ଅଷ୍ଟ୍ରେଲିଆକୁ ସପ୍ତମ ମୁକୁଟ

ମହିଳା କ୍ରିକେଟ୍ ବିଶ୍ୱକପ୍
ଖ୍ରୀଷ୍ଟଚର୍ଚ୍ଚ, ୩ା୪ (ଏଜେନ୍ସି): ଅଷ୍ଟ୍ରେଲିଆ ସପ୍ତମ ଥର ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି । ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୭୧ ରନ୍ରେ ଇଂଲଣ୍ଡକୁ ଏକତରଫା ଭାବେ ହରାଇ ଚାମ୍ପିଅନ୍ ହୋଇଛି । ଶତକୀୟ ଇନିଂସ୍ ଖେଳିଥିବା ଅଷ୍ଟ୍ରେଲୀୟ ଓପନର୍ ଆଲିସା ହୀଲୀ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲୀୟ ଟିମ୍ ନିର୍ଦ୍ଧାରିତ ୫୦ ଓଭର୍ରେ ୫ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ ଟିମ୍ ୨୮୫ ରନ୍ କରିବାକୁ ସମର୍ଥ ହୋଇଥିଲା ।
ଅଷ୍ଟ୍ରେଲିଆର ଆରମ୍ଭ ଦମ୍ଦାର ଥିଲା । ପ୍ରଥମ ୱିକେଟ୍ରେ ୧୬୦ ରନ୍ର ଭାଗୀଦାରୀ ହୋଇଥିଲା । ରାଚେଲ୍ ହେନ୍ସ ୬୮ ରନ୍ର ଇନିଂସ୍ ଖେଳିଥିଲେ । ଏହାପରେ ଆଲିସା ଓ ବେଥ୍ ମୁନୀ ଦ୍ୱିତୀୟ ୱିକେଟ୍ ପାଇଁ ୧୫୬ ରନ୍ ଯୋଗ କରିଥିଲେ । ଆଲିସା ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ଇନିଂସ୍ ଖେଳି ୧୩୮ ବଲ୍ରୁ ୧୭୦ ରନ୍ ସଂଗ୍ରହ କରିଥିଲେ । ତାଙ୍କ ଇନିଂସ୍ରେ ୨୬ ଚୌକା ରହିଥିଲା । ଏହାପରେ ଆଶଲୀ ଗାର୍ଡନର ମାତ୍ର ୧ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇ ଯାଇଥିଲେ ।
ଇଂଲଣ୍ଡ ପକ୍ଷରୁ ଆନ୍ୟା ଶ୍ରୁବସୋଲ ୪୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ସେ ୪୮ତମ ଓଭର୍ର ଦ୍ୱିତୀୟ ବଲ୍ରେ ଅଧିନାୟିକା ମେଗ୍ ଲାନିଙ୍ଗ୍ (୧୦) ଓ ତୃତୀୟ ବଲ୍ରେ ମୁନୀ (୬୨)ଙ୍କୁ ଆଉଟ୍ କରି ଟିମ୍କୁ ପ୍ରତ୍ୟାବର୍ତ୍ତନ କରାଇଥିଲେ, ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇ ସାରିଛନ୍ତି ଏବଂ ଅଷ୍ଟ୍ରେଲିଆର ସ୍କୋର୍ ୩୦୦ ଅତିକ୍ରମ କରି ସାରିଥିଲା । ତାହଲିଆ ମ୍ୟାକ୍ଗ୍ର ୮ ଓ ଏଲିସି ପେରୀ ୧୭ ରନ୍ କରି ଅପରାଜିତ ଥିଲେ ।
ବଡ଼ ଟାର୍ଗେଟ୍ ନେଇ ଖେଳିଥିବା ଇଂଲଣ୍ଡ ଟିମ୍ର ଆରମ୍ଭ ଭଲ ନ ଥିଲା । ୩୮ ରନ୍ ମଧ୍ୟରେ ଦୁଇ ଓପନର୍ଙ୍କ ୱିକେଟ୍ ପଡ଼ିଥିଲା । ଡାନି ହ୍ୱାଟ୍ ୪ ଓ ଟମି ବିଉମୋଣ୍ଟ ୨୭ ରନ୍ କରି ମେଗାନ୍ ସ୍କଟ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଗୋଟିଏପଟେ ନତାଲୀ ସିଭର ଦୃଢ଼ ଭାବେ ଖେଳୁଥିବା ବେଳେ ଅନ୍ୟପଟେ ତାଙ୍କୁ କାହାର ସାଥ୍ ମିଳୁ ନ ଥିଲା । ଶେଷ ଯାଏଁ ସେ ୧୪୮ (୧୨୧ ବଲ୍ରୁ ୧୫ ଚୌକା ଓ ୧ ଛକା ସହାୟତାରେ) ରନ୍ କରି ଅପରାଜିତ ଥିଲେ । ଅଧିନାୟିକା ହିଥର ନାଇଟ୍ ୨୬ ରନ୍ କରିଥିଲେ । ଇଂଲଣ୍ଡ ଟିମ୍ ୪୩.୪ ଓଭର୍ରେ ୨୮୫ ରନ୍ କରି ଅଲ୍ଆଉଟ୍ ହୋଇ ଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଅଲାନା କିଙ୍ଗ୍ ଓ ଜେସ୍ ଜୋନାସେନ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *