ପୁଲିସ୍ ପାଖରେ ରହିବ ଅଭିଯୁକ୍ତଙ୍କ ଡିଏନ୍ଏ

ନୂଆଦିଲ୍ଲୀ, ୫ା୪: ଅପରାଧିକ ପ୍ରକି୍ରୟା (ପରିଚୟ) ଅଧିନିୟମ ୨୦୨୨ ମଙ୍ଗଳବାର ସନ୍ଧ୍ୟାରେ ଲୋକସଭାରେ ଧ୍ୱନିମତରେ ପାସ୍ ହୋଇଛି । ବିରୋଧୀ ଦଳମାନେ କିନ୍ତୁ ଏହି ବିଲ୍କୁ ଅସାମ୍ବିଧାନିକ ଓ ମାନବାଧିକାର ବିରୋଧୀ କହି ସଂସଦୀୟ କମିଟି କିମ୍ବା ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ଦାବି କରିଛନ୍ତି । ଏହାର ଜବାବ୍ରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ବିଲ୍କୁ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯିବ ।
ମୋଦି ସରକାରଙ୍କ ପକ୍ଷରୁ ଆଗତ ଏହି ବିଲ୍ ଆଇନରେ ପରିଣତ ହେଲେ ୧୨୦ ବର୍ଷର ପୁରୁଣା ଅପରାଧୀ ପରିଚୟ ଆଇନ ବଦଳିଯିବ । ଉକ୍ତ ଆଇନ ୧୯୨୦ ମସିହାରେ ପ୍ରଣୀତ ହୋଇଥିଲା । ନୂଆ ବିଲ୍ ଅଧିନିୟମ ଅନୁଯାୟୀ ସରକାର ଅଭ୍ୟାସଗତ ଅପରାଧୀ, ଗିରଫ ହୋଇଥିବା ଅଭିଯୁକ୍ତ ପ୍ରଭୃତିଙ୍କ ସମ୍ପର୍କରେ ପୂର୍ବାପେକ୍ଷା ଅଧିକ ତଥ୍ୟ ସଂଗ୍ରହ କରି ରଖିପାରିବେ । ଏହା ବଳରେ ଗିରଫ ବ୍ୟକ୍ତି ତଥା ଅପରାଧୀମାନଙ୍କ ରେଟିନା, ଆଇରିସ୍ ସ୍କାନ୍ର ବାୟୋଲଜିକାଲ୍ ସାମ୍ପଲ୍, ରକ୍ତ ନମୂନା, ଫଟୋଗ୍ରାଫ, ହସ୍ତାକ୍ଷର ପ୍ରଭୃତି ସଂଗ୍ରହ କରି ସେ ସବୁର ବିଶ୍ଳେଷଣ ପାଇଁ ପୁଲିସ୍ ଓ ଜେଲ୍ ଅଧିକାରୀମାନଙ୍କୁ ସିଧାସଳଖ ଅନୁମତି ମିଳିବ ।
ପ୍ରଚଳିତ (୧୯୨୦ ମସିହାର) ଆଇନରେ କେବଳ ମାଜିଷ୍ଟ୍ରେଟ୍ଙ୍କ ଆଦେଶ ଅନୁସାରେ ପୁଲିସ୍ ଅଧିକାରୀମାନେ ଅପରାଧୀମାନଙ୍କ ଟିପଚିହ୍ନ, ପାଦଚିହ୍ନ (ଫୁଟ୍ପି୍ରଣ୍ଟ୍) ଓ ଫଟୋଗ୍ରାଫ ନେଇପାରିବା ବ୍ୟବସ୍ଥା ଅଛି । ପୁରୁଣା ଆଇନରେ କେବଳ ଅପରାଧୀ ଘୋଷିତ କିମ୍ବା ଗିରଫ ହୋଇଥିବା ବ୍ୟକ୍ତି କିମ୍ବା ବର୍ଷେ ଜେଲ୍ ଦଣ୍ଡାଦେଶ ପାଇଥିବା ବ୍ୟକ୍ତିମାନଙ୍କ ଏ ସବୁ ନମୁନା ମାଜିଷ୍ଟ୍ରେଟ୍ଙ୍କ ଅନୁମତିକ୍ରମେ ସଂଗ୍ରହ କରାଯାଉଛି । ନୂଆ ଆଇନ ଆସିଲେ ପୁଲିସ୍ ବଳପୂର୍ବକ ଉକ୍ତ ତଥ୍ୟ ଗୁଡିକୁ ସଂଗ୍ରହ କରିପାରିବ ।
ପୁଲିସ୍ ରେକର୍ଡରେ ଏହି ସବୁ ତଥ୍ୟ ୭୫ ବର୍ଷ ପର୍ଯ୍ୟନ୍ତ ସଂଗ୍ରକ୍ଷିତ ରହିବ । ଡାଟା ସଂରକ୍ଷଣ ଦାୟିତ୍ୱ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବୁ୍ୟରୋ ଉପରେ ନ୍ୟସ୍ତ କରାଯିବ ।
ସୋମବାର ଗୃହମନ୍ତ୍ରୀ ଶ୍ରୀ ଶାହା ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରିବା ସମୟରେ ନୂଆ ଆଇନର ଦୁରୁପଯୋଗ ହେବ ନାହିଁ ବୋଲି ଗୃହକୁ ପ୍ରତିଶ୍ରୁତି ଦେଇଥିଲେ । ବିରୋଧୀ ସାଂସଦମାନଙ୍କ ଉଦେ୍ଦଶ୍ୟରେ ସେ କହିଥିଲେ ଯେଉଁମାନେ ମାନବାଧିକାରର ଦ୍ୱାହି ଦେଉଛନ୍ତି ସେମାନେ ପୀଡ଼ିତମାନଙ୍କ ଅଧିକାର ସମ୍ପର୍କରେ ଚିନ୍ତା କରିବା ଉଚିତ । ଏହି ବିଲ୍ ଆଣିବାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଅପରାଧୀ ବିରୋଧରେ ପ୍ରମାଣ ଗୁଡ଼ିକୁ ଦୃଢ଼ କରିବା । ଏହା ଦ୍ୱାରା ଦୋଷସିଦ୍ଧି ହାର ବଢ଼ିବ । ଆଇନର ଶାସନରେ ଅପରାଧୀମାନଙ୍କୁ କଠୋର ଦଣ୍ଡ ଦିଆଯାଇପାରିବ ।
ପ୍ରସ୍ତାବିତ ଆଇନକୁ ସବୁ ବିରୋଧୀ ଦଳ ଅସାମ୍ବିଧାନିକ ତଥା ମାନବାଧିକାର ବିରୋଧୀ ବୋଲି ଆଖ୍ୟା ଦେଇଛନ୍ତି । କଂଗ୍ରେସ, ଡିଏମ୍କେ, ଟିଏମ୍ସି ପ୍ରଭୃତି ଦଳମାନଙ୍କ ମତରେ ଏହି ବିଲ୍ ସମ୍ବିଧାନର ଅନୁଚ୍ଛେଦ ୧୪, ୧୯ ଓ ୨୧ର ଉଲ୍ଲଙ୍ଘନ କରୁଛି । କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି ଏହି ବିଲ୍ ଅତ୍ୟନ୍ତ କଠୋର ଓ ନାଗରିକବିରୋଧୀ । ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ସବୁ ଅଭିଯୁକ୍ତ ନିଦେ୍ର୍ଦାଷ – ଏହି ସିଦ୍ଧାନ୍ତକୁ ବିରୋଧ କରୁଛି ମୋଦି ସରକାରଙ୍କ ନୂଆ ବିଲ୍ । ବିଲ୍ରେ ଥିବା ବ୍ୟବସ୍ଥା ଗୁଡ଼ିକ ବହୁତ ଅସ୍ପଷ୍ଟ । ତେଣୁ ରାଜ୍ୟସରକାର ଓ ପୁଲିସ୍ ତରଫରୁ ଏହା ଦୁରୁପଯୋଗ ଆଶଙ୍କା ରହିଛି । ଡିଏମ୍କେ ସାଂସଦ ଦୟାନିଧି ମାରନ୍ କହିଛନ୍ତି ଲୋକଙ୍କ ବିରୋଧରେ ଏହି ବିଲ୍ ଅଣାଯାଇଛି ଯାହା ସଙ୍ଘବାଦ ଭାବନାର ଉଲ୍ଲଙ୍ଘନ କରୁଛି । କେନ୍ଦ୍ର ସରକାର ଉକ୍ତ ବିଲ୍ ମାଧ୍ୟମରେ ସର୍ଭିଲାନ୍ସ ବ୍ୟବସ୍ଥା ପ୍ରଚଳନ କରିବାକୁ ଚାହୁଁଛନ୍ତି । ତଦ୍ୱାରା ଲୋକଙ୍କ ପି୍ରଭେସିର ଉଲ୍ଲଙ୍ଘନ ହେବ । ଟିଏମ୍ସି ସାଂସଦ ମହୁଆ ମୋଇତ୍ରାଙ୍କ ମତରେ ଡାଟା ସୁରକ୍ଷା ଆଇନ ନ ଥିବାବେଳେ ପ୍ରସ୍ତାବିତ ଆଇନରେ ଏ ସମ୍ବନ୍ଧୀ ବ୍ୟବସ୍ଥା ଗୁଡ଼ିକ ନଗନ୍ୟ । ନୂଆ ଆଇନ ଦ୍ୱାରା ନିଦେ୍ର୍ଦାଷ ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟତାର ହନନ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *