‘ଭୁଲ୍ କରିଛି ହେଲେ ପାପ କରିନି’

ଚୁଲିଭଙ୍ଗା ମାମଲାର ଅଭିଯୁକ୍ତ ଗଲା ଜେଲ୍
ପୁରୀ, ୬ା୪ (ବୁ୍ୟରୋ): ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାର ଫର୍ଦ୍ଦାଫାଶ କରିଛି ପୁରୀ ପୁଲିସ । ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗ୍ରାମର ଜଗନ ମହାପାତ୍ର (୩୦) ବୋଲି ପୁରୀ ଏସ୍ପି କନୱାର ବିଶାଲ ସିଂ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜଗନ୍ନାଥପ୍ରେମୀଙ୍କ ଭାବାନାରେ ଆଘାତ ଦେଇଥିବା ଜଗନ ଦୋଷ ସ୍ୱୀକାର କରିଛି । ନିଜକୁ ଭଲ ନ ଲାଗିବାରୁ ରୋଷଶାଳାରେ ପ୍ରବେଶ କରି ଚୁଲି ଭାଙ୍ଗିଥିବା କହିଛି ଜଗନ । ବୁଧବାର ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଅଭିଯୁକ୍ତ ଜଗନ ମହାପାତ୍ର ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛି । ସେ କହିଛି, ହାତରେ ଚୁଲି ଭାଙ୍ଗିଛି । ରୋଷଶାଳାକୁ ଯାଇଥିଲି ଭୋଗ ଏଣେ ତେଣେ ପଡିଥିଲା । ମନ ଖରାପ ଲାଗିଲା ତେଣୁ ଚୁଲି ଭାଙ୍ଗିଦେଲି । ଚୁଲି ଭାଙ୍ଗି ଭୂଲ କରିଛି ହେଲେ ପାପ କରିନି । ଚୁଲି ଭାଙ୍ଗିବା ପରେ ବାଇଶିପାହାଚ ଓ ସାତପାହାଚ ଦେଇ ବାହାରକୁ ଯାଇଥିଲି । ସେ ଘରେ ଲାଇଟ ଜଳୁଥିଲା । ଲୋକେ ଖାଇବାକୁ ପାଉନାହାନ୍ତି, ଏଠାରେ ଏତେ ଖାଦ୍ୟ ତଳେ ପଡିଥିବା ଦେଖି ବିଚଳିତ ହୋଇ ଚୁଲି ଭାଙ୍ଗିଥିଲି । ଚୁଲିଭାଙ୍ଗିବା ପରେ ବାହାରକୁ ଆସିଲି ଓ ୩ / ୪ଜଣ ଜେଟିପି ବାହାରକୁ ଯିବାକୁ କହିଥିଲେ । ବାହାରକୁ ଆସି ସହରର ବିଭିନ୍ନ ସ୍ଥାନ ବୁଲିଥିଲି ବୋଲି ଜଗନ କହିଛି ।
ଏସ୍ପିଙ୍କ ସୂଚନା ଅନୁଯାୟୀ, ଶନିବାର ଦିନ ଜଗନ ପୁରୀ ଆସିଥିଲା । ଅପରାହ୍ଣରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲା । କିନ୍ତୁ ମନ୍ଦିରରୁ ବାହାରକୁ ଆସି ନ ଥିଲା । ଚୁଲି ଭାଙ୍ଗି ବାହାରକୁ ଆସିବା ପରେ ତାକୁ ଜେଟିପିମାନେ ଦେଖିଥିଲେ । ମନ୍ଦିର ପୁଲିସ ତାକୁ ବାଇଶିପାହାଚ ଦେଇ ବାହାରକୁ ବାହାର କରିଥିଲେ । ସେଠାରୁ ସେ ସମୁଦ୍ରକୂଳକୁ ଯାଇ ସ୍ନାନ କରି ଟ୍ରେନ୍ ଯୋଗେ ନିଜ ଘରକୁ ଫେରିଥିଲା ।
ଚୁଲି ଭଙ୍ଗା ଘଟଣା ପ୍ରଚାର ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚକରି ଜଣେ ଯୁବକକୁ ଚିହ୍ନଟ କରିଥିଲା । ଫୁଟେଜ୍କୁ ତନ୍ନ ତନ୍ନ ଯାଞ୍ଚ କରାଯାଇଥିଲା । ଷ୍ଟେସନ ପରିସରରେ ଜଣେ ବ୍ୟକ୍ତି ଫଟୋ ଦେଖି ସଂପୃକ୍ତ ଯୁବକ ଟ୍ରେନ୍ରେ ଯାଇଥିବା ପୁଲିସକୁ ଜଣାଇଥିଲେ । ଷ୍ଟେସନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ପୁଲିସ ଜଗନକୁ ତା’ ଗାଁରୁ ଧରିଥିଲା । ତାକୁ ପୁରୀ ଅଣାଯାଇ ଜେରା କରାଯିବାରୁ ସେ ଚୁଲି ଭାଙ୍ଗିଥିବା ସ୍ୱୀକାର କରିବା ସହିତ କାରଣ ସଂପର୍କରେ ମଧ୍ୟ ଜଣାଇଛି ।
ରବିବାର ଭୋର୍ରେ ରୋଷଶାଳା ଚୁଲି ଭାଙ୍ଗିଥିବା ଘଟଣା ଲୋକଲୋଚନକୁ ଆସିବାପରେ ତତ୍ପର ହୋଇ ଉଠିଥିଲା ଜିଲ୍ଲା ପ୍ରଶାସନ ଓ ପୁଲିସ । ଘଟଣା ଉପରୁ ପର୍ଦ୍ଦା ହଟାଇବା ପାଇଁ ପୁଲିସ ସକ୍ରିୟ ହେବା ସହ ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *