ଆବର୍ଜନା ସଂଗ୍ରହ କରି ଫିଙ୍ଗୁଛି ଷ୍ଟେସନ୍ ରାସ୍ତାରେ
ସିଏମ୍ସିର ଅଜବ ନୀତି
କଟକ-ଜଗତପୁର (ବୁ୍ୟରୋ): କଟକ ମହାନଗର ନିଗମ (ସିଏମସି) ଅଧୀନରେ ରହିଥିବା ସମସ୍ତ ୱାର୍ଡରେ ସ୍ୱଚ୍ଛତା ଆଣିବା ଲାଗି ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି । ଏପରିକି ପ୍ରତି ୱାର୍ଡରେ ଲୋକଙ୍କ ଘରୁ ଦୈନଦିନ ସ୍ୱତନ୍ତ୍ର ଗାଡି ଯୋଗେ ଅଳିଆ ଆବର୍ଜ୍ଜନା ସଂଗ୍ରହ କରାଯାଉଛି । ଏଥିରୁ ଖତ ପ୍ରସ୍ତୁତ କରିବା ଲକ୍ଷ୍ୟରେ ପ୍ରତି ୱାର୍ଡ ମାନଙ୍କରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ନିର୍ମାଣ କରାଯାଇଛି । କିନ୍ତୁ ସିଏମ୍ସି ୪୮ନଂ ୱାର୍ଡରେ ରହିଥିବା କମ୍ପୋଷ୍ଟିଂ ସେଣ୍ଟର ଭିନ୍ନ ନିୟମ ଆପଣାଉଥିବା ଦେଖିବାକୁ ମିିଳୁଛି । ୱାର୍ଡବାସୀଙ୍କ ଘରୁ ସଂଗୃହୀତ ହେଉଥିବା ଅଳିଆ ଆବର୍ଜ୍ଜନାକୁ କେନ୍ଦ୍ରାପଡ଼ା ରୋଡ ରେଳ ଷ୍ଟେସନ ରାସ୍ତା କଡ଼ରେ କୁଢକୁଢ ପରିମାଣରେ ଫିଙ୍ଗାଯାଉଛି । ଏଗୁଡିକୁ ପ୍ରଥମେ ୪ ଦିନ ଫିଙ୍ଗା ଯିବାପରେ ତାହାକୁ କମ୍ପୋଷ୍ଟିଂ ସେଣ୍ଟରକୁ ନିଆଯିବା ଭଳି ସିଏମ୍ସିର ଅଜବ ନୀତି ୱାର୍ଡବାସୀଙ୍କୁ ଚକିତ କରିଛି ।
ଷ୍ଟେସନ ରାସ୍ତା କଡ଼ରେ କୁଢକୁଢ ଅଳିଆ ଆବର୍ଜ୍ଜନା ପଚିସଢି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ବିଶେଷକରି ଏହି ରାସ୍ତାଦେଇ ପ୍ରତ୍ୟେକ ଦିନ ଯାତାୟାତ କରୁଥିବା ଶହଶହ ସଂଖ୍ୟକ ରେଳଯାତ୍ରୀ ଏଭଳି ଦୁର୍ଗନ୍ଧ ସମସ୍ୟାରେ ଅତିଷ୍ଠ ହେଉଛନ୍ତି । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ତୁରନ୍ତ ଏଥିପ୍ରତି ସିଏମ୍ସି ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରିବା ସହ ଜନଗହଳିପୂର୍ଣ୍ଣ ରାସ୍ତା କଡ଼ରୁ ଏସବୁ ଅଳିଆ ଆବର୍ଜ୍ଜନା ହଟାଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।