କ୍ୱାର୍ଟରରେ ଭାରତ
ପୋଚେଫ୍ଷ୍ଟ୍ରୁମ୍, ୩ା୪ (ଏଜେନ୍ସି): କନିଷ୍ଠ ମହିଳା ହକି ବିଶ୍ୱକପ୍ରେ ଭାରତ ରବିବାର ଜର୍ମାନୀକୁ ୨-୧ରେ ହରାଇ ପୁଲ୍ ପର୍ଯ୍ୟାୟରେ କ୍ରମାଗତ ଦ୍ୱିତୀୟ ବିଜୟ ସହ କ୍ୱାର୍ଟର୍-ଫାଇନାଲ୍ରେ ପ୍ରବେଶ କରିଛି । ଭାରତ ନିଜ ଶେଷ ପୁଲ୍ ମ୍ୟାଚ୍ରେ ଏପ୍ରିଲ୍ ୫ରେ ମାଲେସିଆକୁ ଭେଟିବ । ୮ରୁ କ୍ୱାର୍ଟର୍-ଫାଇନାଲ୍ ପର୍ଯ୍ୟାୟ ଆରମ୍ଭ ହେବ ।
ଭାରତୀୟ ଟିମ୍ ଶନିବାର ନିଜ ପ୍ରଥମ ମ୍ୟାଚ୍ରେ ୱେଲ୍ସକୁ ୫-୧ରେ ହରାଇ ଅଭିଯାନ ଆରମ୍ଭ କରିଥିଲା । ଦ୍ୱିତୀୟ ପୁଲ୍ ମ୍ୟାଚ୍ରେ ଟିମ୍ ପକ୍ଷରୁ ଲାଲରେମସିଆମୀ (୨ୟ ମିନିଟ୍) ଓ ମମତାଜ ଖାଁ (୨୫ତମ) ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିଥିଲେ । ଜର୍ମାନୀ ପକ୍ଷରୁ ଜୁଲି ବ୍ଲେଉଲ୍ ୫୭ତମ ମିନିଟ୍ରେ ଏକମାତ୍ର ଗୋଲ୍ ଦେଇଥିଲେ । ଭାରତୀୟ ଗୋଲ୍କିପର୍ ବିଚୁ ଦେବୀ କରିବାମ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଦୁଇଟି ବିଜୟ ସହ ଭାରତ ପୁଲ୍-ଡି’ରେ ଶୀର୍ଷରେ ଥିବା ବେଳେ ଜର୍ମାନୀ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରତି ପୁଲ୍ରୁ ଦୁଇଟି ଟିମ୍ ନକ୍ଆଉଟ୍ ପର୍ଯ୍ୟାୟ ନିମନ୍ତେ ଯୋଗ୍ୟତା ଅର୍ଜନ କରିବ ।
ଜର୍ମାନୀ ବିପକ୍ଷରେ ଭାରତୀୟ ଟିମ୍ ଦ୍ୱିତୀୟ ମିନିଟ୍ରେହିଁ ଅଗ୍ରଣୀ ହାସଲ କରିଥିଲା । ଏକ ପେନାଲ୍ଟି କର୍ଣ୍ଣରରୁ ଦୀପିକାଙ୍କ ଡ୍ରାଗ୍ ଫ୍ଲିକ୍କୁ ପ୍ରତିପକ୍ଷ ଗୋଲ୍କିପର୍ ଅଟକାଇବା ପରେ ଲାଲରେମସିଆମୀ ଏକ ରିବାଉଣ୍ଡରୁ ସ୍କୋର୍ କରିଥିଲେ । ଏହାପରେ ଜର୍ମାନୀ ଆକ୍ରମଣାତ୍ମକ ପ୍ରଦର୍ଶନ କରି କେତେକ ପେନାଲ୍ଟି କର୍ଣ୍ଣର ହାସଲ କରି ଭାରତୀୟ ରକ୍ଷଣପନ୍ଥୀ ଉପରେ ଚାପ ପକାଇଥିଲେ ।
ଭାରତୀୟ ଗୋଲ୍କିପର୍ ବିଚୁ ଦେବୀ ଉଲ୍ଲେଖନୀୟ ପ୍ରଦର୍ଶନ କରି ଅନେକ ଅବସରରେ ଜର୍ମାନୀ ପିସିକୁ ନିଷ୍ଫଳ କରିବା ସହ ଦ୍ୱିତୀୟ କ୍ୱାର୍ଟରରେ ଏକ ପେନାଲ୍ଟି ଷ୍ଟ୍ରୋକ୍କୁ ଅଟକାଇ ଦେଇଥିଲେ । ଭାରତୀୟ ଖେଳାଳି ମୁଖ୍ୟତଃ ପାଲଟା ଆକ୍ରମଣ ଉପରେ ନିର୍ଭର କରିଥିଲେ । ଫଳସ୍ୱରୂପ, କ୍ରମାଗତ ଦୁଇଟି ପିସି ମିଳିଥିଲା, ତନ୍ମଧ୍ୟରୁ ଦ୍ୱିତୀୟ ପିସିରୁ ୨୫ତମ ମିନିଟ୍ରେ ମମତାଜ ଗୋଲ୍ ସ୍କୋର୍ କରିଥିଲେ ।
ଜର୍ମାନୀ ପ୍ରଥମାର୍ଦ୍ଧର ବେଶୀ ଭାଗରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଏବଂ ଛଅଟି ପିସି ଜିତିଥିଲା, ହେଲେ ସବୁ ବିଫଳ ହୋଇଥିଲା । ଅନ୍ୟପଟେ, ଭାରତ ତିନିଟିରୁ ଦୁଇଟି ପିସିର ସୁଦୁପଯୋଗ କରିଥିଲା । ମଧ୍ୟାନ୍ତର ସୁଦ୍ଧା ଭାରତ ୨-୦ରେ ଆଗରେ ଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଜର୍ମାନୀ ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରଖିଥିଲା, ହେଲେ ଖାତା ଖୋଲିବାରେ ସଫଳ ହୋଇ ନ ଥିଲା । ମ୍ୟାଚ୍ରେ ଆଗରେ ରହି ଭାରତ ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ପ୍ରବେଶ କରିଥିଲା । ମ୍ୟାଚ୍ ଶେଷ ହେବାକୁ ତିନି ମିନିଟ୍ ବାକି ଥିବା ବେଳେ ଜର୍ମାନୀ ଜୁଲିଙ୍କ ରିଭର୍ସ ହିଟ୍ ଫିଲ୍ଡ ଗୋଲ୍ ଜରିଆରେ ପ୍ରଥମ ଗୋଲ୍ କରିଥିଲା । କିନ୍ତୁ ତାହା ମ୍ୟାଚ୍ ବଞ୍ଚାଇବା ପାଇଁ ପର୍ଯ୍ୟାପ୍ତ ନ ଥିଲା । ଅନ୍ୟପଟେ, ବଳକା ସମୟରେ ଭାରତର ଦୃଢ଼ ପ୍ରଦର୍ଶନ ପୂର୍ଣ୍ଣ ପଏଣ୍ଟ ପାଇବା ପାଇଁ ଯଥେଷ୍ଟ ଥିଲା ।