ନିରପେକ୍ଷ ତଦନ୍ତ ଦାବିକଲା ଭାରତ
ବୁଚା ଗଣହତ୍ୟା ଉଦ୍ବେଗଜନକ
ନୂଆଦିଲ୍ଲୀ (ଏଜେନ୍ସି): ୟୁକ୍ରେନ୍ ରାଜଧାନୀ କିବ୍ର ବୁଚା ଅଞ୍ଚଳରୁ ସାମ୍ନାକୁ ଆସୁଥିବା ଭିଡିଓ ତଥା ଫଟୋକୁ ନେଇ ଏବେ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି ହୋଇଛି । ରୁଷ୍ ସେନା କିପରି ଏହି ଅଞ୍ଚଳରେ ବର୍ବରତାର ଚରମସୀମା ଟପିଯାଇଛି, ପ୍ରମାଣ ମିଳିବାରେ ଲାଗିଛି । ଏହି ପ୍ରସଙ୍ଗରେ ଦିନକ ପୂର୍ବେ ବସିଥିବା ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ (ୟୁଏନ୍ଏସ୍ସି) ଭାରତ ଗଭୀର ଉଦ୍ବେଗ ପ୍ରକାଶ କରିଛି ।
ଭାରତ, ରୁଷ୍ର ନାମ ସିଧାସଳଖ ନେଇନଥିଲେ ମଧ୍ୟ ବୁଚା ସହରରେ ହୋଇଥିବା ନାରକୀୟ କାଣ୍ଡର ଅନ୍ତର୍ଜାତୀୟସ୍ତରର ତଦନ୍ତ ପାଇଁ ହେଉଥିବା ଦାବିକୁ ସମର୍ଥନ ବ୍ୟକ୍ତ କରିଛି । ଜାତିସଂଘ ସୁରକ୍ଷା ପରିଷଦରେ ନିଜ ପକ୍ଷ ରଖି ଭାରତର ପ୍ରତିନିଧି ଟି.ଏସ୍. ତିରୁମୂର୍ତ୍ତି କହିଥିଲେ, ୟୁକ୍ରେନ୍ ସ୍ଥିତି ଉପରେ ଭାରତ ତୀକ୍ଷ୍ମ ଦୃଷ୍ଟି ରଖିଛି । ଏଠାରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ରହିଛି । ୟୁକ୍ରେନ୍ରେ ସାଧାରଣ ନାଗରିକମାନଙ୍କୁ ଅମାନବୀୟ ଭାବେ ହତ୍ୟା କରାଯାଇଥିବା ରିପୋର୍ଟ ଅତ୍ୟନ୍ତ ମର୍ମସ୍ପର୍ଶୀ, ଅମାନବୀୟ । ବିଶେଷକରି ବୁଚା ଅଞ୍ଚଳରେ ଯାହାସବୁ ଘଟିଯାଇଛି, ଭାରତ ଏହାକୁ ନିନ୍ଦା କରୁଛି ଏବଂ ଏଭଳି ନରସଂହାର ବିରୋଧରେ ତଦନ୍ତ ପାଇଁ ହୋଇଥିବା ଦାବିକୁ ସମର୍ଥନ କରୁଛି । ଭାରତ ସର୍ବଦା ବିଶ୍ୱ ଶାନ୍ତିକୁ ଅଗ୍ରାଧିକାର ଦେଇଆସିଛି ।
ଅନ୍ୟପକ୍ଷେ ବୁଧବାର ଲୋକସଭାରେ ଆୟୋଜିତ ୟୁକ୍ରେନୀୟ ସଙ୍କଟ ସମ୍ବନ୍ଧୀୟ ବିତର୍କରେ ମଧ୍ୟ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସମାନ କଥା ଦୋହରାଇଛନ୍ତି । ଜୟଶଙ୍କର କହିଛନ୍ତି, ବୁଚା ପ୍ରାନ୍ତୀୟ ଅଞ୍ଚଳରେ ଘଟିଥିବା ସାଧାରଣ ନାଗରିକ ହତ୍ୟା ଘଟଣାକୁ ଭାରତ ତୀବ୍ର ନିନ୍ଦା କରୁଛି ଏବଂ ସ୍ୱାଧୀନ ଭାବେ ଉଚ୍ଚସ୍ତରୀୟ ତଦନ୍ତ ଦାବିକୁ ସମର୍ଥନ କରୁଛି ।ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଯଥାଶୀଘ୍ର ଶାନ୍ତି ଆଲୋଚନା ଆରମ୍ଭ ହେବା ଉଚିତ୍ ବୋଲି ଭାରତ ପ୍ରଥମରୁ ନିଜ ପକ୍ଷ ରଖିଆସିଛି ଏବଂ ଏବେ ବି ସେହି ସମାନ କଥାକୁ ଦୋହରାଉଛି । ଶାନ୍ତି ଆଲୋଚନା ପାଇଁ ଭାରତ ପୂର୍ଣ୍ଣତଃ ସମର୍ଥନ ଦେବାକୁ ପ୍ରସ୍ତୁତ ଥିବା ମଧ୍ୟ ଜୟଶଙ୍କର କହିଛନ୍ତି । ଏହି ଅବସରରେ ସେ ଉଭୟ ୟୁକ୍ରେନ୍ ଏବଂ ରୁଷ୍ ପକ୍ଷରୁ ଭାରତକୁ ମଧ୍ୟସ୍ଥତା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ।