ମହିଳା ଟିମ୍ରେ ଚାରି ଓଡ଼ିଆ

ଏଫ୍ଆଇଏଚ୍ ପ୍ରୋ ଲିଗ୍ । ନେଦରଲାଣ୍ଡ୍ସ ବିପକ୍ଷ ଡବଲ୍-ହେଡର୍
ଭୁବନେଶ୍ୱର, ୫ା୪ (ବୁ୍ୟରୋ): କଳିଙ୍ଗ ଷ୍ଟାଡିୟମ୍ରେ ବିଶ୍ୱର ନଂ.୧ ନେଦରଲାଣ୍ଡ୍୍ସ ବିପକ୍ଷରେ ହେବାକୁ ଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ଡବଲ୍-ହେଡର୍ ପାଇଁ ମଙ୍ଗଳବାର ହକି ଇଣ୍ଡିଆ ପକ୍ଷରୁ ୨୨ ଜଣିଆ ମହିଳା ଟିମ୍ ଘୋଷଣା କରାଯାଇଛି । ଆଘାତଜନିତ ସମସ୍ୟାରୁ ସୁସ୍ଥ ହୋଇ ତାରକା ଷ୍ଟ୍ରାଇକର ରାଣୀ ରାମପାଲ୍ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗୋଲ୍କିପର୍ ସବିତା ଟିମ୍ର ଅଧିନାୟକତ୍ୱ ଜାରି ରଖିବେ ଏବଂ ଡିଫେଣ୍ଡର୍ ଦୀପ ଗ୍ରେସ୍ ଏକ୍କା ଉପ-ଅଧିନାୟକତ୍ୱ ଦାୟିତ୍ୱ ତୁଲାଇବେ । ଡିଫେଣ୍ଡର୍ ଦୀପ ଗ୍ରେସ୍ଙ୍କ ଛଡ଼ା ଅନ୍ୟତମ ଓଡ଼ିଆ ଭାବେ ଡିଫେଣ୍ଡର୍ ରଶ୍ମିତା ମିଞ୍ଜ୍, ମିଡ୍ଫିଲ୍ଡର୍ ନମିତା ଟପ୍ପୋ ଓ ଫର୍ୱାର୍ଡ ମାରିଆନା କୁଜୁର ମଧ୍ୟ ଟିମ୍ରେ ସ୍ଥାନ ପାଇଛନ୍ତି ।
ଟିମ୍ରେ ଦୁଇ ନୂଆମୁହଁ ଭାବେ ମିଡ୍ଫିଲ୍ଡର ମହିମା ଚୌଧରୀ ଓ ଷ୍ଟ୍ରାଇକର୍ ଐଶ୍ୱର୍ଯ୍ୟା ରାଜେଶ ଚଭନ ବରିଷ୍ଠ ଟିମ୍ରେ ପଦାର୍ପଣ କରିବେ । ଡଚ୍ ଟିମ୍ ବିପକ୍ଷରେ ଶୁକ୍ରବାର ଓ ଶନିବାର ମୁକାବିଲା ହେବ । ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଭାରତୀୟ ମହିଳା ଟିମ୍ ଛଅ ମ୍ୟାଚ୍ରୁ ୧୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପଟେ, ଡଚ୍ ଟିମ୍ ସମାନ ସଂଖ୍ୟକ ମ୍ୟାଚ୍ରୁ ୧୭ ପଏଣ୍ଟ ପାଇ ଟେବୁଲ୍ ଶୀର୍ଷରେ ରହିଛି ।
ଗତବର୍ଷ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନ ହାସଲ କରିଥିବା ଟିମ୍ର ନେତୃତ୍ୱ ନେଇଥିବା ରାଣୀ ସେବେଠାରୁ ବିଭିନ୍ନ ଆଘାତ ଜନିତ, ବିଶେଷକରି ହାମ୍ଷ୍ଟ୍ରିଙ୍ଗ୍ ଯନ୍ତ୍ରଣା ଯୋଗୁଁ ଆଉ ଜାତୀୟ ଟିମ୍ରେ ଖେଳି ପାରି ନ ଥିଲେ । ସେବେଠାରୁ ସେ ବେଙ୍ଗାଲୁରୁସ୍ଥିତ ସାଇ ସାଉଥ୍ ସେଣ୍ଟରଠାରେ ରିହାବିଲିଟେସନ୍ରେ ଥିଲେ ।
ଅନ୍ୟପଟେ, ଭାରତୀୟ ଟିମ୍ ସଲିମା ଟେଟେ, ଶର୍ମିଲା ଦେବୀ ଓ ଲାଲରେମସିଆମୀଙ୍କ ସେବା ପାଇ ପାରିବ ନାହିଁ । ସେମାନେ ଦକ୍ଷିଣ ଆଫ୍ରିକାରେ କନିଷ୍ଠ ମହିଳା ବିଶ୍ୱକପ୍ରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଜାତୀୟ ଚୟନକାରୀମାନେ ତିନି ଜଣ – ଉପାସନା ସିଂହ, ପ୍ରୀତି ଦୁବେ ଓ ଅଲିମ୍ପିଅନ୍ ବନ୍ଦନା କାଟାରିୟାଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖିଛନ୍ତି ।
ଭାରତୀୟ ଟିମ୍ର ମୁଖ୍ୟ କୋଚ୍ ଜାନ୍ନେକେ ସ୍କୋପ୍ମାନ କହିଛନ୍ତି ଯେ ପୂର୍ବ ଟାଇରେ ଜର୍ମାନୀ ବିପକ୍ଷ ପ୍ରଦର୍ଶନରୁ ଭାରତ ମନୋବଳ ହାସଲ କରିବ । ନେଦରଲାଣ୍ଡ୍ସ ଏକ ଦୁର୍ଜୟ ପ୍ରତିଦ୍ୱନ୍ଦ୍ୱୀ । ସେମାନେ ଗତ ସପ୍ତାହାନ୍ତରେ ଆମେରିକା ବିପକ୍ଷରେ ଦେଖାଇ ଦେଇଛନ୍ତି ଯେ ସେମାନେ ସହଜରେ ଗୋଲ୍ କରନ୍ତି ଏବଂ ଦୃଢ଼ ରକ୍ଷଣପନ୍ଥୀ ନେଇ ଖେଳନ୍ତି । ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ପୂର୍ବାପେକ୍ଷା ଉତ୍ତମ ପ୍ରଦର୍ଶନ କରିବ ବୋଲି ଆଶା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *