ପତିଆରା ଲାଗି ବାଜିରେ ଲାଗୁଛି ରୋଷଶାଳା ଚୁଲି!
ପୁରୀ (ବୁ୍ୟରୋ): ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ୱନିୟନ୍ତା । ତାଙ୍କୁ ଟିକେ ଦର୍ଶନ ଓ ତାଙ୍କ ମହାପ୍ରସାଦ କଣିକାଟିଏ ପାଇବା ଲାଗି ଆକୁଳ ରହିଥାଏ ତ୍ରିଭୁବନ । ଏପରିକି ମହାଲକ୍ଷ୍ମୀଙ୍କ ରୋଷଶାଳା ଭାବେ ପରିଚିତ ଶ୍ରୀମନ୍ଦିର ରୋଷଶାଳା । ଏହା ପୃଥିବୀର ସବୁଠାରୁ ବଡ଼ ରୋଷଶାଳା । ଏହି ରୋଷଶାଳାରୁ କେହି କେବେ ଖାଲି ପେଟରେ ଫେରି ନାହିଁ । ଏଥିରେ ବିଶ୍ୱନିୟନ୍ତାଙ୍କ ଲାଗି ୬ଠ ପଉଠି ଭୋଗ ପ୍ରସ୍ତୁତ ହୋଇଥାଏ । ହେଲେ ଏହି ରୋଷଶାଳା ଏବେ ଲାଗିଛି ବାଜିରେ । ନିଜ ଅଞ୍ଚଳରେ ନିଜ ନିଜର ପତିଆରା ବୃଦ୍ଧି କରିବା ଲାଗି ରୋଷଶାଳାକୁ ନେଇ ଆରମ୍ଭ ହୋଇଛି ବଳ କଷାକଷି । ଉକ୍ତ ଘଟଣାକୁ ସହଜରେ ଜଗନ୍ନାଥପ୍ରେମୀ ଗ୍ରହଣ କରିପାରୁ ନ ଥିବା ବେଳେ ସୁଆର-ମହାସୁଆର ସଙ୍ଘ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିପାରି ନାହିଁ ।
ଅନ୍ୟପକ୍ଷରେ ଶ୍ରୀମନ୍ଦିରର ରୋଷଶାଳା ଚୁଲିକୁ ନେଇ ସେବାୟତମାନଙ୍କ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଏହାକୁ ନେଇ ମଧ୍ୟ ହତ୍ୟା ଭଳି ସଙ୍ଗୀନ ଘଟଣା ଘଟୁଛି । ଫଳରେ ଶ୍ରୀମନ୍ଦିର ପରିଚାଳନାରେ ଓ ନିଜ ନିଯୋଗରେ ପତିଆରା ବୃଦ୍ଧି ଲାଗି ରୋଷଶାଳା ଚୁଲି ବାଜି ଲାଗୁଛି ବୋଲି ସହରରେ ଆଲୋଚନା ଜୋର୍ ଧରିଛି । ପ୍ରଶାସନର ତଦନ୍ତ ପରେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।
– ୭ଠଠରୁ ଉଦ୍ଧ୍ୱର୍ ଚୁଲି ଆସିଲା କେଉଁଠୁ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତ ଲାଗି ସ୍ୱତନ୍ତ୍ର ଚୁଲି ରୋଷଶାଳାରେ ରହିଛି । ଏପରିକି ପ୍ରଶାସନ ପକ୍ଷରୁ ୨୪୦ ଚୁଲି ରହିଥିବା ବେଳେ କିଭଳି ୭ଠଠରୁ ଊଦ୍ଧ୍ୱର୍ ଚୁଲି କେଉଁଠୁ ଆସିଲା ବୋଲି ଆଲୋଚନା ଜୋର୍ ଧରିଛି । ଗୋଟିଏ ପଟେ ପ୍ରଶାସନ ୨୪୦ ଚୁଲି ଥିବା କହୁଥିବା ବେଳେ ୭୦୦ ଚୁଲି ରୋଷଶାଳାରେ ରହିଥିବା ନେଇ ସେବାୟତମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଚାବି ପଡ଼ିଥିବା ଉତ୍ତରପାଶ୍ୱର୍, ଏମାର ଓ ଓଡ଼ିଆ ମଠ ଚୁଲି ସୁରକ୍ଷିତ ଥିବା ଜଣାପଡ଼ିଛି ।
– କଡ଼େଇରେ ପ୍ରସ୍ତୁତ ହେଲା କୋଠଭୋଗ
ଯାହା କେବେ ହୋଇ ନ ଥିଲା ତାହା ଆଜି ଘଟିଛି ରୋଷଶାଳାରେ । ମହାପ୍ରଭୁଙ୍କ ଲାଗି କୋଠଭୋଗ ଚୁଲିରେ ପ୍ରସ୍ତୁତ ହେବା ପରେ ଭୋଗ ଲାଗିଥାଏ । ହେଲେ ଆଜି କୋଠଭୋଗ ପ୍ରସ୍ତୁତ ହେଉଥିବା ଚୁଲି ଭାଙ୍ଗି ଯାଇଥିବାରୁ କଡ଼େଇରେ ପ୍ରସ୍ତୁତ ହୋଇଛି କୋଠଭୋଗ । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।
– ନୀତି ବିଳମ୍ବ, କମିଲା ବରାଦି ଅବଢ଼ା
ରବିବାର ଶ୍ରୀମନ୍ଦିର ରୋଷଶାଳା ଚୁଲିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ଜଣାପଡ଼ିଲା ପରେ ତାହାକୁ ନେଇ ମନ୍ଦିର ପରିସରରେ ହୋ-ହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଚୁଲି ଭଙ୍ଗାକୁ ନେଇ ଠାକୁରଙ୍କ ନୀତିକାନ୍ତି ମଧ୍ୟ ବିଳମ୍ବ ହୋଇଥିଲା । ଅନ୍ୟପକ୍ଷରେ ବରାଦି ଅବଢ଼ାକୁ ମଧ୍ୟ କମାଇ ଦିଆଯାଇଥିଲା । ଫଳରେ ଯେଉଁ ସୁଆରମାନଙ୍କ ଚୁଲି ଭାଙ୍ଗିଛି ସେମାନେ ଚିନ୍ତାରେ ରହିଥିବା ବେଳେ ଯାହାର ଚୁଲି ରହିଛି ସେମାନେ ସେମାନଙ୍କ ମହାପ୍ରସାଦ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ପୂର୍ବଦିନ ମାନଙ୍କରେ ଯେତିକି ବରାଦି ଅବଢ଼ା ପ୍ରସ୍ତୁତ ହୋଇଥାଏ ଆଜି ବହୁମାତ୍ରାରେ କମ୍ ରହିଥିବା ଜଣାପଡ଼ିଛି ।
– ବ୍ୟକ୍ତିଗତ ଶତ୍ରୁତାରୁ ଭାଙ୍ଗିଲା କି ଚୁଲି
ସୁଆର-ମହାସୁଆର ନିଯୋଗର ସଦସ୍ୟମାନେ କେବଳ ରୋଷଶାଳାକୁ ଯାଇଥାନ୍ତି । ମହାପ୍ରଭୁଙ୍କ ଭୋଗଠାରୁ ଆରମ୍ଭ କରି ମହାପ୍ରସାଦ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ହେଲେ ସେମାନଙ୍କ ବ୍ୟତିତ ଅନ୍ୟ କୌଣସି ଲୋକ ଯାଉ ନ ଥିବାବେଳେ ରୋଷଶାଳା ଚୁଲି ଭାଙ୍ଗିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଅନ୍ୟପକ୍ଷରେ ନିଜ ନିଜ ବ୍ୟକ୍ତିଗତ ଶତ୍ରୁତାରୁ ଚୁଲି ଭାଙ୍ଗିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଗତ କିଛି ଦିନ ତଳେ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣା ସହ ଉକ୍ତ ଘଟଣା ଲିଙ୍କ୍ ରହିଥିବା ନେଇ ଚର୍ଚ୍ଚା ଜୋର୍ ହେଉଛି ।
– ପ୍ରଥମ ପର୍ଯ୍ୟାୟରେ0
୪ ଜଣଙ୍କୁ ଜେରା
ଶ୍ରୀମନ୍ଦିରର ରୋଷଶାଳା ଚୁଲି ଭଙ୍ଗା ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୪ ଜଣଙ୍କୁ ଜେରା ଆରମ୍ଭ ହୋଇଥିବା ଜଣାପଡ଼ିଛି । ପ୍ରଥମେ ଧୋପଖାଳ, ପାଇକ, ଦ୍ୱାରପାଳିଆ ଓ ଅଙ୍ଗରିଆଙ୍କୁ ଜେରା ଜାରି ରହିଛି । ପରେ ଏମାନଙ୍କ ବ୍ୟତିତ କିଏ ଜେରାକୁ ଆସିବ ତାହାକୁ ନେଇ ଚର୍ଚ୍ଚା ଲାଗିଛି ।