ଏକ୍ସଇ ଓ କପ୍ପାର ଏଣ୍ଟ୍ରି

ମୁମ୍ବାଇରେ ୨ ସଂକ୍ରମିତ ଚିହ୍ନଟ, କରୋନାର ଘାତକ ଭାରିଏଣ୍ଟ
ମୁମ୍ବାଇ, ୬ା୪: ଭାରତ କରୋନାମୁକ୍ତ ହେବାକୁ ଯାଉଥିବା ବେଳେ ଅଚାନକ ଏକ ଭୀତିପ୍ରଦ ଖବର ଆସିଛି । ଓମିକ୍ରନ୍ର ଏକ୍ସଇ ଓ କପ୍ପା ନାମକ ଦୁଇଟି ନୂଆ ଭାରିଏଣ୍ଟରେ ସଂକ୍ରମିତ ଦୁଇଜଣ ବ୍ୟକ୍ତି ମୁମ୍ବାଇରେ ଚିହ୍ନଟ ହୋଇଛନ୍ତିି । ବୃହନ୍ମୁମ୍ବାଇ ମୁ୍ୟନିସିପାଲ୍ କର୍ପୋରେସନ୍ (ବିଏମ୍ସି) କମିଶନର ଇକବାଲ ସିଂହ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ବିଏମ୍ସିର କସ୍ତୁରବା ହସ୍ପିଟାଲ ଓ ପୁଣେ ସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭାୟରୋଲଜିର ନେକ୍ସଟ୍ ଜେନେରେସନ୍ ଜିନୋମ୍ ସିକ୍ୱେନ୍ସିଂ ଲାବ୍ରେ ନିକଟରେ ଯେଉଁ ୩୭୬ ସାମ୍ପଲ୍ ପରୀକ୍ଷା କରାଯାଇଥିଲା, ସେଥିରୁ ୨୩୦ ସାମ୍ପଲ୍ ଥିଲା ମୁମ୍ବାଇ ବାସିନ୍ଦାଙ୍କର । ୨୩୦ ସାମ୍ପଲ୍ ମଧ୍ୟରୁ ଗୋଟିକରେ ଏକ୍ସଇ ଓ ଆଉ ଗୋଟିକରେ କପ୍ପା ଭାରିଏଣ୍ଟ ଚିହ୍ନଟ ହୋଇଛି । ଏହି ୩୦ ରୋଗୀଙ୍କ ମଧ୍ୟରୁ ୨୧ ଜଣ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଯେଉଁ ନମୁନାରୁ ଏକ୍ସଇ ଭାରିଏଣ୍ଟ୍ ମିଳିଛି ତାହାର ଅଧିକ ଯାଞ୍ଚ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି । ‘ଇନ୍ସାକଗ୍’ର ଜିନୋମିକ୍ ବିଶେଷଜ୍ଞମାନେ ବିସ୍ତୃତ ଅନୁଧ୍ୟାନ ପରେ ଏହା ଏକ୍ସଇ ସାମ୍ପଲ୍ ହୋଇ ନ ପାରେ ବୋଲି ମତ ଦେଇଥିବାରୁ ସମ୍ପୃକ୍ତ ନମୁନାକୁ ନ୍ୟାସ୍ନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବାଓମେଡିକାଲ ଜିନୋମିକ୍ସ (ଏନ୍ଆଇବିଏମ୍ଜି)କୁ ପଠାଯିବ ।
ଏକ୍ସଇ ଭାରିଏଣ୍ଟରେ ସଂକ୍ରମିତ ଦେଶର ପ୍ରଥମ ବ୍ୟକ୍ତି ଜଣେ ୫୦ ବର୍ଷୀୟା ମହିଳା । ସେ ଜଣେ କଷ୍ଟୁ୍ୟମ୍ ଡିଜାଇନର । ଫିଲ୍ମ ସୁଟିଂ ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିବା ଏକ ଟିମ୍ର ସେ ଅନ୍ୟତମ ସଦସ୍ୟା । ଫେବ୍ରୁଆରୀ ୧୦ ତାରିଖ ଦିନ ଉକ୍ତ ମହିଳା ଦକ୍ଷିଣ ଆଫ୍ରିକାରୁ ଫେରି ମୁମ୍ବାଇରେ ପହଞ୍ଚôଥିଲେ । ସେତେବେଳେ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନ ଥିଲା । କିନ୍ତୁ ମାର୍ଚ୍ଚ ୨ ତାରିଖ ଦିନ ସବର୍ବାନ୍ ଡାଇଗ୍ନୋଷ୍ଟିକ୍ସ ପକ୍ଷରୁ ରୁଟିନ୍ ଟେଷ୍ଟିଂ କରାଯିବା ପରେ ମହିଳା ଜଣକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କୁ ଅବିଳମ୍ବେ ମୁମ୍ବାଇ ସହରତଳି ଅଞ୍ଚଳର ଏକ ହୋଟେଲ୍ ରୁମ୍ରେ କ୍ୱାରାଣ୍ଟିନରେ ରଖାଗଲା । ପରଦିନ ପୁଣିଥରେ ପରୀକ୍ଷା କରାଯିବାରୁ ନେଗେଟିଭ୍ ରିପୋର୍ଟ ଆସିଥିଲା । ପରେ ବିଏମ୍ସି ପକ୍ଷରୁ ଜିନୋମ୍ ସିକ୍ୱେନ୍ସିଂ କରାଯିବାରୁ ତାଙ୍କଠାରେ ଓମିକ୍ରନ୍ର ନୂଆ ଏକ୍ସଇ ଭାରିଏଣ୍ଟ ଥିବା ପ୍ରମାଣିତ ହୋଇଥିଲା ।
ଏକ୍ସଇ କରୋନାର ସବୁଠୁ ଘାତକ ଭାରିଏଣ୍ଟ ବୋଲି ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) ପକ୍ଷରୁ କୁହାଯାଇଥିଲା । ଏକ୍ସଇ ହେଉଛି ବିଏ.୧ ଓ ବିଏ.୨ ଓମିକ୍ରନ୍ ଷ୍ଟ୍ରେନ୍ର ହାଇବ୍ରିଡ୍ ରୂପ, ଅର୍ଥାତ୍ ଏହି ଦୁଇ ଷ୍ଟ୍ରେନ୍ର ମୁ୍ୟଟେସନ୍ରୁ ଏକ୍ସଇ ଉତ୍ପନ୍ନ ହୋଇଛି । ହୁ’ ରିପୋର୍ଟ ଅନୁଯାୟୀ, ଏକ୍ସଇ ଏକ ପୁନଃ ସଂଯୋଜକ (ରିକମ୍ବିନେଣ୍ଟ) ମୁ୍ୟଟେସନ୍ । ଏପରି ମୁ୍ୟଟେସନ୍ ସୃଷ୍ଟି ହୁଏ ଯେତେବେଳେ କୌଣସି ରୋଗୀଙ୍କ ଠାରେ କରୋନାର ଏକାଧିକ ଭାରିଏଣ୍ଟ ସଂକ୍ରମିତ ହୋଇଥାଏ ।
ବୈଜ୍ଞାନିକମାନଙ୍କ ମତରେ ଏକ୍ସଇ ଭାରିଏଣ୍ଟ କରୋନାର ଅନ୍ୟ ଭାରିଏଣ୍ଟ ତୁଳନାରେ ୧୦ରୁ ୪୫ ଗୁଣ ଅଧିକ ସଂକ୍ରମଣଶୀଳ । ତେବେ ଏକ୍ସଇ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକ ଗବେଷଣା କରାଯାଇ ନ ଥିବାରୁ ଏହାର ଘାତକ ଗୁଣ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇ ପାରିବ ନାହିଁ । ଅନ୍ୟଏକ ରିପୋର୍ଟ ଅନୁଯାୟୀ କରୋନାର ଏକ୍ସଇ ଭାରିଏଣ୍ଟ ଯୋଗୁଁ ଚୀନ୍ରେ ପୁଣି ଥରେ ହାହାକାର ସୃଷ୍ଟି ହୋଇଛି । ସେ ଦେଶର ୨୩ଟି ସହର ଏବେ ଲକ୍ଡାଉନ୍ରେ ।
ଏକ୍ସଇ ଭାରିଏଣ୍ଟର ସଂକ୍ରମଣ ପ୍ରଥମେ ୟୁକେରେ ହୋଇଥିଲା । ଚଳିତ ବର୍ଷ ଜାନୁଆରୀ ୧୯ରେ ପ୍ରଥମ ଏକ୍ସଇ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିଲେ । ତା’ପର ଠାରୁ ଆଜି ସୁଦ୍ଧା ୟୁକେରେ ୬୩୭ ଜଣ ଏହି ନୂଆ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇଛି । ଏକ୍ସଇ ସଂକ୍ରମଣର ଲକ୍ଷଣ ଗୁଡ଼ିକ ହେଉଛି- ଜ୍ୱର, ଶର୍ଦ୍ଦି, କାଶ, ଗଳାରେ ଯନ୍ତ୍ରଣା ଓ ତ୍ୱକ୍ରେ ଜଳାପୋଡ଼ା ଅନୁଭୂତ ହେବା ଏବଂ ପେଟ ଗୋଳମାଳ ହେବା । ଏକ୍ସଇ ଭାରିଏଣ୍ଟ ଯୋଗୁଁ ଫୁସ୍ଫୁସ୍ ପ୍ରଭାବିତ ହେଉ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *