ତାତିରୁ ମିଳିବ ଆଶ୍ୱସ୍ତି
ଆସୁଛି ଲଘୁଚାପ
ଭୁବନେଶ୍ୱର, ୩ା୪(ବୁ୍ୟରୋ): ତାତିରେ ଆଉଟୁପାଉଟୁ ହେଉଛି ଜନଜୀବନ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷୁଛି ନିଆଁ । ଦିନ ୧ଠଟା ବାଜିଲେ ଘରୁ ବାହାରିବା ମୁସ୍କିଲ୍ । ଉପକୂଳରେ ବି ସମାନ ସ୍ଥିତି । ତେବେ ତାତିରୁ ଖୁବ୍ଶୀଘ୍ର ମିଳିବ ସାମାନ୍ୟ ଆଶ୍ୱସ୍ତି । ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ଦିନ ପାଇଁ ଗ୍ରୀଷ୍ମର ପ୍ରକୋପ କମିବା ସମ୍ଭାବନା ରହିଛି ।
ମିଳିଥିବା ସୂଚନାନୁସାରେ, ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅନ୍ୟପକ୍ଷରେ ମାର୍ଚ୍ଚ ମାସରୁ ପ୍ରଚଣ୍ଡ ତାତି ଆରମ୍ଭ ହୋଇସାରିଛି । ଏପରିକି ୧୨୨ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଛି । ଏବେ ଏପ୍ରିଲ୍ ଆରମ୍ଭରେ ବି ଅସହ୍ୟ ତାତି ପରିଲକ୍ଷିତ ହେଉଛି ।
ରବିବାର ୮ ସହରରେ ତାପମାତ୍ରା ୪ଠ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି । ଟିଟିଲାଗଡ଼ ପୁଣି ତତଲାଗଡ଼ ପାଲଟିଛି । ଏଠାରେ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିର, ଝାରସୁଗୁଡ଼ା ଓ ବୌଦ୍ଧରେ ୪୧.୫, ସମ୍ବଲପୁରରେ ୪୧.୧, ସୋନପୁରରେ ୪୧, ଭବାନୀପାଟଣାରେ ୪ଠ.୨, ସୁନ୍ଦରଗଡ଼ରେ ୪ଠ ଡିଗ୍ରୀ ରେକର୍ଡ଼ ହୋଇଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପାରଦ ଅଧିକ ରହିପାରେ । ସେହିପିର ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ । ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି ।