ଜେଟିପିଙ୍କ ଲାଗି ଶ୍ରୀମନ୍ଦିର ବଦନାମ

ପୁରୀ (ବୁ୍ୟରୋ): ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଶାଳା ଚୁଲି ଭଙ୍ଗାଯିବା ଘଟଣାକୁ ୩ ଦିନ ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ଦୁର୍ବୃତ୍ତଙ୍କୁ ଠାବ କରିବାରେ ସଫଳ ହୋଇପାରିନି । ଅନ୍ୟପକ୍ଷରେ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବାରେ ଲାଗିଛି ପ୍ରଶାସନ । ମହାପ୍ରଭୁଙ୍କ ରୋଷଶାଳା ଚୁଲି ଭଙ୍ଗାଯିବା ଭଳି ଏକ ସମ୍ବେଦନଶୀଳ ଘଟଣାକୁ ପ୍ରଶାସନ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିବା ସହ ଗଣମାଧ୍ୟମକୁ ଦାୟିତ୍ୱହୀନ ମନ୍ତବ୍ୟ ପ୍ରଦାନ କରୁଛି । ଫଳରେ ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଶାଳା ଅସୁରକ୍ଷିତ । ଶ୍ରୀମନ୍ଦିର କେତେ ସୁରକ୍ଷିତ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ସ୍ପର୍ଶକାତରତା ଘଟଣାରେ ମଙ୍ଗଳବାର ଜଣଙ୍କୁ ଅଟକ ରଖିବା ସହ ୪ ଜେଟିପିଙ୍କୁ ପଚରାଉଚରା ଜାରି ରହିଛି । ଓଲଟି ଦୁର୍ବୃତ୍ତଙ୍କ ଫଟୋକୁ ପୁଲିସ ଧରି ଖୋଜିବା ସହ ସହରର ବିଭିନ୍ନ ଛକମାନଙ୍କରେ ଲୋକଙ୍କୁ ଉକ୍ତ ଫଟୋ ଦେଖାଇ ଚିହ୍ନିଛ ବୋଲି ବୁଝୁଛି । ପୁଲିସ ସହରରେ ଆଜି ଦିନତମାମ ଏଭଳି କାର୍ଯ୍ୟକୁ ସାଧାରଣରେ ଲୋକେ ଗ୍ରହଣ କରିପାରୁ ନାହାନ୍ତି । ସେହିପରି ପୁଲିସ ମଧ୍ୟ ବିଭିନ୍ନ ସେବାୟତଙ୍କୁ ଡାକି ସିଂହଦ୍ୱାର କମ୍ପୁ୍ୟଟରରେ ଦୁର୍ବୃତ୍ତର ଫଟୋକୁ ଦେଖାଉଛି । ହେଲେ ପୁଲିସର ଏଭଳି କାର୍ଯ୍ୟକୁ ନେଇ ଅଗଣିତ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି ରୋଷଶାଳା ଚୁଲି ଭଙ୍ଗା ଘଟଣାର ତଦନ୍ତ ଦିଗହରା ହେବ ବୋଲି ଆଶାପ୍ରକଟ କରିଛନ୍ତି ।
ଏ ସମ୍ପର୍କରେ ଏସ୍ପି କନୱାର ବିଶାଲ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଘଟଣାରେ ଜଣଙ୍କୁ ଅଟକ ରଖିବା ରଖାଯାଇଛି । ହେଲେ ସେ ସେବାୟତ କିମ୍ବା ବାହାର ଲୋକ ତାହା ସ୍ପଷ୍ଟ ହୋଇପାରି ନାହିଁ । ସିସିଟିଭିର ଦୃଶ୍ୟକୁ ଦୃଷ୍ଟିରେ ରଖି ୪ ଜେଟିପି କର୍ମଚାରୀଙ୍କୁ ନୋଟିସ୍ ଜାରି କରାଯାଇଛି । ଦୁର୍ବୃତ୍ତଙ୍କୁ ଗିରଫ କରିବା ଲାଗି ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ ଶ୍ରୀମନ୍ଦିର ସୁରକ୍ଷା ଲାଗି ରାତିରେ ଜେଟିପିଙ୍କୁ ମୁତୟନ କରାଯାଇଥିବା ବେଳେ ସେମାନଙ୍କ ଅବହେଳା ଯୋଗୁ ଆଜି ଶ୍ରୀମନ୍ଦିର ବଦ୍ନାମ ହୋଇଛି । କେବେ ପୁଲିସ ଉକ୍ତ ଘଟଣା ଉପରୁ ପରଦା ହଟେଇବାରେ ସଫଳ ହେଉଛି ତା’ ଉପରେ ଅଗଣିତ ଭକ୍ତଙ୍କ ନଜର ।
