ତେଜିଲା ତେଲ ତାତି

ଭୁବନେଶ୍ୱର,୬ା୪(ବୁ୍ୟରୋ): ପେଟ୍ରୋଲ୍ ଓ ଡିଜେଲ ଦର ବୁଧବାର ମଧ୍ୟ ବଢ଼ିଛି । ଏହାକୁ ମିଶାଇ ଗତ ୧୬ ଦିନରେ ୨ଟି ଯାକ ଇନ୍ଧନର ଦର ୧୪ଥର ବଢ଼ିଲାଣି । ମଙ୍ଗଳବାର ଭଳି ବୁଧବାର ମଧ୍ୟ ଲିଟର ପିଛା ଦର ୮୦ ପଇସା ବଢ଼ାଇ ଦିଆଯାଇଛି । ଫଳତଃ ମାର୍ଚ୍ଚ ୨୨ ପରଠାରୁ ଏ ପର୍ଯ୍ୟନ୍ତ ପେଟ୍ରୋଲ୍ ଡିଜେଲ ମୂଲ୍ୟରେ ୧୦ଟଙ୍କା ବୃଦ୍ଧି ଘଟିଛି । ସ୍ଥାନୀୟ ଟିକସ ଅନୁଯାୟୀ ବିଭିନ୍ନ ରାଜ୍ୟରେ ପେଟ୍ରୋଲ୍-ଡିଜେଲ୍ ଦର ଭିନ୍ନ ଭିନ୍ନ ହୋଇଥାଏ । ବୁଧବାରର ମୂଲ୍ୟ ବୃଦ୍ଧି ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ନୂଆ ଦର ଯଥାକ୍ରମେ ୧୧୨ଟଙ୍କା ୪୮ ପଇସା ଓ ୧୦୨ ଟଙ୍କା ୨୨ ପଇସା ହୋଇଛି । ଓଡିଶାରେ ପେଟ୍ରୋଲ ମୂଲ୍ୟ ମାଲକାନଗିରିରେ ସର୍ବାଧିକ ୧୧୮ ଟଙ୍କା ୪ ପଇସା, କୋରାପୁଟରେ ୧୧୭ ଟଙ୍କା ୨୯ ପଇସା, ରାୟଗଡାରେ ୧୧୬ ଟଙ୍କା ୧୪ ପଇସା ଓ ଭବାନୀପାଟଣାରେ ୧୧୫ ଟଙ୍କା ୪୩ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଜେଲ ଦର ମାଲକାନାଗିରିରେ ସର୍ବାଧିକ ୧୦୭ ଟଙ୍କା ୬୦ ପଇସା ହୋଇଛି ।
ତୈଳ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୋଧରେ ଯୁବ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ କର୍ମୀମାନେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବିଶାଳ ଶୋଭାଯାତ୍ରାରେ ଯାଇ ବରମୁଣ୍ଡା ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ଲାକାର୍ଡ ବାଣ୍ଟି ଲୋକଙ୍କୁ ସଚେତନ କରିଥିଲେ । ନିଜେ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ଏକ ବାଇକ୍ ଲଦି ଟ୍ରଲି ଟାଣିବା ସହ ତୈଳ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହ୍ରାସ ପାଇଁ ଦାବି ଜଣାଇଥିଲେ ।
ଏହି ଅବସରରେ ଡ. ଲେଙ୍କା କହିଛନ୍ତି ଯେ କେନ୍ଦ୍ରର ମୋଦି ସରକାର ଅଛେ ଦିନର ସୁନେଲି ସ୍ୱପ୍ନ ଦେଖାଇ ଦେଶର ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଏବଂ ୟୁକ୍ରେନ ଓ ଋଷ ଯୁଦ୍ଧର ଆଳ ଦେଖାଇ କିଛି ମାସ ହେଲା କ୍ରମାଗତ ଭାବେ ତୈଳ ଦର ବଢ଼ାଇ ଚାଲିଛନ୍ତି । ଗତ ୧୫ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୯.୨୦ ଟଙ୍କା ବୃଦ୍ଧି ପାଇଛି । ଖାଲି ସେତିକି ନୁହେଁ ପ୍ରତିଦିନ ଏହି ଦର କିିଛି ମାତ୍ରାରେ ବୃଦ୍ଧି ପାଇଚାଲିଛି । ସେପଟେ ରନ୍ଧନ ଗ୍ୟାସ ଦର ମଧ୍ୟ ଆକାଶ ଛୁଅାଁ ହେଲାଣି । ଦେଶର ଗରିବ ଜନସାଧାରଣଙ୍କ ପେଟକୁ ଲାତ ମାରି, ଯୁବପିଢ଼ିଙ୍କୁ ବେରୋଜଗାରର ରାସ୍ତାକୁ ଠେଲି ଦେଇ ମୋଦି ସରକାର କେବଳ ନିର୍ଦ୍ଦିଷ୍ଟ କେତେଜଣ ପୁଞ୍ଜିପତିଙ୍କ ସମ୍ପତି ବଢ଼ାଇ ଚାଲିଛନ୍ତି ।
ନିର୍ବାଚନ ଆସିବା ସମୟରେ ମୋଦି ସରକାର କିଛିଦିନ ପାଇଁ ଦରଦାମ ଉପରେ ନିୟନ୍ତ୍ରଣ ରଖି ଜନସାଧାରଣଙ୍କ ଭୋଟ୍ ହାତେଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର ନିର୍ବାଚନ ସରିବା ପରେ ହଠାତ୍ ଦରଦାମ ବଢ଼ାଇ ସେମାନଙ୍କୁ ପ୍ରତାରିତ କରୁଛନ୍ତି । ଏଭଳି ହୀନ ରାଜନୀତିରୁ ଓହରି ଦରଦାମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ । ନଚେତ ଆଗାମୀ ଦିନରେ ଯୁବ କଂଗ୍ରେସ ରାଜ୍ୟବ୍ୟାପୀ ଜନଆନେ୍ଦାଳନ କରିବ ବୋଲି ଡ. ଲେଙ୍କା ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *