ମହାପ୍ରଭୁଙ୍କୁ ଦର୍ଶନ କରି ଦାୟିତ୍ୱ ଗ୍ରହଣ କଲେ ମୁଖ୍ୟ ପ୍ରଶାସକ
ପୁରୀ (ବୁ୍ୟରୋ): ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ବୁଧବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନରେ ପୁରୀରେ ପହଞ୍ଚିଲା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ଲାଗି ସିଂହଦ୍ୱାରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯାଇ ସ୍ୱାଗତ କରିଥିଲେ । ପରେ ପରେ ତାଙ୍କୁ ଶ୍ରୀମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ଶ୍ରୀମନ୍ଦିର ପରିସରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ମୁଖ୍ୟ ପ୍ରଶାସକ ଭାବେ ଶ୍ରୀ ଯାଦବ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଥାଉକି, ୧୯୯୬ ବ୍ୟାଚ୍ର ଆଇଏଏସ୍ ହେଉଛନ୍ତି ବୀରବିକ୍ରମ ଯାଦବ । ସେ ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଥିଲେ । ସେ ମଧ୍ୟ ପୂର୍ତ୍ତ ବିଭାଗର ସଚିବ ଭାବେ ଅବସ୍ଥାପିତ ହେବା ସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।