦିନ ଯାଏଁ କଥାବାର୍ତ୍ତା ପରେ ସେମାନେ ମୁଖ୍ୟ କୋଚ୍ ଭାବରେ କୁମ୍ବଲେଙ୍କ ପୁନଃନିଯୁକ୍ତି ପାଇଁ ସୁପାରିସ କରିବାକୁ ନିଷ୍ପତ୍ତି ନେଇଥିଲେ ।”
କିନ୍ତୁ ପରେ ଯାହା ହୋଇଥିଲା, ସେଥିରୁ ସ୍ପଷ୍ଟ ହୋଇଥିଲା ଯେ କୋହଲିଙ୍କ ଦୃଷ୍ଟିକୋଣକୁ ଅଧିକ ସମ୍ମାନ ଦିଆ ଯାଇଥିଲା ଏବଂ ଏଥିପାଇଁ କୁମ୍ବଲେଙ୍କ ସ୍ଥିତି ଅସ୍ଥିର ହୋଇ ଯାଇଥିଲା । ରାୟ ଲେଖିଛନ୍ତି, “କୁମ୍ବଲ ବ୍ରିଟେନ୍ରୁ ଫେରିବା ପରେ ଆମେ ତାଙ୍କ ସହ ଦୀର୍ଘ ଆଲୋଚନା କରିଥିଲୁ । ପୂରା ଘଟଣାକ୍ରମରେ ସେ ସ୍ପଷ୍ଟ ରୂପେ ନିରାଶ ଥିଲେ । ତାଙ୍କୁ ମନେ ହୋଇଥିଲା ଯେ ତାଙ୍କ ସହିତ ଅନୁଚିତ ବ୍ୟବହାର କରାଯାଇଛି ଏବଂ ଜଣେ ଅଧିନାୟକ ଅଥବା ଟିମ୍କୁ ଏତେ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ । କୋଚ୍ଙ୍କ କର୍ତ୍ତବ୍ୟ ଥିଲା ଯେ ସେ ଟିମ୍ରେ ଅନୁଶାସନ ଓ ପେସାଦାରପଣ ଆଣିବେ ଏବଂ ଜଣେ ବରିଷ୍ଠ ହୋଇଥିବା ଦୃଷ୍ଟିରୁ ଖେଳାଳିମାନେ ତାଙ୍କ ବିଚାରକୁ ସମ୍ମାନ କରିବାର ଥିଲା ।”
ରାୟ ଏହା ମଧ୍ୟ ଲେଖିଛନ୍ତି ଯେ କୁମ୍ବେଲ ଅନୁଭବ କରିଥିଲେ ଯେ ପ୍ରୋଟୋକଲ୍ ଓ ପ୍ରକ୍ରିୟା ପାଳନ କରିବା ଉପରେ ଅଧିକ ଭରସା କରାଯାଇଥିଲା ଏବଂ ତାଙ୍କ ମାର୍ଗଦର୍ଶନରେ ଟିମ୍ କିଭଳି ପ୍ରଦର୍ଶନ କରିଥିଲା, ତାହାକୁ କମ୍ ଗୁରୁତ୍ୱ ଦିଆଯାଇଥିଲା ।
ରାୟ, କୋହଲି ଓ କୁମ୍ବଲେ ଉଭୟଙ୍କ ପକ୍ଷରୁ ଏ ପ୍ରସଙ୍ଗରେ ଗରିମାପୂର୍ଣ୍ଣ ନିରବତା ଅବଲମ୍ବନକୁ ପରିପକ୍ୱ ଓ ବିବେକପୂର୍ଣ୍ଣ କହିଛନ୍ତି, ଅନ୍ୟଥା ବିବାଦ ଜାରି ରହିଥା’ନ୍ତା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *