ଦାରିଦ୍ର୍ୟ ନିୟନ୍ତ୍ରଣ କରିଛି ଅନ୍ନ ଯୋଜନା
ମୋଦି ସରକାରଙ୍କୁ ଆଇଏମ୍ଏଫ୍ର ପ୍ରଶଂସା
ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ସରକାରଙ୍କ କରୋନା ପରିଚାଳନାଗତ ତ୍ରୁଟିକୁ ନେଇ ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଇଆସୁଥିବା ବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ ଏକ ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କରୋନା କାଳରେ ଭାରତରେ ଉକ୍ରଟ ଦାରିଦ୍ର୍ୟ ପରିସ୍ଥିତି ଉତ୍ପନ୍ନ ହେବା ଆଶଙ୍କାକୁ କିପରି ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମୀଣ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ) ଏଡ଼ାଇବାରେ ସଫଳ ହୋଇଛି ସେସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି ।
ଆଇଏମ୍ଏଫ୍ ରିପୋର୍ଟରେ କରୋନା କାଳରେ ଗରିବ ନାଗରିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଭାରତ ସରକାରଙ୍କ ଅନ୍ନ ଯୋଜନା ସଞ୍ଜିବନୀ ସାବ୍ୟସ୍ତ ହୋଇଥିବା ଦର୍ଶାଯାଇଛି । ଏଥିପାଇଁ ଆଇଏମ୍ଏଫ୍ ପକ୍ଷରୁ ମୋଦି ସରକାରଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି । କରୋନା କାଳରେ ଦେଶର ଗରିବ ନାଗରିକଙ୍କ ପ୍ରତି ମୋଦି ସରକାରଙ୍କ ଏପ୍ରକାର ଯୋଜନା ପ୍ରଣୟନ କରାଯିବା ବାସ୍ତବିକ ପ୍ରଶଂସାଯୋଗ୍ୟ । କରୋନା ଭଳି ଅତ୍ୟନ୍ତ କଷ୍ଟକର ସମୟରେ ଭାରତ ସରକାର ଗରିବ ହିତାଧିକାରୀଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିଲେ, ଯାହାକି ଆଜି ବି କାର୍ଯ୍ୟକାରୀ ହେଉଛି, ଏହା ନିଶ୍ଚିତ ଭାବେ ଭାରତ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅନ୍ତର୍ଜାତୀୟସ୍ତରରେ ପ୍ରତିପାଦିତ କରିଛି । କେବଳ ସେତିକି ନୁହେଁ, ଏହି ଯୋଜନା ଦ୍ୱାରା ଭାରତରେ କରୋନା ଜନିତ ହେବାକୁ ଥିବା ଦାରିଦ୍ର୍ୟ ବୃଦ୍ଧିକୁ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିଛି ।
ଆଇଏମ୍ଏଫ୍ ରିପୋର୍ଟ ଅନୁସାରେ ୨ଠ୧୯ରେ କରୋନା ସଂକ୍ରମଣ ପ୍ରାରମ୍ଭିକ ସ୍ଥିତିରେ ଭାରତର ଦାରିଦ୍ର୍ୟ ହାର ୧% ରହିଥିବା ବେଳେ ୨ଠ୨ଠରେ ମଧ୍ୟ ଏହା ସ୍ଥିର ରହିଥିଲା । ଲକ୍ଡାଉନ୍, ସଟ୍ଡାଉନ୍ ଯୋଗୁ ଅନେକ ଦେଶରେ ଦାରିଦ୍ର୍ୟ ହାର ଅସମ୍ଭାଳ ଭାବେ ବୃଦ୍ଧି ପାଇଥିବା ବେଳେ ଭାରତରେ କିନ୍ତୁ ଏପରି ହୋଇନାହିଁ । ପିଏମ୍ଜିକେୱାଇ ଦେଶର ଦାରିଦ୍ର୍ୟତା ନିୟନ୍ତ୍ରଣରେ ଏକ ସଫଳ ଯୋଜନା ଭାବେ ପ୍ରମାଣିତ ହୋଇଛି । ଉଲ୍ଲେଖଯୋଗ୍ୟ, ମୋଦି ସରକାର ମାର୍ଚ୍ଚ ୨ଠ୨ଠରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍ଏଫ୍ଏସ୍ଏ ଆଇନ୍) ଅନ୍ତର୍ଗତ ଦେଶର ୮ଠ କୋଟି ହିତାଧିକାରୀଙ୍କ ନିମନ୍ତେ ଅତିରିକ୍ତ ନିଶୁଳ୍କ ଖାଦ୍ୟାନ୍ନ ବିତରଣ ଲାଗି ଘୋଷଣା କରିଥିଲେ, ଯାହା ଅଦ୍ୟାବଧି ଜାରି ରହିଛି ।