ବିଷାକ୍ତ ବାୟୁ ବଳୟରେ ୯୯% ଲୋକ
ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଦିନକ ପୂର୍ବରୁ ହୁ’ର ଚାଞ୍ଚଲ୍ୟକର ରିପୋର୍ଟ
ଜେନିଭା (ଏଜେନ୍ସି): ପୃଥିବୀ ପୃଷ୍ଠରେ ବଢ଼ୁଥିବା ଶିଳ୍ପୋଦ୍ୟୋଗ, ଗାଡ଼ିମଟର ଚଳାଚଳ ଏବଂ ସର୍ବୋପରି ମାତ୍ରାଧିକ ଅଙ୍ଗାରକାମ୍ଳ (କାର୍ବନ ଡାଇଅକ୍ସାଇଡ୍) ଏବଂ ଯବକ୍ଷାରଜାନ (ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍) ନିର୍ଗମନ ଯୋଗୁ ବାୟୁମଣ୍ଡଳ ଏବେ ଦିନକୁ ଦିନ ଅଧିକ ବିଷାକ୍ତ ହେବାରେ ଲାଗିଛି । ଏହାକୁ ନେଇ ସବୁମହଲରେ ଉଦ୍ବେଗ ପ୍ରକାଶ ପାଉଥିଲେ ମଧ୍ୟ ଏଦିଗରେ ସ୍ଥାୟୀ ପ୍ରତିକାର ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହାଦ୍ୱାରା ବିଶ୍ୱ ତାପାୟନ ବୃଦ୍ଧି ପାଇବା ସହ ଜଳବାୟୁ ବା ବାର୍ଷିକ ଋତୁଚକ୍ର ମଧ୍ୟ ପ୍ରଭାବିତ ହେବାରେ ଲାଗିଛି । ତେବେ ଏସବୁ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ଗବେଷଣାଭିତ୍ତିକ ରିପୋର୍ଟ ପ୍ରକାଶ ପାଇଛି, ଯାହାକି ବେଶ୍ ଆଶ୍ଚର୍ଯ୍ୟଜନକ ।
ରିପୋର୍ଟ ଅନୁସାରେ ବିଶ୍ୱର ସମୁଦାୟ ଜନସଂଖ୍ୟାର ପ୍ରାୟ ୯୯% ଲୋକ ସମ୍ପ୍ରତି ବିଷାକ୍ତ ପବନରେ ଶ୍ୱାସକ୍ରିୟା କରୁଛନ୍ତି । ଅର୍ଥାତ ସମଗ୍ର ବିଶ୍ୱରେ ଏବେ ୭୯୭ କୋଟି ଲୋକ ଦୈନିକ ପ୍ରଦୂଷିତ ପବନ ବା ପରିବେଶ ମଧ୍ୟରେ ଶ୍ୱାସକ୍ରିୟା କରୁଛନ୍ତି । ଏହାଦ୍ୱାରା ଆଗାମୀ ଦିନରେ ସମଗ୍ର ବିଶ୍ୱରେ ହୃଦ୍ଘାତ ତଥା ବ୍ରେନ୍ ହାମ୍ରେଜ୍ ଭଳି ସମସ୍ୟା ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି । ପ୍ରକାଶ, ଆସନ୍ତା ୭ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ହେବ । ଏହାର ଠିକ୍ ଦୁଇ ଦିନ ପୂର୍ବରୁ ହୁ’ ପକ୍ଷରୁ ଏପ୍ରକାର ରିପୋର୍ଟ ପ୍ରକାଶ ପାଇବା ସମସ୍ତଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ହେବା ଦିଗରେ ପ୍ରୟାସ କରିବା ଦିଗରେ ଚିନ୍ତା କରିବାକୁ ବାଧ୍ୟ କରିଛି ।
ବିଶ୍ୱର ୧୧୭ ଦେଶର ୬ହଜାରରୁ ଊଦ୍ଧ୍ୱର୍ ସହରରେ ସାମ୍ପ୍ରତିକ ପବନ (ବାୟୁ) ଗୁଣବତ୍ତା ଉପରେ ହୁ’ ପକ୍ଷରୁ ଗବେଷଣା କରାଯାଇଥିଲା । ଏଥିରୁ ଅଧିକାଂଶ ଦେଶରେ ବାୟୁ ଗୁଣବତ୍ତା (ଏୟାର କ୍ୱାଲିଟି) ଅତ୍ୟନ୍ତ ଖରାପ ସ୍ତରରେ ରହିଥିବା ପ୍ରମାଣ ମିଳିଛି । ଅର୍ଥାତ୍ ଏସବୁ ସହରରେ ବସବାସ କରୁଥିବା ଲୋକ ଦୈନିକ ଶ୍ୱାସକ୍ରିୟାରେ ବିଷାକ୍ତ ବାୟୁକୁ ନିଜ ଶରୀର ମଧ୍ୟକୁ ନେବାକୁ ବାଧ୍ୟ ହେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହା ସ୍ୱାଭାବିକ ପ୍ରତୀତ ହେଉଥିଲେ ମଧ୍ୟ ଆଗାମୀ ଦିନରେ ଏହା ଅତ୍ୟନ୍ତ ଭୟାବହ ରୂପ ଧାରଣ କରିବ । ଲୋକଙ୍କ ଠାରେ ହୃଦ୍ଘାତ ତଥା ବ୍ରେନ୍ ହାମ୍ରେଜ୍ ଭଳି ସମସ୍ୟା ବୃଦ୍ଧି ପାଇବ । କେବଳ ସେତିକି ନୁହେଁ, ଆସ୍ଥମା, ଏବଂ ଅନ୍ୟ ଶ୍ୱାସକ୍ରିୟାଜନିତ ରୋଗ ମଧ୍ୟ ଦେଖିବାକୁ ମିଳିବ । ବିଷାକ୍ତ ବାୟୁରେ ପାର୍ଟିକୁଲେଟ୍ ମ୍ୟାଟର (ପିଏମ୍) କଣିକା ରହିଥାଏ ଯାହାକି ମଣିଷ ଶ୍ୱାସକ୍ରିୟା ଦ୍ୱାରା ନିଜ ଶରୀରମଧ୍ୟକୁ ଯାଇଥାଏ । ଏହା ମୁଖ୍ୟତଃ ମଣିଷ ଶରୀରର ଫୁସ୍ଫୁସ୍କୁ ପ୍ରଭାବିତ କରିଥାଏ । ମୁଖ୍ୟତଃ ଗରିବ ତଥା ମଧ୍ୟବିତ୍ତ ଆର୍ଥିକ ସ୍ଥିତି ଥିବା ଦେଶଗୁଡ଼ିକର ଲୋକମାନଙ୍କ କ୍ଷେତ୍ରରେ ଏପ୍ରକାର ସମସ୍ୟା ଅଧିକ ବୃଦ୍ଧି ପାଇବ ବୋଲି ହୁ’ ନିଜ ରିସର୍ଚ୍ଚ ରିପୋର୍ଟରେ ଦର୍ଶାଇଛି । ଛୋଟ ଛୋଟ ପିଲାମାନଙ୍କ ଠାରେ ଆସ୍ଥମା ଭଳି ସମସ୍ୟା ଦେଖାଯିବା ବାୟୁମଣ୍ଡଳରେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ର ମାତ୍ରା ରହିଥିବାର ଏକ ବଳିଷ୍ଠ ପ୍ରମାଣ । ହୁ’ ଅନୁସାରେ ସମ୍ପ୍ରତି ସମଗ୍ର ବିଶ୍ୱରେ ୨ଠଲକ୍ଷ ରୋଗୀ କେବଳ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଦ୍ୱାରା ପୀଡିତ ଥିବା ଚିହ୍ନଟ ହୋଇଛନ୍ତି । ଏତଦ୍ବ୍ୟତୀତ ପ୍ରତ୍ୟେକ ବର୍ଷ ଏମାନଙ୍କ ସଂଖ୍ୟା ୮.୫% ଅନୁସାରେ ବୃଦ୍ଧି ପାଇବାରେ ଲାଗିଛି ।