ଲିଙ୍ଗରାଜଙ୍କ ପାଇଁ ଅଲଗା ମାପକାଠି କାହିଁକି?
ଅଧ୍ୟାଦେଶ ନେଇ ଆପତ୍ତି ପରେ ଉଠିଲା ପ୍ରଶ୍ନ
ଭୁବନେଶ୍ୱର,୬ା୪(ବୁ୍ୟରୋ): ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଛି ବିବାଦ । ଗୃହ ମନ୍ତ୍ରାଳୟ ଏହି ଅଧ୍ୟାଦେଶ ଉପରେ ଆପତ୍ତି ଉଠାଇବା ପରେ ବିଜେଡି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ପରିସ୍ଥିତି ଉପୁଜିଛି । ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । କହିଛନ୍ତି; କାଶୀ ବିଶ୍ୱନାଥ, ସୋମନାଥ ଓ କେଦାରନାଥ କ୍ଷେତ୍ରରେ ଗୋଟିଏ ମାପକାଠି ଲାଗୁ କରାଯାଉଥିବାବେଳେ ଲିଙ୍ଗରାଜଙ୍କ ପାଇଁ ଆଉଏକ ମାପକାଠି କାହିଁକି? କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏହା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।
ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ଲିଙ୍ଗରାଜ ଅଧ୍ୟାଦେଶ ନେଇ ଦୁଇଥର ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି । ଆଉଥରେ ପଚାରିଥିଲେ ଦିଆଯାଇଥାନ୍ତା । ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିପାରିଥାନ୍ତେ କେନ୍ଦ୍ରୀୟ ନେତୃବୃନ୍ଦ । ହେଲେ ତାହା ନ କରି ଅଧ୍ୟାଦେଶ ଉପରେ ରୋକ୍ ଲଗାଇବା ଓଡ଼ିଆଙ୍କ ଭାବାବେଗକୁ କୁଠାରଘାତ କରିଛି । ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ । ଦୟାକରି ଠାକୁର ଠାକୁରଙ୍କ କ୍ଷେତ୍ରରେ ଭେଦଭାବ କରନ୍ତୁ ନାହିଁ । ଓଡ଼ିଶାର ଠାକୁରଙ୍କ ପାଇଁ ଗୋଟିଏ ମାପକାଠି । ଅନ୍ୟ ସ୍ଥାନର ଠାକୁରଙ୍କ ପାଇଁ ଆଉ ଗୋଟିଏ ମାପକାଠି । କାଶୀ ବିଶ୍ୱନାଥ, ସୋମନାଥ ଓ କେଦାରନାଥରେ ହୋଇଥିବା ଉନ୍ନତିମୂଳକ କାମରେ ଆମସର ଆକ୍ଟ ପାଳନ ହୋଇଛି ତ? ଯଦି ସେଠାରେ ଉନ୍ନତିମୂଳକ କାମ ହୋଇପାରୁଛି ତା’ ହେଲେ ଓଡ଼ିଶାରେ ଆଉ ଗୋଟିଏ ମାପକାଠି କାହିଁକି । ଦୟାକରି ଓଡ଼ିଶାର ଠାକୁରଙ୍କ କ୍ଷେତ୍ରରେ ବାଛ ବିଚାର କରନ୍ତୁ ନାହିଁ । ଯେଉଁମାନେ ଏକାମ୍ର ପ୍ରକଳ୍ପ ବନ୍ଦ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମହାଦେବ ସହିବେ ତ ବୋଲି କ୍ଷୋଭର ସହ କହିଛନ୍ତି ଶ୍ରୀ ପଣ୍ଡା ।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କେନ୍ଦ୍ରର ଆଭିମୁଖ୍ୟକୁ ସମାଲୋଚନା କରି କହିଛନ୍ତି, କେନ୍ଦ୍ର ସରକାର ଯାହା କଲେ ବି ଲିଙ୍ଗରାଜ ମନ୍ଦିର ବିକାଶ କାମକୁ ରୋକିପାରିବେ ନାହିଁ ।
ପୂର୍ବରୁ ରାଜ୍ୟ ସରକାର ଏହା ଉପରେ ସ୍ପଷ୍ଟୀକରଣ ରଖିସାରିଛନ୍ତି । ଯଦି ଆଉ କିଛି ସ୍ପଷ୍ଟୀକରଣ ଆବଶ୍ୟକ ଥିଲା, ରାଜ୍ୟ ସରକାରଙ୍କୁ ନ ମାଗି ରାଜ୍ୟପାଳଙ୍କ ଜରିଆରେ କାହିଁକି ମଗାଗଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ରାଉତରାୟ ।
ଅନ୍ୟପକ୍ଷରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି, ପୁରୁଣା ସଂସ୍କୃତି ପରମ୍ପରା ଭାଙ୍ଗିବାରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ନୀତି ନିୟମ ଭିତରେ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାର ଆଦେଶ ଦେଇଛନ୍ତି । ସେଥିପାଇଁ ଏହି ଅଧ୍ୟାଦେଶକୁ ଫେରାଇ ଦେଇଛନ୍ତି । ନୀତି ନିୟମକୁ ଜଳାଞ୍ଜଳି ଦେଇ କାମ କଲେ ଆଗାମୀ ପିଢ଼ି କ୍ଷମା ଦେବନି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ଗୋଟିଏ ସ୍ୱତନ୍ତ୍ର ଆଇନ ପରିସରକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି । ଏଭଳି ଏକ ଅଧ୍ୟାଦେଶ ଆଣିବା ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହଁ ବୋଲି କୁହାଯାଇଛି । ଏହାଫଳରେ କେନ୍ଦ୍ର ପ୍ରଣୀତ ଆଇନ ଓ ରାଜ୍ୟ ସରକାରଙ୍କ ଆଇନ ମଧ୍ୟରେ ବିଭେଦ ସୃଷ୍ଟି ହେବ । ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ସ୍ୱତନ୍ତ୍ର ଆଇନ ଭିତରେ ରଖିବା ଲାଗି ଅଧ୍ୟାଦେଶ ଆଣିଥିଲେ ରାଜ୍ୟ ସରକାର । ଏହାଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ଓ ଆଖପାଖ ମନ୍ଦିରକୁ ଲିଙ୍ଗରାଜ ମନ୍ଦିିର ପରିଚାଳନା ସମିତି ଅଧୀନକୁ ଆଣିଥାନ୍ତେ । ଏନେଇ ଓଡ଼ିଶା ବିଧାନସଭାରେ ଅଧ୍ୟାଦେଶ ପାରିତ ହେବା ପରେ କେନ୍ଦ୍ରକୁ ପଠାଯାଇଥିଲା । ତେବେ ଗୃହ ମନ୍ତ୍ରାଳୟ ଏହି ଅଧ୍ୟାଦେଶର ଅନେକ ଅନୁଚ୍ଛେଦ ଉପରେ ଆପତ୍ତି ଉଠାଇ ଏହା ଉପରେ ରୋକ୍ ଲଗାଇଛି । ଅନ୍ୟପକ୍ଷରେ ଗୃହ ମନ୍ତ୍ରାଳୟ ମାଗିଥିବା ସ୍ପଷ୍ଟୀକରଣ ରାଜ୍ୟ ଆଇନ ବିଭାଗ ପକ୍ଷରୁ ନିକଟରେ ଦିଆଯାଇଥିବା ଜଣାପଡ଼ିଛି ।