ଭାଙ୍ଗିବ ଶ୍ରୀଲଙ୍କା ସରକାର!

କଲମ୍ବୋ, ୫ା୪: ଭୀଷଣ ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କାର ରାଜପକ୍ଷେ ସରକାର ସଂଖ୍ୟାଲଘୁ ହୋଇପଡିଛି । ତେଣୁ ଖୁବ୍ ଶୀଘ୍ର ମେଣ୍ଟ ସରକାର ଭାଙ୍ଗି ଯିବ । ମଙ୍ଗଳବାର ସୁଦ୍ଧା ୫୫ ଜଣ ସାଂସଦ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ନବନିଯୁକ୍ତ ଅର୍ଥମନ୍ତ୍ରୀ ଅଲୀ ସାବରୀ ମଧ୍ୟ ମଙ୍ଗଳବାର ପଦତ୍ୟାଗ କରିଛନ୍ତି । ସେ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ନ୍ୟାୟ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ । ସଂଖ୍ୟା ଗରିଷ୍ଠତା ହରାଇବା ସତ୍ତ୍ୱେ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ଓ ତାଙ୍କ ବଡ଼ଭାଇ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି । ଫଳତଃ ରାଜପକ୍ଷେ ସରକାର ବିରୋଧରେ ଦେଶବ୍ୟାପୀ ବିଦ୍ରୋହ ତେଜି ଉଠିଛି । ଏପରିକି କ୍ରିକେଟ୍ରମାନେ ଏକଜୁଟ୍ ହୋଇ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଶ୍ରୀଲଙ୍କା ସଂସଦର ମୋଟ୍ ସଦସ୍ୟ ସଂଖ୍ୟା ୨୨୫ । ସହଯୋଗୀ ଦଳର ସାଂସଦଙ୍କୁ ମିଶାଇ ରାଜପକ୍ଷେ ସରକାରଙ୍କ ପକ୍ଷରେ ଥିଲେ ୧୫୭ ସାଂସଦ । ସରକାରୀ ଦଳର ୪୧ ଓ ମେଣ୍ଟ ଦଳଗୁଡିକର ୧୪ ସାଂସଦ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି ।
ଦେଶର ଆର୍ଥିକ ସଙ୍କଟ ଚରମ ସ୍ତରକୁ ଯାଇଥିବାରୁ ନରୱେ, ଇରାକ୍, ଅଷ୍ଟ୍ରେଲିଆ ପ୍ରଭୃତି ଦେଶରେ ଥିବା ଦୂତାବାସ ଓ ବାଣିଜ୍ୟ ଦୂତାବାସଗୁଡିକୁ ବନ୍ଦ କରି ଦିଆଗଲା ବୋଲି ଶ୍ରୀଲଙ୍କା ସରକାର ଘୋଷଣା କରିଛନ୍ତି ।
କେବଳ ସ୍ୱାଧୀନ ସାଂସଦମାନଙ୍କ ସମର୍ଥନ ଥିବା ସତ୍ତ୍ୱେ ସରକାର ସଂଖ୍ୟା ଲଘୁ ହୋଇପଡିଥିବାରୁ ରାଷ୍ଟ୍ରପତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଏଣିକି ସହଜ ହେବ ନାହିଁ ।
୧୯୪୮ରେ ଶ୍ରୀଲଙ୍କା ବ୍ରିଟିଶ୍ ଶାସନରୁ ମୁକ୍ତ ହେବା ପରଠାରୁ ବର୍ତ୍ତମାନ ଭଳି ଆର୍ଥିକ ସଙ୍କଟ କେବେ ବି ଦେଖାଦେଇନଥିଲା । ଦେଶର ମୁଦ୍ରା ଡଲାର ତୁଳନାରେ ୩୦୦କୁ ଟପି ଯାଇଛି । ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାର ଶୂନ୍ୟ ହୋଇଗଲାଣି । ଏବେ ସରକାର ସଂଖ୍ୟା ଲଘୁ ହୋଇପଡିଥିବାରୁ ପରିସ୍ଥିତି ଆଗକୁ ଆହୁରି ଜଟିଳ ହେବ । ରାଷ୍ଟ୍ରପତି ରାଜପକ୍ଷେ ସବୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସରକାରରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । କିନ୍ତୁ ବିରୋଧୀ ଦଳମାନେ ଏହି ପ୍ରିସ୍ତାପରେ ରାଜି ହୋଇ ନାହାନ୍ତି । ସେମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି । ଶ୍ରୀଲଙ୍କାର ଆର୍ଥିକ ଦୁଃସ୍ଥିତି ଉପରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏନ୍ଏଫ୍) ତୀକ୍ଷ୍ଣ ନଜର ରଖିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *