ଆମଠୁ ପର୍ଯ୍ୟାପ୍ତ ତେଲ କିଣୁଛି

ସତ ଲୁଚାଉଛି ଆମେରିକା
ମସ୍କୋ(ଏଜେନ୍ସି): ୟୁକ୍ରେନ୍ ସହ ଯୁଦ୍ଧର ଦ୍ୱାହି ଦେଇ ଆମ ଠାରୁ ତେଲ କ୍ରୟ ନ କରିବା ପାଇଁ ଆମେରିକା, ଭାରତ ଉପରେ ଚାପ ପ୍ରୟୋଗ କରୁଛି । ସେହିପରି ଅନ୍ୟ ଦେଶମାନଙ୍କୁ ନାଲିଆଖି ଦେଖାଉଛି । କିନ୍ତୁ ନିଜେ ଆମ ଠାରୁ ବ୍ୟାପକ ମାତ୍ରାରେ ତେଲ କିଣି ନିଜର ତୈଲ ଭଣ୍ଡାର ଗଚ୍ଛିତ କରିବାରେ ଲାଗିଛି । ଆମେରିକା ସମ୍ପର୍କରେ ଏପ୍ରକାର ଏକ ସାଂଘାତିକ ଅଭିଯୋଗ କରିଛନ୍ତି ରୁଷ୍ ସୁରକ୍ଷା ପରିଷଦର ଉପସଚିବ ମିଖାଇଲ ପୋପୋଭ୍ । ପୋପୋଭ୍ ଏଠାରେ ଗଣମାଧ୍ୟମକୁ କେତେକ ପ୍ରଶ୍ନର ଉତ୍ତର ଦେବା ପ୍ରସଙ୍ଗରେ ଏପ୍ରକାର ସୂଚନା ଦେଇଛନ୍ତି । ମିଖାଇଲ୍ କହିଛନ୍ତି, ଆମେରିକା ଗତ ଏକ ସପ୍ତାହ ମଧ୍ୟରେ ରୁଷ୍ ଠାରୁ ଅଶୋଧିତ ତୈଳ କ୍ରୟରେ ୪୩% ବୃଦ୍ଧି କରିଛି । ଅର୍ଥାତ୍ ଆମେରିକା ରୁଷଠୁ ପ୍ରତିଦିନ ଏକ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ କିଣୁଛି । ତେବେ ଆମେରିକା ପ୍ରତି ମିଖାଇଲ୍ଙ୍କ ଏପ୍ରକାର ଅଭିଯୋଗ ପ୍ରମାଣ ଆଧାରିତ ନା ଫାଙ୍କା ଅଭିଯୋଗ ତାହା ସ୍ପଷ୍ଟ ହୋଇନାହିଁ । ରୁଷୀୟ ଗଣମାଧ୍ୟମରେ ମିଖାଇଲ୍ଙ୍କ ଏପ୍ରକାର ମନ୍ତବ୍ୟକୁ ଚୀନ୍ର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସ ରିପୋର୍ଟ ପ୍ରଚ୍ଛଦପଟ୍ଟରେ ପ୍ରକାଶ କରିଛି ।
ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁସାରେ ମିଖାଇଲ୍ କହିଛନ୍ତି, ୟୁରୋପୀୟ ଦେଶଗୁଡ଼ିକ ଆମେରିକାର ଏପ୍ରକାର ଦୋମୁହାଁ ନୀତି ସମ୍ପର୍କରେ ଭଲଭାବେ ଅବଗତ ହେବା ଉଚିତ୍ । କେବଳ ତୈଳ କ୍ରୟ ନୁହେଁ ବରଂ ଆମେରିକା ସରକାର ନିଜ ଦେଶର କମ୍ପାନୀଗୁଡିଙ୍କୁ ମଧ୍ୟ ରୁଷ୍ଠୁ ଖଣିଜ ଉର୍ବରକ ଏବଂ ଅନ୍ୟ ଜରୁରି ସାମଗ୍ରୀ ମଧ୍ୟ କିଣିବାକୁ ଅନୁମତି ପ୍ରଦାନ କରିଛି । ପ୍ରକାଶ, ଆମେରିକା ସମେତ ସମଗ୍ର ୟୁରୋପୀୟ ସଂଘୀୟ ରାଷ୍ଟ୍ରଗୁଡ଼ିକ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ପାଇଁ ରୁଷ୍ ଉପରେ ମାତ୍ରାଧିକ ନିର୍ଭରଶୀଳ । ତେବେ ୟୁକ୍ରେନ୍ ସହ ରୁଷ୍ର ଯୁଦ୍ଧ ପର ଠାରୁ ରୁଷ୍ ଉପରେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ବିଭିନ୍ନ କଟକଣା ଜାରି କରିବା ଆରମ୍ଭ କରିଦେଇଛନ୍ତି । ମୁଖ୍ୟତଃ ରୁଷ୍ ଠାରୁ ତୈଳ କ୍ରୟ ଉପରେ କଟକଣା ଲଗାଇବା ପାଇଁ ସବୁ ଦେଶଙ୍କ ଉପରେ ଏମାନେ ଚାପ ପ୍ରୟୋଗ କରୁଛନ୍ତି ।
ରୁଷ୍ ଠାରୁ ଶସ୍ତାରେ ଅଶୋଧିତ ତୈଳ କ୍ରୟ କରି ସେସବୁକୁ ନିର୍ଦ୍ଧାରିତ (ଉଚ୍ଚ) ମୂଲ୍ୟରେ ୟୁରୋପୀୟ ଦେଶଗୁଡ଼ିକୁ ବିକ୍ରି କରି ଆର୍ଥିକସ୍ତରରେ ଅଧିକରୁ ଅଧିକ ଲାଭବାନ ହେବାକୁ ଆମେରିକା ଚିନ୍ତା କରିଥାଇପାରେ । କାରଣ ଏହାଦ୍ୱାରା ସମଗ୍ର ୟୁରୋପର ଅର୍ଥ ଆମେରିକାକୁ ଯାଉଛି ଏବଂ ୟୁରୋ ତୁଳନାରେ ଡଲାର ମଜବୁତ୍ ହେବାରେ ଲାଗିଛି । ଆମେରିକା ଏପ୍ରିଲ ୨୨ ସୁଦ୍ଧା ରୁଷ୍ ଠାରୁ ଅଶୋଧିତ ତୈଳ ଏବଂ କୋଇଲା ଆମଦାନୀ ପ୍ରକ୍ରିୟାକୁ ବନ୍ଦ କରିବ ବୋଲି ଘୋଷଣା କରିସାରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *