ଡକାୟତି ଯୋଜନା ପଣ୍ଡ: ୬ ଦୁର୍ଦ୍ଦାନ୍ତ ଗଲେ ଜେଲ୍
ଚନ୍ଦନପୁର ଥାନା ପୁଲିସକୁ ବଡ଼ ସଫଳତା
ପୁରୀ (ବୁ୍ୟରୋ): ଏକ ବଡ଼ଧରଣର ଡକାୟତି ଯୋଜନା କରିବା ଲାଗି ଉଦ୍ୟମ କରୁଥିବା ଅଭିଯୋଗରେ ଚନ୍ଦନପୁର ଥାନା ପୁଲିସ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ପୋଲାଙ୍ଗତୋଟାର ନାରାୟଣ ମଲ୍ଲିକ (ଗୁନୁ), ଦୋଳଗୋବିନ୍ଦପୁରର ବିଜୟ ମଲ୍ଲିକ (ବିଜୁ), ଦାମୋଦରପୁର ସତ୍ୟମ ମହାପାତ୍ର (ଚିକୁ), ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମର ରାଜେଶ ପଟ୍ଟନାୟକ (ଲକି), କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣର ପ୍ରଶାନ୍ତ ବେହେରା(ଟିକି) ଓ କଣାସ ଥାନା ଅନ୍ତର୍ଗତ ଅଣ୍ଡାଳସିଂହର ଜଗୁ ନାୟକ । ଏମାନଙ୍କ ଠାରୁ ପୁଲିସ ଗୋଟିଏ ବନ୍ଧୁକ, ଲୁହା ରଡ୍, ୨୦ଟି ମୋବାଇଲ୍, ୪ଟି ବାଇକ ଓ ୩୭୩୦ଟଙ୍କା ଜବତ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସ୍ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ୍ ।
ଶ୍ରୀ ମୁଣ୍ଡ୍ ଆହୁରି ମଧ୍ୟ କହିଛନ୍ତି ଯେ, ଏମାନେ ଜାତୀୟ ରାଜପଥରେ ଯିବାଆସିବା କରୁଥିବା ପର୍ଯ୍ୟଟକଙ୍କ ଗାଡ଼ିକୁ ଅଟକାଇ ବଡ଼ଧରଣର ଡକାୟତି କରିବା ଲାଗି ଯୋଜନା ଏକ ପରିତ୍ୟକ୍ତ ଘରେ କରୁଥିଲେ । ବିଶେଷ ସୂତ୍ରରୁ ଖବରପାଇ ଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ଏନେଇ ପୁଲିସ ନିଜ ଆଡୁ ୭୭/୨୨ରେ ମାମଲା ରୁଜୁ କରି ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।