ୱାର୍ଡ ଦାୟିତ୍ୱ ନେଇ କାମ କର
ନିଗମ ପ୍ରଶାସକଙ୍କୁ ଭେଟିଲେ ନୂଆ କର୍ପୋରେଟର
ବ୍ରହ୍ମପୁର(ବୁ୍ୟରୋ): ବ୍ରହ୍ମପୁର ମହାନଗର ନିଗମର ମେୟର ଓ କର୍ପୋରେଟର ନିର୍ବାଚନ ସରିଛି । ଆସନ୍ତା ୮ତାରିଖରେ ମେୟରଙ୍କ ସହ କର୍ପୋରେଟରଗଣ ଶପଥ ଗ୍ରହଣ କରିବେ । ଏହା ଭିତରେ କିଏ ଡେପୁଟି ମେୟର ହେବ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ୩୦ ଟି ୱାର୍ଡର ବିଜୟୀ କର୍ପୋରେଟର ଗଣ ନିଗମ ପ୍ରଶାସକ ତଥା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭେଟିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କୁ କର୍ପୋରେଟରମାନେ ପୁଷ୍ପଗୁଚ୍ଛ ଦେଇ କୃତଜ୍ଞତା ଜଣାଇଥିଲେ ।
ନିଜ ଅଞ୍ଚଳର ସମସ୍ୟାକୁ ବୁଝି ସମାଧାନ ଦିଗରେ ଗୁରୁତ୍ୱ ଦେବା ପାଇଁ କର୍ପୋରେଟରଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଯୋଗୁଁ ବ୍ରହ୍ମପୁର ସହର ସରସ ସୁନ୍ଦର ହେବା ସହ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି । ଏହାକୁ ବଳବତ୍ତର ରଖିବା ସହ ସୌନ୍ଦର୍ଯ୍ୟକରଣ, ରାସ୍ତା, ଡ୍ରେନ, ଆଲୋକୀକରଣ, ପରିମଳ ପ୍ରଭୃତି ଦିଗରେ କର୍ପୋରେଟରମାନେ ଯେପରି ସ୍ୱତଃପ୍ରବୃତ୍ତ ଭାବେ ଜଡ଼ିତ ରହିବେ ସେ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହରର ଉନ୍ନତୀକରଣ ଦାୟତ୍ୱ ନେବା ପରଠାରୁ ଲାଗି ରହିଥିବା ଦୀର୍ଘ ଦିନର ଜଳ ସମସ୍ୟା ଦୂର ହୋଇଛି ବୋଲି ବିଧାୟକ ଶ୍ରୀ ପଣ୍ଡା କହିଥିଲେ । ଜାତୀୟ ସ୍ତରରେ ସହରକୁ ରଖିବା ପାଇଁ ରାମଲିଙ୍ଗେଶ୍ୱର ପାର୍କ, ସ୍ପୋର୍ଟସ୍ ଏରିନା, ସ୍ମାର୍ଟ ରୋଡ୍ ଆଦି କାର୍ଯ୍ୟ ଚାଲୁ ରହିଛି । ଆଗାମୀ ଦିନରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବ୍ୟାଡ୍ମିଣ୍ଟନ କୋର୍ଟ, ଭଲିବଲ, ବାସ୍କେଟ ବଲ୍, କ୍ରିକେଟକୁ ଅଗ୍ରାଧିକାର ଦେବା ପାଇଁ ମଧ୍ୟ ଯୋଜନା ରହିଛି । ଆଗାମୀ ଦିନରେ ବିଶ୍ୱସ୍ତରରେ ରକ୍ ଗାର୍ଡେନ ମଧ୍ୟ ମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ଭେଟି ଦେବେ ।
ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଯୋଗୁଁ ଚଳିତ ମହାନଗର ନିଗମ ନିର୍ବାଚନରେ ବିଜୁ ଜନତା ଦଳର ମେୟରଙ୍କ ସମେତ ୪୨ଟି ୱାର୍ଡରୁ ୩୦ଟି ୱାର୍ଡରେ ବିଜୁ ଜନତା ଦଳର କର୍ପୋରେଟର ପ୍ରାର୍ଥୀ ଏକତରଫା ବିଜୟ ହାସଲ କରିଛନ୍ତି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପ୍ରଶାସନଙ୍କ ସହ ମିଶି ବ୍ରହ୍ମପୁର ସହରକୁ ସରସ ସୁନ୍ଦର କରିବା ସହ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେବା ନେଇ ସମସ୍ତେ ମିଳିମିଶି କାମ କରିବା ବୋଲି ବିଧାୟକ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ ।