ତେଲ ଦର ବେଲଗାମ୍
୧୫ ଦିନରେ ୯ଟଙ୍କା ୨୦ପଇସା ମହଙ୍ଗା
ନୂଆଦିଲ୍ଲୀ/ଭୁବନେଶ୍ୱର, ୫ା୪: ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଢୁଛି । ମଙ୍ଗଳବାରକୁ ମିଶାଇ ୧୫ ଦିନ ଭିତରେ ଏହି ଦୁଇ ଇନ୍ଧନର ୧୩ ଥର ମୂଲ୍ୟ ବୃଦ୍ଧି କରାଗଲାଣି । ମଙ୍ଗଳବାର ଅନ୍ୟାନ୍ୟ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ୮୦ପଇସା ବଢିଥିବାବେଳେ ଭୁବନେଶ୍ୱରରେ ୮୫ ପଇସା ବୃଦ୍ଧି କରାଯାଇଛି । ଫଳତଃ ପେଟ୍ରୋଲ ଲିଟର ପିଛା ଦର ୧୧ ଟଙ୍କା ୬୪ ପଇସା ହୋଇଥିବା ବେଳେ ଡିଜେଲ ୧୦୧ ଟଙ୍କା ୩୯ ପଇସାରେ ପହଞ୍ଚôଛି ।
ଏକ ସୂତ୍ର ଅନୁଯାୟୀ ପେଟ୍ରୋଲ-ଡିଜେଲ ଦରବୃଦ୍ଧି ସମ୍ପର୍କରେ ତୈଳ ବିପଣନକାରୀ କମ୍ପାନୀମାନଙ୍କ ନିକଟକୁ ମାର୍ଚ୍ଚ ୨୨ପୂର୍ବରୁ ଏକ ସର୍କୁଲାର ଆସିଥିଲା । ସେଥିରେ ଥରକେ ଅତି ବେଶୀରେ ୧ଟଙ୍କା ଦର ବଢାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହା ଉପରେ ବିଚାରବିମର୍ଶ କରିବା ପରେ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦୈନିକ ଦରବୃଦ୍ଧିର ସୀମା ୮୦ପଇସାରେ ସୀମିତ ରଖି ଆସୁଛନ୍ତି ।
କମୋଡିଟି ବିଶେଷଜ୍ଞଙ୍କ ମତରେ ଯେଉଁ ହିସାବରେ ତୈଳ କମ୍ପାନୀମାନେ ଧୀରେ ଧୀରେ ଦୁଇ ଇନ୍ଧନର ଦର ବଢାଇ ଚାଲିଛନ୍ତି, ତଦ୍ୱାରା ଲୋକଙ୍କ ଉପରେ ଆର୍ଥିକ ବୋଝ ବଢିଚାଲିଛି । ତା’ସହିତ ମହଙ୍ଗା ପରିସ୍ଥିତି ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଅନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ଦର ବଢୁଥିବାବେଳେ ୫ ରାଜ୍ୟ ବିଧାନସଭା ନିର୍ବାଚନ କାରଣରୁ କମ୍ପାନୀମାନେ ପେଟ୍ରୋଲ-ଡିଜେଲ ଦର ସ୍ଥିର ରଖି ବହୁ କ୍ଷତି ସହିଥିଲେ । ତାହାର ଭରଣା ପାଇଁ ଏବେ ଦୈନିକ ଦର ବଢାଇ ଚାଲିଛନ୍ତି ଯାହା ନିକଟ ଭବିଷ୍ୟତରେ କମିବା ଆଶା ନାହିଁ । ଅନ୍ତର୍ଜାତିକ ବଜାରରେ ମଙ୍ଗଳବାର ବ୍ରେଣ୍ଟ କ୍ରୁଡ୍ ଫୁ୍ୟଚର୍ ମୂଲ୍ୟରେ ୧.୫ ପ୍ରତିଶତ ବୃଦ୍ଧି ଘଟିବା ଯୋଗୁଁ ବ୍ୟାରେଲ ପିଛା ଦର ୧୦୯.୧୧ ଡଲାର ହୋଇଛି ।
ମାର୍ଚ୍ଚ ୨୨ରୁ ପେଟ୍ରୋଲ-ଡିଜେଲ ମୂଲ୍ୟବୃଦ୍ଧି ଧାରା ଲାଗି ରହିଛି । ମାର୍ଚ୍ଚ ୨୧ରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ଥିଲା ଯଥାକ୍ରମେ ୧୦୧ ଟଙ୍କା ୮୦ ପଇସା ଓ ୯୧ ଟଙ୍କା ୬୨ ପଇସା । ଏଲ୍ପିଜି ସିଲିଣ୍ଡର ଦାମ୍ ମଧ୍ୟ ୧ ହଜାର ଟଙ୍କାକୁ ଟପିଯାଇଛି । ଏହି କାରଣରୁ ଉକ୍ରଟ ମହଙ୍ଗା ପରିସ୍ଥିତି ଦେଖାଦେଇଛି । ଏହା ବିରୋଧରେ ବିରୋଧୀ ଦଳମାନେ ସଂସଦରେ ମଙ୍ଗଳବାର ପ୍ରଶ୍ନ ଉଠାଇବାରୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଫେଇ ଦେଇ କହିଛନ୍ତି ଦେଶରେ ଏହି ଯେଉଁ ପରିସ୍ଥିତି ହୋଇଛି, ଅନ୍ତର୍ଜାତିକ ବଜାରରେ କ୍ରୁଡ୍ ଦରବୃଦ୍ଧି ତା’ର ମୁଖ୍ୟ କାରଣ । ଅନ୍ୟ ଦେଶ ତୁଳନାରେ ଭାରତରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବିଶେଷ ବଢି ନାହିଁ । ୬ଟି ଦେଶର ଉଦାହରଣ ଦେଇ ମନ୍ତ୍ରୀ କହିଲେ ୨୦୨୧ ଏପ୍ରିଲ୍ରୁ ୨୦୨୨ ମାର୍ଚ୍ଚ ଭିତରେ ଗ୍ୟାାସୋଲିନ୍ (ପେଟ୍ରୋଲ) ଦର ଆମେରିକାରେ ୫୧%, କାନାଡାରେ ୫୨%, ଜର୍ମାନୀ ଓ ୟୁକେରେ ୫୫%, ଫ୍ରାନ୍ସରେ ୫୦% ଓ ସ୍ପେନ୍ରେ ୫୮% ବଢିଛି । ଭାରତରେ କିନ୍ତୁ ମାତ୍ର ୫ ପ୍ରତିଶତ ଦର ବୃଦ୍ଧି କରାଯାଇଛି ।