ନର୍ସିଂ କୋର୍ସରେ ଯୌତୁକର ଗୁଣଗାନ

ନୂଆଦିଲ୍ଲୀ, ୪ା୪: ଭାରତରେ ଯୌତୁକ ପ୍ରଥା ବେଆଇନ୍ ଘୋଷିତ ହେବା ସହ ଯୌତୁକ ନିର୍ଯାତନା ରୋକିବା ପାଇଁ କଠୋର ଆଇନ ପ୍ରଣିତ ହୋଇଥିବାବେଳେ ନର୍ସିଂ କାଉନ୍ସିଲ୍ ପାଠ୍ୟକ୍ରମରେ ଯୌତୁକ ପ୍ରଥାକୁ ମହିମାମଣ୍ଡିତ କରାଯାଇଛି । ସମ୍ପୃକ୍ତ ବିଷୟଟିକୁ ଯଥାଶୀଘ୍ର ପାଠ୍ୟକ୍ରମରୁ ହଟାଇ ଦେବାପାଇଁ ଦାବି ଉଠିଛି । ଶିବସେନା ନେତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସମ୍ପୃକ୍ତ ପୁସ୍ତକର ଏକ ପୃଷ୍ଠାର ଫଟୋ ଟ୍ୱିଟରରେ ସେୟାର କରି ଲେଖିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାର କଥା ଯେ ଏ ପ୍ରକାର ପୁସ୍ତକଗୁଡ଼ିକୁ ଏବେ ପାଠ୍ୟକ୍ରମରେ ସାମିଲ କରାଯାଉଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରିୟଙ୍କା ଚତୁର୍ବେଦୀ ଉକ୍ତ ପୁସ୍ତକଟିକୁ ସିଲାବସ୍ରୁ ବାଦ୍ ଦେବା ପାଇଁ ଦାବି କରିଛନ୍ତି ।
ଚତୁର୍ବେଦୀ ଯେଉଁ ପୃଷ୍ଠା (ଅଧ୍ୟାୟ ୬, ପୃଷ୍ଠା ୨୨)ର ଫଟୋ ସେୟାର କରିଛନ୍ତି ସେଥିରେ ବିବାହ ସମୟରେ ଯୌତୁକ ଦିଆଯିବାର ଲାଭ ଓ କ୍ଷତି ସୂଚୀବଦ୍ଧ କରାଯାଇଛି । ଚତୁର୍ବେଦୀଙ୍କ ଏହି ପୋଷ୍ଟ ସୋସାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସୋସାଲ୍ ମିଡ଼ିଆରେ ଚର୍ଚ୍ଚା ହେଉଛି ଯେ, ଏ ପ୍ରକାର ବହିକୁ ପାଠ୍ୟକ୍ରମରେ ସ୍ଥାନ ଦିଆଯିବା ଅତ୍ୟନ୍ତ ଗର୍ହିତ କାର୍ଯ୍ୟ । ଏହାଦ୍ୱାରା ଯୁବ ପିଢ଼ି ଓ ସମାଜକୁ କି ପ୍ରକାର ବାର୍ତ୍ତା ଦେବାର ପ୍ରୟାସ ହେଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ନର୍ସିଂ କୋର୍ସର ସମାଜଶାସ୍ତ୍ର ପାଠ୍ୟକ୍ରମ ମଧ୍ୟରେ ସ୍ଥାନ ପାଇଥିବା ‘ଯୌତୁକର ଯୋଗ୍ୟତା’ ଶୀର୍ଷକ ବିଷୟରେ ଯୌତୁକର ଗୁଣଗାନ ସହିତ ଦୋଷ ଦର୍ଶାଇ ଅଧ୍ୟାୟଟିକୁ ସମ୍ପୂର୍ଣ୍ଣ କରାଯାଇଛି । ସେଥିରେ ଉଲ୍ଲେଖ ଅଛି ଯେ, ଯୌତୁକ ବ୍ୟବସ୍ଥାକୁ ଖୁବ୍ ନିନ୍ଦା କରାଯିବା ସହ ଏହି ପ୍ରକାର ପ୍ରଥା ସମାଜ ପାଇଁ କଳଙ୍କ ବୋଲି କୁହାଯାଉଥିଲେହେଁ ଏହାର ଅନେକ ସକାରାତ୍ମକ ଦିଗ ଅଛି । ପ୍ରଥମତଃ, ବିବାହ ବେଳେ ବରଘରକୁ କନ୍ୟା ଯୌତୁକ ଆକାରରେ ଖଟ, ଗଦି, ଟିଭି, ଫ୍ୟାନ୍, ଫ୍ରିଜ୍, ବାସନକୁସନ, ଲୁଗାପଟା ଓ ଯାନବାହନ ଆଣିବା ଦ୍ୱାରା ବରଘର ସମୃଦ୍ଧ ହୋଇଥାଏ । ଦ୍ୱିତୀୟତଃ, ଯୌତୁକ ଆଣି କନ୍ୟା ପୈତୃକ ସମ୍ପତ୍ତିରୁ ଭାଗ ପାଇଥାଏ । ତୃତୀୟତଃ, ଯୌତୁକ ଯୋଗୁ ନାରୀ ଶିକ୍ଷାରେ ପ୍ରଗତି ଘଟୁଛି । ଯୌତୁକ ବୋଝରୁ ତ୍ରାହି ପାଇବା ପାଇଁ ଅନେକ ପିତାମାତା ସେମାନଙ୍କ କନ୍ୟା ସନ୍ତାନକୁ ଶିକ୍ଷିତ କରାଉଛନ୍ତି । ଝିଅ ପାଠପଢ଼ି ଚାକିରି କଲେ ବର ପକ୍ଷ କମ୍ ଯୌତୁକ ମାଗିବେ । ସୁତରାଂ ଯୌତୁକ ପ୍ରଥା ପରୋକ୍ଷରେ ସମାଜର ଉପକାର କରୁଛି । ସର୍ବୋପରି, ଯୌତୁକ ବଳରେ ଅସୁନ୍ଦରୀ ଝିଅମାନେ ବାହା ହୋଇପାରୁଛନ୍ତି । ଅଧିକ ଯୌତୁକ ଲୋଭରେ ସୌମ୍ୟଦର୍ଶନ ବା କୁରୂପ ଯୁବକମାନେ ଅସୁନ୍ଦରୀ ଝିଅଙ୍କୁ ବାହା ହେବାକୁ ରାଜି ହେଉଛନ୍ତି ।
ପୁସ୍ତକଟି ନର୍ସିଂ କାଉନସିଲ୍ କୋର୍ସ ପାଇଁ ଲେଖାଯାଇଛି । ବହିର ଲେଖିକା ଟି କେ ଇନ୍ଦ୍ରାଣୀ, ପ୍ରକାଶକ ଜେପି ବ୍ରଦର୍ସ ମେଡିକାଲ୍ ପବ୍ଲିଶର୍ସ ପ୍ରାଇଭେଟ୍ ଲିମିଟେଡ୍, ନୂଆଦିଲ୍ଲୀ । ଏହାର ପ୍ରଚ୍ଛଦ ପୃଷ୍ଠାରେ ଭାରତୀୟ ନର୍ସିଂ ପରିଷଦ ପାଠ୍ୟକ୍ରମ ଅନୁସାରେ ଏହା ପ୍ରକାଶିତ ବୋଲି ଉଲ୍ଲେଖ ଅଛି ।
ମହାରାଷ୍ଟ୍ରର ଶୈକ୍ଷିଣିକ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ଶିକ୍ଷାବିତ୍ ବହିଟିକୁ ଅବିଳମ୍ବେ ବଜାରରୁ ପ୍ରତ୍ୟାହାର କରିନିଆଯାଉ ବୋଲି ଦାବି କରିଛନ୍ତି । ଅପରପକ୍ଷେ ପ୍ରକାଶକ କହିଛନ୍ତି ଲେଖିକା ଅଧ୍ୟାୟଟିକୁ ହଟାଇବା ସପକ୍ଷରେ ନଥିବାରୁ ବହିରେ ପରବର୍ତ୍ତୀ ସଂସ୍କରଣରୁ ତାହାକୁ ବାଦ୍ ଦିଆଯିବ ।
ଉଲ୍ଲେଖଯୋଗ୍ୟ ଯେ, ଛଅ ବର୍ଷ ପୂର୍ବେ ମହାରାଷ୍ଟ୍ରରେ ଅନୁରୂପ ଘଟଣା ଘଟିଥିଲା । ହାଇସ୍କୁଲ ପାଠ୍ୟପୁସ୍ତକରେ ଯୌତୁକର ଉପକାରିତା ଶୀର୍ଷକ ଏକ ବିଷୟ ସ୍ଥାନ ପାଇଥିବାରୁ ଖୁବ୍ ହଟ୍ଟଗୋଳ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *