ଦଳ ପାଇଁ ଆଗାମୀ ସମୟ ଚାଲେଞ୍ଜପୂର୍ଣ୍ଣ

କଂଗ୍ରେସ ସଂସଦୀୟ ଦଳ ବୈଠକରେ ସୋନିଆଙ୍କ ଗୁରୁମନ୍ତ୍ର
ନୂଆଦିଲ୍ଲୀ (ଏଜେନ୍ସି): କଂଗ୍ରେସ ପାଇଁ ଆଗକୁ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତି ଉତ୍ପନ୍ନ ହେବ । ପୂର୍ବ ସମୟ ତୁଳନାରେ ଏହା ଅତ୍ୟନ୍ତ କଠିନତମ ସାବ୍ୟସ୍ତ ହୋଇପାରେ । ସିଧାସଳଖ କହିଲେ ଆଗାମୀ ସମୟ ଆମ ପାଇଁ ଅଗ୍ନିପରୀକ୍ଷା ଠାରୁ କୌଣସି ଗୁଣରେ କମ୍ ନୁହେଁ । ତେବେ ଏପରି ଏକ କଠିନ ସମୟକୁ ଆମ ସମସ୍ତଙ୍କୁ ସାମ୍ନା କରିବାକୁ ହେବ । ଦଳକୁ ସାଂଗଠନିକସ୍ତରରେ ସୁଦୃଢ଼ କରିବା ଦିଗରେ ଦଳର ପ୍ରତ୍ୟେକ ନେତା, କର୍ମୀଙ୍କୁ ଏକଜୁଟ୍ ହୋଇ କାମ କରିବାକୁ ହେବ । ଚିନ୍ତନ ଶିବିର ଆୟୋଜନ ପୂର୍ବକ ଦଳର ରୋଡ୍ମ୍ୟାପ୍ ବା ରଣନୀତି ପ୍ରସ୍ତୁତ କରାଯିବ । ମଙ୍ଗଳବାର ଅନୁଷ୍ଠିତ ହୋଇଥିବା କଂଗ୍ରେସ ସଂସଦୀୟ ଦଳର ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ଦଳୀୟ କର୍ମୀମାନଙ୍କୁ ଏପ୍ରକାର ପରାମର୍ଶ ଦେଇଛନ୍ତି ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସାଂସଦ ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।
ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳଗତ ନୈରାଶ୍ୟଜନକ ପ୍ରଦର୍ଶନ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ସୋନିଆ ଦଳର ପ୍ରତ୍ୟେକ କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ୫ ରାଜ୍ୟ ନିର୍ବାଚନରେ ଦଳୀୟ ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ଏଥିପାଇଁ ଦଳରେ ନିରୁତ୍ସାହ ସ୍ପଷ୍ଟ ପ୍ରତୀତ ହେଉଛି । ବାସ୍ତବରେ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଆଶ୍ଚର୍ଯ୍ୟଜନକ । ତେବେ ଏବେ ସମୟ ଆସିଯାଇଛି, ପଛକଥାକୁ ଭୁଲି ସମସ୍ତଙ୍କୁ ଆଗକୁ ବଢ଼ିବାକୁ ହେବ । ଦଳକୁ ସାଂଗଠନିକସ୍ତରରେ ସୁଦୃଢ଼ କରିବା ପାଇଁ ଯାହା ବି କରିବାକୁ ହେବ କରିବା ଏଭଳି ଚିନ୍ତାଧାରାକୁ ଉଜାଗର କରିବାକୁ ହେବ । ଏହି ଅବସରରେ କଂଗ୍ରେସ ଉପରୁ ବିଶ୍ୱାସ ତୁଟାଇ ଅନ୍ୟ ଦଳରେ ସାମିଲ ହୋଇଥିବା ନେତାମାନଙ୍କୁ ମଧ୍ୟ ସୋନିଆ ପରୋକ୍ଷରେ ସମାଲୋଚନା କରିଛନ୍ତି । ଏତଦ୍ବ୍ୟତୀତ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀର ଆଖ୍ୟା ହାସଲ କରିଥିବା ଜି-୨୩ ନେତାମାନଙ୍କୁ ମଧ୍ୟ ସୋନିଆ ସମାଲୋଚନା କରିଛନ୍ତି । ଆମେ ପରସ୍ପର ମଧ୍ୟରେ ଲଢ଼େଇ କରିବା, ଦଳରେ ବିଦ୍ରୋହ ସୃଷ୍ଟି କରିବା ଆଦି ବନ୍ଦ କରି ଦଳକୁ କିପରି ପୁଣିଥରେ ସଶକ୍ତ କରିପାରିବା ସେଦିଗରେ ପ୍ରୟାସ କରିବା ଉଚିତ୍ । ଦଳୀୟ ନେତାଙ୍କୁ ସବୁ ସ୍ତରରେ ଏକାଠି ହେବାର ଆବଶ୍ୟକ ରହିଛି । ଆମମାନଙ୍କ ପ୍ରତିବଦ୍ଧତା, ସମର୍ପଣ ଓ ଧୈର୍ଯ୍ୟ, ବର୍ତ୍ତମାନ ଏକ ଘଡ଼ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ସମୟ ଏବେ ଆମ ସମସ୍ତଙ୍କ ଏକତା ଚାହୁଁଛି । ଆମେ ଏକଜୁଟ୍ ହୋଇପାରିଲେ କଂଗ୍ରେସ ପୁଣିଥରେ ସଶକ୍ତ ହୋଇ ଉଠିବ ଏବଂ ଦେଶସେବାରେ ନିଜକୁ ବ୍ରତୀ କରିପାରିବ ।
ସୋନିଆଙ୍କ କହିବାନୁସାରେ ବିଜେପି ସରକାର ଦେଶରେ ସାମ୍ପ୍ରଦାୟିକତା ଆଧାରରେ ବିଭାଜନ ରାଜନୀତିକୁ ପ୍ରୋତ୍ସାହିତ କରୁଛି । ସେହିପରି ବିଜେପି ସରକାର ସମୟରେ ଦେଶରେ ଅହେତୁକ ଦରଦାମ୍ ବୃଦ୍ଧି, ଇନ୍ଧନ ମୂଲ୍ୟ ବୃଦ୍ଧି ଶ୍ରମ ଆଇନ୍କୁ ଦୁର୍ବଳ କରାଯିବା, ସରକାରୀ ସମ୍ପତ୍ତିଗୁଡ଼ିକୁ ଘରୋଇକରଣ, ବେରୋଜଗାରୀ ହାର ବୃଦ୍ଧି ଭଳି ପ୍ରସଙ୍ଗକୁ କଦାକି ଅଣଦେଖା କରାଯାଇପାରିବନାହିଁ । ଦେଶର ସ୍ୱାର୍ଥ ଦୃଷ୍ଟିକୋଣରୁ ଏପରି ଶକ୍ତି ବିରୋଧରେ ଆମକୁ ଛିଡା ହେବାକୁ ହେବ ଓ ସେମାନଙ୍କୁ ସାମ୍ନା କରିବାକୁ ହେବ । ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅକ୍ଷୂଣ୍ଣ ରଖିବା ପାଇଁ କଂଗ୍ରେସ ନିଜର ପୁରୁଣା ଲୟକୁ ଫେରିବା ଅତ୍ୟନ୍ତ ଜରୁରି ହୋଇପଡିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *