ଘରୋଇ ଟୁର୍ଣ୍ଣାମେଣ୍ଟରେ ବାୟୋ-ବବଲ୍ ଉଠାଇପାରେ ବିସିସିଆଇ
ମୁମ୍ବାଇ, ୬ା୪ (ଏଜେନ୍ସି): ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ନିଜ ଘରୋଇ ଟୁର୍ଣ୍ଣାମେଣ୍ଟରେ କରୋନା ମହାମାରୀ ସମ୍ପର୍କିତ କଟକଣା ଉଠାଇ ଦେଇପାରେ । ବୋର୍ଡ ନିଜ କୋଭିଡ୍ ପ୍ରୋଟୋକଲ୍କୁ କୋହଳ କରିବା ଆରମ୍ଭ କରି ଦେଲାଣି ।
ବୋର୍ଡ ଏପ୍ରିଲ୍ ମାସରେ ଆରମ୍ଭ ହେବାକୁ ଥିବା ଦୁଇଟି ଟୁର୍ଣ୍ଣାମେଣ୍ଟ ପାଇଁ କ୍ୱାରଣ୍ଟିନ୍ରେ ରହିବାର ବାଧ୍ୟତାକୁ ଉଠାଇ ଦେଇଛି । ଏହା ସହିତ ରହଣି ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏକ ସୂତ୍ରରୁ କୁହାଯାଇଛି ଯେ ବୋର୍ଡ କୁଚ୍ ବିହାର ଟ୍ରଫି ଓ ମହିଳା ବରିଷ୍ଠ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ୟୁନିଟ୍/ ଟିମ୍କୁ ମେଲ୍ ପଠାଇଛି, ଯେଉଁଥିରେ କ୍ୱାରଣ୍ଟିନ୍ ଓ ଆକୋମଡେସନ୍ ସମ୍ପର୍କିତ ନିଦେ୍ର୍ଦଶ ରହିଛି । ଯଦି ସବୁକିଛି ଠିକ୍ଠାକ୍ ଚାଲେ, ତା’ ହେଲେ ଆଗାମୀ ଦିନରେ ବୋର୍ଡ ଆଇପିଏଲ୍ ସମେତ ନିଜ ଘରୋଇ ଟୁର୍ଣ୍ଣାମେଣ୍ଟରେ ବାୟୋ-ବବଲ୍ର ବାଧ୍ୟତାକୁ ମଧ୍ୟ ଉଠାଇ ଦେବ ।
ସମସ୍ତ ରାଜ୍ୟ ୟୁନିଟ୍/ ଟିମ୍କୁ ବିସିସିଆଇ ପକ୍ଷରୁ ଏକ ମେଲ୍ ମିଳିଛି । ଏଥିରେ ଟିମ୍ର କ୍ୱାରଣ୍ଟିନ୍ ପିରିୟଡ୍ରେ ରହିବାର ବାଧ୍ୟତାକୁ ସମାପ୍ତ କରାଯାଇଛି । ଖାଲି ସେତିକି ନୁହେଁ, ଏବେ ହୋଟେଲ୍ର ଗୋଟିଏ କୋଠରିରେ ଏକାଠି ଦୁଇ ଜଣ ଖେଳାଳି ରହି ପାରିବେ । କରୋନା କାଳରେ ଏ ଯାବତ୍ ପ୍ରତି ଖେଳାଳିଙ୍କ ପାଇଁ ଗୋଟିଏ ଅଲଗା ରୁମ୍ ଆଲଟ୍ କରାଯାଉଥିଲା । ନୂଆ ନିଦେ୍ର୍ଦଶ ଅନୁଯାୟୀ ଖେଳାଳି ଭେନୁ୍ୟରେ ପହଞ୍ଚି ଅଭ୍ୟାସ ଆରମ୍ଭ କରି ପାରିବେ । ଏ ଯାବତ୍ ଘରୋଇ ଟୁର୍ଣ୍ଣାମେଣ୍ଟରେ ଟିମ୍ଗୁଡ଼ିକ ପାଇଁ ଅତି କମ୍ରେ ତିନି ଦିନର କ୍ୱାରଣ୍ଟିନ୍ ଅନିବାର୍ଯ୍ୟ ଥିଲା ।
କଟକଣା ଯୋଗୁଁ ମାନସିକ କ୍ଲାନ୍ତିର ଶିକାର ହେଉଥିଲେ ଖେଳାଳି
ଗତ ତିନି ବର୍ଷ ଧରି କରୋନା କଟକଣା ମଧ୍ୟରେ ଜୀବନ ବିତାଇବା ଯୋଗୁଁ ଖେଳାଳି ମାନସିକ କ୍ଲାନ୍ତିର ଶିକାର ହେଉଥିଲେ । ସେମାନଙ୍କୁ ଗୋଟିଏ କୋଠରିରେ ରହିବାକୁ ପଡ଼ୁଥିଲା । ଏହାଦ୍ୱାରା ଖେଳାଳିଙ୍କୁ ଫର୍ମକୁ ଆସିବାକୁ ସମୟ ଲାଗୁଥିଲା । ଏଭଳି ସମୟରେ ଅଭ୍ୟାସ ମିଳୁ ନ ଥିଲା । ସେ ନିଜ ସହଯୋଗୀ ଖେଳାଳିଙ୍କୁ ବି ଭେଟି ପାରୁ ନ ଥିଲେ ।