ପ୍ରମାଣ ସତ୍ତ୍ୱେ ହାତ ବାନ୍ଧି ବସିଛି ପୁଲିସ
ଶ୍ରୀମନ୍ଦିରର ରୋଷଶାଳା ଚୁଲି ଭାଙ୍ଗିବା ଘଟଣାରେ ମଙ୍ଗଳବାର ପୁଲିସକୁ ମିଳିଛି ସୁରାକ୍ । ପ୍ରଥମ ସିସିଟିଭିରେ ଜଣେ ଦୁର୍ବୃତ୍ତଙ୍କୁ ଠାବ କରିବା ସହ ଅଟକ ରଖିଛି । ଦ୍ୱିତୀୟ ସିସିଟିଭିରେ ୪ ଜେଟିପିଙ୍କୁ ଚିହ୍ନ କରାଯାଇ ପଚରାଉଚରା କରାଯାଉଛି । ହେଲେ ୪ଜଣ ଜେଟିପି ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତକୁ ବାଇଶି ପାହାଚରେ ଆଣି ଛାଡୁଥିବା ଦୃଶ୍ୟ କଏଦୀ ହୋଇଥିବା ବେଳେ ପୁଲିସ ଚୁପ୍ ବସିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଗୋଟିଏ ପଟେ ପୁଲିସ ୪ ଜେଟିପିଙ୍କୁ ଚିହ୍ନଟ କରି ନୋଟିସ୍ ଜାରି କରିଥିବା ବେଳେ ସେମାନଙ୍କଠାରୁ ତଥ୍ୟ ହାତେଇବାରେ ବିଳମ୍ବ ହେବା ଘଟଣା ପୁଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ପ୍ରମାଣ ସତ୍ତ୍ୱେ ପୁଲିସ ଘଟଣାର ଖୁଲାସା କରିବା ପରିବର୍ତ୍ତେ ହାତବାନ୍ଧି ବସିବାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
ଜେଟିପି ଭୂମିକା ନେଇ ଉଠିଲା ପ୍ରଶ୍ନବାଚୀ
ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବା ପରେ କେବଳ ଶ୍ରୀମନ୍ଦିର ପରିସରରେ ଜେଟିପିମାନେ ଡୁ୍ୟଟିରେ ମୁତୟନ ରହିଥାନ୍ତି । ସିସିଟିଭିରୁ ମିଳିଥିବା ତଥ୍ୟ ଅନୁଯାୟୀ ସେହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ୪ଜଣ ଜେଟିପି ଆଣି ବାଇଶିପାହାଚରେ ଛାଡୁଥିବା ଦେଖିବାକୁ ମିଳିଛି । ହେଲେ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ଶ୍ରୀମନ୍ଦିର ପରିସରରେ କିଭଳି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ରହିଥିଲେ ନାଁ ତାଙ୍କୁ କାର୍ଯ୍ୟ କରିବାକୁ ସହଯୋଗ କରାଯାଇଥିଲା । ତାହାକୁ ନେଇ ଆଲୋଚନା ଜୋର୍ ଧରିଛି । ଅନ୍ୟପକ୍ଷରେ ରୋଷଶାଳାକୁ କେବଳ ସୁଆର-ମହାସୁଆର ଓ ଜେଟିପି ଯିବା ଲାଗି ଅନୁମତି ରହିଥିବା ବେଳେ ଚୁଲି ଭଙ୍ଗାଯିବା ସମୟରେ ଡୁ୍ୟଟିରେ ଥିବା ଜେଟିପିମାନେ କିଭଳି ଜାଣିପାରିଲେ ନାହିଁ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଳରେ ଉକ୍ତ ଦିନ ଶ୍ରୀମନ୍ଦିର ପରିସରରେ ଡୁ୍ୟଟିରେ ଥିବା ଜେଟିପି ଓ ଦୁର୍ବୃତ୍ତଙ୍କ ମଧ୍ୟରେ ସଲାସୁତୁରା ହୋଇ ଏଭଳି କାର୍ଯ୍ୟ ହୋଇଥିବା ଆଲୋଚନା ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *