ଚଣ୍ଡୀଗଡ଼ କାହାର?

ତେଜିଲା ପଞ୍ଜାବ-ହରିଆଣା ବିବାଦ
ଚଣ୍ଡୀଗଡ଼ (ଏଜେନ୍ସି): ଚଣ୍ଡୀଗଡ଼ ବାସ୍ତବରେ କାହାର? ହରିଆଣାର ନା ପଞ୍ଜାବର? ଚଣ୍ଡୀଗଡ଼ ଉପରେ କାହାର ଅଧିକାର ରହିଛି? ଦୀର୍ଘ ସମୟ ଧରି ରହିଆସିଥିବା ଏମିତି କିଛି ପ୍ରଶ୍ନକୁ ନେଇ ଏବେ ଦୁୂଇ ରାଜ୍ୟ ମଧ୍ୟରେ ପୁଣିଥରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । ଆଜି ପର୍ଯ୍ୟନ୍ତ ଚଣ୍ଡୀଗଡ ଦୁଇଟି ରାଜ୍ୟ ପଞ୍ଜାବ ଏବଂ ହରିଆଣା ପାଇଁ ଏକକ ରାଜଧାନୀ ଭାବେ ରହିଆସିଥିବା ବେଳେ ଏବେ ଏହାକୁ ନେଇ ନୂଆକରି ବିବାଦ ଆରମ୍ଭ ହୋଇଯାଇଛି । ବିଶେଷକରି ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ସରକାର ଗଢ଼ିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛନ୍ତି । ରାଜଧାନୀ ଭାବେ ଚଣ୍ଡୀଗଡ଼ ଉପରେ କେବଳ ପଞ୍ଜାବର ଏକଚାଟିଆ ଅଧିକାର ରହିବା ଉଚିତ୍ ଦର୍ଶାଇ ସେ ଏପ୍ରିଲ ୧ରେ ପଞ୍ଜାବ ବିଧାନସଭାର ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଇଥିଲେ ଏବଂ ଏହା ଉପରେ ଗୃହରେ ପୁଙ୍ଖାନୁପୁଙ୍ଖ ବିତର୍କ କରାଇଥିଲେ । ବିତର୍କ ଶେଷରେ ସର୍ବସହମତି କ୍ରମେ ସେ ଗୃହରେ ଏନେଇ ଏକ ପ୍ରସ୍ତାବ ମଧ୍ୟ ପାରିତ କରାଇନେବାରେ ସଫଳ ହୋଇଥିଲେ । ଏହି ପ୍ରସ୍ତାବରେ ଚଣ୍ଡୀଗଡ଼କୁୂ ପୂର୍ଣ୍ଣତଃ ପଞ୍ଜାବ ନିୟନ୍ତ୍ରଣାଧୀନ କରାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବା ନେଇ ପ୍ରାବଧାନ ରହିଛି । ତେବେ ମାନ୍ଙ୍କ ଏପ୍ରକାର ଆଚରଣରେ କ୍ଷୁବ୍ଧ ହୋଇପଡିଥିବା ହରିଆଣା ମଧ୍ୟ ଏବେ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ।
ପଞ୍ଜାବ ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ଏବଂ ଏନେଇ ପ୍ରସ୍ତାବ ପାରିତ ହେବା ପରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି ଯେ, ଚଣ୍ଡୀଗଡ଼ ଉଭୟ ହରିଆଣା ଏବଂ ପଞ୍ଜାବ ପାଇଁ ରାଜଧାନୀ ରହିବ । ଯଦି ପଞ୍ଜାବ ଚଣ୍ଡୀଗଡ଼ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କରେ ତେବେ ହରିଆଣା ମଧ୍ୟ ପଛକୁ ହଟିବ ନାହିଁ । ଏହା ପର ଠାରୁ ଦୁଇ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଥିବା ରାଜଧାନୀ ବିବାଦ ଏବେ ତୀବ୍ର ରୂପ ଧାରଣ କରିବାରେ ଲାଗିଛି । ପ୍ରାପ୍ତ ସୂଚନାନୁସାରେ ବିଜେପି ନେତୃତ୍ୱାଧୀନ ହରିଆଣା ସରକାର ମଧ୍ୟ ଆସନ୍ତା ୫ ତାରିଖରେ ଏକ ସ୍ୱତନ୍ତ୍ର ଦିନିକିଆ ବିଧାନସଭା ଅଧିବେଶନ ଡକାଇଛନ୍ତି । ତେବେ ଅଧିବେଶନ ପୂର୍ବରୁ ବିଜନେସ୍ ଆଡଭାଇଜରି କମିଟିର ବୈଠକ ବସି ଏସମ୍ପର୍କରେ ଆଲୋଚନା କରାଯିବ । ପରେ ବିଧାନସଭା ଅଧିବେଶନରେ ଆଲୋଚନା ସହ ପ୍ରସ୍ତାବ ପାରିତ କରାଯିବାର ଯୋଜନା ରହିଛି । ସିଧାସଳଖ କହିଲେ ଚଣ୍ଡୀଗଡ଼ ଉପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପୂର୍ଣ୍ଣ ଅଧିକାର ଚାହୁଁଥିବା ବେଳେ ହରିଆଣା ମଧ୍ୟ ଏବେ ସମାନ ଦାବି କରିଛି ।
ପଞ୍ଜାବ ବିଧାନସଭାରେ ଚଣ୍ଡୀଗଡ଼ ଉପରେ ଅଧିକାର ସମ୍ପର୍କୀତ ପ୍ରସ୍ତାବ ପାରିତ ହେବା ପରେ ଚଣ୍ଡୀଗଡ଼ର ଖଟ୍ଟର ସରକାର ଉପରେ ଚାପ ପଡ଼ିବା ଆରମ୍ଭ ହୋଇଯାଇଥିଲା । ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ ସମସ୍ତେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଦେଇଥିଲେ ଏବଂ ଏସମ୍ପର୍କରେ ଚର୍ଚ୍ଚା କରିବା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ରବିବାର କ୍ୟାବିନେଟ୍ ବୈଠକ ଡକାଇଥିଲେ ଏବଂ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏଥିରେ ଆସନ୍ତା ୫ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଏବଂ ଚଣ୍ଡୀଗଡ଼ ଉପରେ ହରିଆଣାର ଅଧିକାର ସାବ୍ୟସ୍ତ ପୂର୍ବକ ଏକ ପ୍ରସ୍ତାବ ପାରିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଖଟ୍ଟର କହିଛନ୍ତି, ପଞ୍ଜାବ ଏକତରଫା ଭାବେ ନିଷ୍ପତ୍ତି ନେଇଛି, ଯାହାକି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗ୍ରହଣୀୟ ନୁହେଁ । ଆପ୍ ପ୍ରମୁଖ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏପ୍ରକାର ନିଷ୍ପତ୍ତି ନେଇ ହରିଆଣାବାସୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଛନ୍ତି । ନିଜ କର୍ତ୍ତୃତ୍ୱ ପାଇଁ ଉଭୟ ହରିଆଣାବାସୀଙ୍କ ପାଖରେ କ୍ଷମାପ୍ରାର୍ଥନା କରିବା ଉଚିତ୍ । ଚଣ୍ଡୀଗଡ ପ୍ରସଙ୍ଗ ଉଠାଇବା ପୂର୍ବରୁ ପଞ୍ଜାବ ସରକାରଙ୍କୁ ପ୍ରଥମେ ୪ଠଠ ହିନ୍ଦୀ ଭାଷୀ ଗ୍ରାମ ହସ୍ତାନ୍ତର କରିବା ଏବଂ ହରିଆଣାକୁ ସତ୍ଲେଜ୍-ଯମୁନା ଲିଙ୍କ୍ (ଏସ୍ୱାଇଏଲ୍) କେନାଲ ପାଣି ଛାଡିବା ଆଦି ପ୍ରସଙ୍ଗରେ ଆଲୋଚନା କରିବା ଉଚିତ୍ । ଏସବୁକୁ ଗୌଣ ରଖି କେବଳ ଚଣ୍ଡୀଗଡ ପ୍ରସଙ୍ଗ ଉଠାଇଛି ପଞ୍ଜାବ । ମାତ୍ର ହରିଆଣା ବିଧାନସଭାରେ ଏସବୁ ପ୍ରସଙ୍ଗରେ ଆଲୋଚନା କରାଯିବ ।
ସୂଚନାଯୋଗ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କିଛି ଦିନ ପୂର୍ବେ ଚଣ୍ଡୀଗଡ ଗସ୍ତରେ ଆସିବା ସହ ଏଠାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରୀୟ ସର୍ଭିସ୍ ଆଇନ୍ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଘୋଷଣା କରିଥିଲେ । ଏହାର ଦିନକ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରିଦିଆଗଲା । ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଏପ୍ରକାର ଘୋଷଣା କରିବା ଏବଂ ଏନେଇ ବିଜ୍ଞପ୍ତି ଜାରି ହେବା ପରେ ପରେ ପଞ୍ଜାବରେ କ୍ଷମତାସୀନ ଆପ୍ ସରକାର ଚଣ୍ଡୀଗଡ ଉପରେ ପଞ୍ଜାବର ଏକଚାଟିଆ ଅଧିକାର ରହିବା ନେଇ ପ୍ରସ୍ତାବ ପାରିତ କରାଇନେଲେ । ପରେ ହରିଆଣା ସରକାର ମଧ୍ୟ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାରେ ଲାଗିପଡ଼ିଛି । ପ୍ରକାଶ, ଦେଶ ବିଭାଜନ ହେବା ସମୟରେ ଚଣ୍ଡିଗଡ ଉଭୟ ପଞ୍ଜାବ ଏବଂ ହରିଆଣା ପାଇଁ ରାଜଧାନୀ ରହିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *