୧୧୨ ନଂରେ ମିଳିବ ୩ ସେବା
ଆରମ୍ଭ ହେଲା ୧୦୬ଟି ଏମର୍ଜେନ୍ସି ରେସପନ୍ସ ସେବା
କଟକ(ବୁ୍ୟରୋ): ରାଜ୍ୟରେ ଜରୁରୀକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପୁଲିସର ମିଳିତ ଆନୁକୂଲ୍ୟରେ ସାରା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୦୬ ଏମରଜେନ୍ସି ରେସପନ୍ସ ଭେଇକିଲ (ଇଆରଭି)ର ଶୁଭାରମ୍ଭ କରାଯାଇଛି । ଏହି ନୂଆ ସେବାର ଉଦେ୍ଦଶ୍ୟ ହେଉଛି ନାଗରିକମାନଙ୍କ ଅସୁବିଧା ଗୁଡ଼ିକୁ ଏକ ଅଧିକ ସମନ୍ୱିତ ଢ଼ଙ୍ଗରେ ସମାଧାନ କରିବା । କଟକ ସ୍ଥିତ ଓଏସଏପି ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ୧୦୬ଟି ଏମରଜେନ୍ସି ରେସପନ୍ସ ଭେଇକିଲ (ଇଆରଭି)ର ଶୁଭାରମ୍ଭ କରିଛନ୍ତି ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା । ବିଭିନ୍ନ ଜରୁରୀକାଳୀନ ସେବା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଓ ବିଭିନ୍ନ ଆବଶ୍ୟକତା ପାଇଁ ଅଲଗା ଅଲଗା ଜରୁରୀକାଳୀନ ନମ୍ବରରେ ଯୋଗାଯୋଗ କରିବାର ଦ୍ୱନ୍ଦକୁ ହ୍ରାସ କରିବାର ଏକ ପ୍ରୟାସ ଭାବେ ଏହି ନୂଆ ପଦକ୍ଷେପ ରାଜ୍ୟର ଲୋକଙ୍କ ପାଇଁ ସାମଗ୍ରିକ ସମାଧାନ ପ୍ରଦାନ କରିବ । ଏହି ନୂଆ ୧୧୨ ଏମରଜେନ୍ସି ରେସପନ୍ସ ବାହନଗୁଡ଼ିକ ଗୋଟିଏ ପିସିଆର ଭ୍ୟାନ ଭଳି ସମାନ ଭାବେ କାର୍ଯ୍ୟ କରିବ । ଏହାକୁ ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ପରିଚାଳନା କରିବା ଲାଗି ଭ୍ୟାନଗୁଡ଼ିକୁ ଜିଆଇଏସ ଓ ଜିପିଏସ ଭଳି ଆଧୁନିକ ବ୍ୟବସ୍ଥାରେ ସୁସଜ୍ଚିତ କରାଯାଇଛି ।
ଏହି ନୂଆ ପ୍ରୟାସ ଦ୍ୱାରା ଅପରାଧ, ବିଶୃଙ୍ଖଳା କାର୍ଯ୍ୟ କିମ୍ବା ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଓ ପ୍ରଭାବଶାଳୀ ଭାବେ ସହାୟତା ପ୍ରଦାନ କରିବ । ଏନେଇ ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା କହିଛନ୍ତି, ଆମେରିକାର ୯୧୧ ଭଳି ଆମର ଗୋଟିଏ ନମ୍ବର ୧୧୨ରେ ଓଡ଼ିଶାରେ ଜରୁରୀକାଳୀନ ସମୟରେ ପୁଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଯାନ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଓ କଟକ କମିଶନରେଟ ପୁଲିସ ପାଇଁ ୭ଟି ଲେଖାଏଁ ଗାଡ଼ି ପ୍ରଦାନ କରାଯାଇଛି । ସେହିଭଳି ପ୍ରତି ଜିଲ୍ଲା ଓ ପ୍ରମୁଖ ସହର ପାଇଁ ୩ଟି କରି ଗାଡ଼ି ପ୍ରଦାନ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୫୦ଟି ଯାନର ଶୁଭାରମ୍ଭ ଖୁବ୍ ଶୀଘ୍ର କରାଯିବା ବ୍ୟବସ୍ଥା କରାଯାାଉଛି । ଏହି ଗାଡ଼ିଗୁଡ଼ିକ ଏକା ସଙ୍ଗେ ତିନି ପ୍ରକାର ଜରୁରୀକାଳୀନ ସେବା ପ୍ରଦାନ କରିବେ ବୋଲି ଶ୍ରୀ ଛାବ୍ରା କହିଛନ୍ତି । ରାଜ୍ୟରେ ୧୧୨ ଇଆରଭି ପରିଚାଳନା କମ୍ପାନୀ, ଚିକିତ୍ସା ହେଲ୍ଥକେୟାର ଲିମିଟେଡ, ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ପୂର୍ବରୁ ଓଡ଼ିଶା ସରକାର ପୁଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସେବାଗୁଡ଼ିକୁ ଏମରଜେନ୍ସି ରେସପନ୍ସ ସପର୍ଟ ସିଷ୍ଟମ (ଇଆରଏସଏସ) ଅଧୀନକୁ ଆଣିବା ଲାଗି ଏକ ସାମଗ୍ରିକ ଜରୁରୀକାଳୀନ ହେଲପଲାଇନ ନମ୍ବର ୧୧୨ର ଶୁଭାରମ୍ଭ କରିଛନ୍ତି । ଏହି ନୂଆ ୧୦୬ ଟି ଇଆରଭିର ଶୁଭାରମ୍ଭ ୧୧୨ ସେବାକୁ ଆହୁରି ମଜବୁତ କରିବ । ଏହି ପଦକ୍ଷେପ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ଓ ରାଜ୍ୟର ୪.୩ କୋଟି ଜନତାଙ୍କୁୂ ଠିକ୍ ସମୟରେ ସହାୟତା ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବ । ଅନ୍ୟ ଜରୁରୀକାଳୀନ ସେବାଗୁଡ଼ିକ ପରି ଏହି ସେବା ମଧ୍ୟ ରାଜ୍ୟର ସମସ୍ତ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ । ଉଦ୍ଘାଟନୀ ଅବସରରେ ସ୍ୱତନ୍ତ୍ର ଡ଼ିଜିପି ଅରୁଣ ରାୟ, ଆଡିସନାଲ ଡିଜି ରାଧା କିଶନ ଶର୍ମା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ବହୁ ବରିଷ୍ଠ ପୁଲିସ ଅଫିସର ଉପସ୍ଥିତ ଥିଲେ ।