ଦେଶକୁ ଦରକାର ରାହୁଲ ଗାନ୍ଧୀ
ଡେରାଡ଼ୁନ୍ (ଏଜେନ୍ସି): ଜାତୀୟ ରାଜନୀତି କ୍ଷେତ୍ରରେ କଂଗ୍ରେସର ସ୍ଥିତି ଏବେ ଭାସମାନ ନୌକା ଭଳି ହୋଇପଡିଛି କହିଲେ ଅତୁ୍ୟକ୍ତି ହେବନି । କଂଗ୍ରେସ ଉପରେ ଏବେ ଦେଶବାସୀଙ୍କ ବିଶ୍ୱାସ ତୁଟିଯାଇଛି ବୋଲି ମଧ୍ୟ ରାଜନୀତିଜ୍ଞମାନେ ସିଧାସଳଖ କହିବାକୁ ପଶ୍ଚାତ୍ପଦ ହେଉନାହାନ୍ତି । ବିଶେଷକରି ଗତ ୧ଠବର୍ଷ ମଧ୍ୟରେ କଂଗ୍ରେସର ପ୍ରଦର୍ଶନ ଏକ ସାଧାରଣ ରାଜନୈତିକ ଦଳ ତୁଳନାରେ ମଧ୍ୟ ନୈରାଶ୍ୟଜନକ ରହିବା ଦେଖିବାକୁ ମିଳିଛି । ସ୍ଥିତି ଏପରି ହୋଇଛି ଯେ, ଅଣବିଜେପି ଦଳଗୁଡ଼ିକ ଏବେ ଯେତେବେଳେ ବିଜେପି ବିରୋଧୀ ମଞ୍ଚ ଗଠନ ପାଇଁ ପ୍ରସ୍ତୁତ ହେଉଛନ୍ତି ସେତେବେଳେ କଂଗ୍ରେସକୁ ଏଥିରୁ ବାଦ୍ ଦେବାକୁ ମଧ୍ୟ ଚିନ୍ତା କରୁଛନ୍ତି । କଂଗ୍ରେସର ଏପ୍ରକାର ସ୍ଥିତି ପାଇଁ କେତେକାଂଶରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ନେତା ରାହୁଲ ଗାନ୍ଧୀଙ୍କୁ କେତେକାଂଶରେ ଦାୟୀ ଭାବେ ପ୍ରଦର୍ଶିତ କରାଯାଉଛି । ନିର୍ବାଚନୀ ରାଲିରେ ରାହୁଲ ଆଗ ପଛ ବିଚାର ନକରି ମତ ମନ୍ତବ୍ୟ ଦେବା, ସଂସଦରେ ପିଲାଳିଆମୀ ଆଚରଣ ପ୍ରଦର୍ଶନ କରିବା ଆଦିକୁ ଦେଶବାସୀ ଅତ୍ୟନ୍ତ ସତର୍କତାର ସହ ଦେଖୁଥିବା ବେଳେ ରାହୁଲ ଯେ ଜଣେ ଅପରିପକ୍ୱ ନେତା, ଏପରି ଭାବନା ଦେଶବାସୀଙ୍କ ମନରେ ଘର କରିନେଇଛି । ସୁତରାଂ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ରାହୁଲ କିଛି କହିଲେ ତାହାକୁ ଦେଶବାସୀ କିମ୍ବା ସରକାରୀ ଦଳ ଗୁରୁତର ଭାବେ ଗ୍ରହଣ କରୁନଥିବା ଦେଖିବାକୁ ମିିଳୁଛି । ଯଦି ସୋସିଆଲ ମିଡିଆ ଟ୍ରେଣ୍ଡ୍ ଅନୁସାରେ କହିବା ଦେଶବାସୀଙ୍କ ଦୃଷ୍ଟିକୋଣରେ ରାହୁଲ ଜଣେ ପପ୍ପୁ ବା ଛୋଟ ପିଲା ।
ଏସବୁ ସତ୍ତ୍ୱେ ରାହୁଲଙ୍କ ଲୋକପ୍ରିୟତା, ବିଶ୍ୱାସନୀୟତା ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ଡେରାଡୁନ୍ର ପୁଷ୍କା ମଞ୍ଜିଆଲ ନାମକ ଜଣେ ୭୮ବର୍ଷୀୟା ବୃଦ୍ଧା ନିଜର ସବୁ ସମ୍ପତ୍ତି (୫ଠ ଲକ୍ଷ ଟଙ୍କାର ସମ୍ପତ୍ତି ଏବଂ ୧ଠ ତୋଳା) ଏବେ ରାହୁଲଙ୍କ ନାମରେ କରିଦେଇଛନ୍ତି । ପୁଷ୍ପା, ଉତ୍ତରାଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରୀତମ୍ ସିଂହଙ୍କୁ ଡେରାଡୁନ୍ ସ୍ଥିତ ବାସଭବନରେ ସାକ୍ଷାତ କରିବା ସହ ଏହି ସମ୍ପତ୍ତି କାଗଜପତ୍ରକୁ ହସ୍ତାନ୍ତର କରିଛନ୍ତି । ପୁଷ୍ପାଙ୍କ କହିବାନୁୂସାରେ ଦେଶକୁ ଏବେ ରାହୁଲଙ୍କ ଆବଶ୍ୟକତା ରହିଛି । ରାହୁଲଙ୍କ ଚିନ୍ତାଧାରା ଏବଂ ବିଚାରଧାରା ଦେଶ ପାଇଁ ସର୍ବୋତ୍ତମ । ଦେଶର ବିକାଶ ପାଇଁ ରାହୁଲଙ୍କ ନୀତି ହିଁ ସର୍ବୋପରି । ସେ ରାହୁଲଙ୍କ ଚିନ୍ତାଧାରା ଏବଂ ନୀତିସଂଗତ ତର୍କରେ ଗଭୀର ଭାବେ ଅନୁପ୍ରାଣିତ । ରାହୁଲ, ନିଜ ଦିବଂଗତ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଭଳି ଚିନ୍ତା କରୁଛନ୍ତି । ରାହୁଲଙ୍କ ନାମରେ ସମ୍ପତ୍ତି କରିଦେବା ସମ୍ପର୍କୀତ କାଗଜପତ୍ର ହସ୍ତାନ୍ତର କରିବା ପରେ ପୁଷ୍ପା, ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗାନ୍ଧୀ ପରିବାର ପରାଧୀନ ଦେଶକୁ ବ୍ରିଟିଶ ସରକାର କବଳରୁ ମୁକ୍ତ କରିବା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସବୁବେଳେ ଆଗରେ ରହି ଦେଶ ପାଇଁ ସେବା କରିଆସିଛନ୍ତି । ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ଦେଶର ଅଖଣ୍ଡତା ପାଇଁ ନିଜର ପ୍ରାଣବଳି ଦେଇଛନ୍ତି । ତେଣୁ ସେ ନିଜ ମୃତୁ୍ୟ ପୂର୍ବରୁ ନିଜ ସମ୍ପତ୍ତିକୁ ଦେଶର ଜଣେ ଯୋଗ୍ୟ ଦାୟାଦ ହାତରେ ସମର୍ପି ଦେବାକୁ ଚିନ୍ତା କରି ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଏସମ୍ପର୍କରେ କଂଗ୍ରେସ ମେଟ୍ରୋପଲିଟାନ ଅଧ୍ୟକ୍ଷ ଲାଲ୍ଚାନ୍ଦ ଶର୍ମା ସୂଚନା ଦେଇଛନ୍ତି ।