୧୧ଠ୭ କୋଟିର ରାଜସ୍ୱ ଆୟ ଲକ୍ଷ୍ୟ
ଜେଏସ୍ପିଏଲ୍କୁ ଓଡିଶାର ଦୁଇ ଖଣି
ଭୁବନେଶ୍ୱର,୨ା୪(ବୁ୍ୟରୋ): କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚାରିଟି ରାଜ୍ୟର ୫ଟି କୋଇଲା ଖଣିର ବାଣିଜି୍ୟକ ନିଲାମ କରାଯାଇଛି । ଏଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି- ଉକ୍ରଳ ବି୧ ଏବଂ ବି୨ ରହିଛି । ଏହି ଦୁଇଟି ଖଣିକୁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍ (ଜେଏସ୍ପିଏଲ୍) ନିଲାମ ସୂତ୍ରରେ ନେଇଛି । ଦୁଇଟି ଖଣିର ପିଆରସି କ୍ଷମତା ବା ସର୍ବାଧିକ କୋଇଲା ଉତ୍ପାଦନ କ୍ଷମତା ବାର୍ଷିକ ୮.୦୦୦ ନିୟୁତ ଟନ୍ ହୋଇଥିବା ବେଳେ ଏଥିରେ ମୋଟ୍ ୩୪୭.୦୮ ନିୟୁତ ଟନ୍ ଭୂଗର୍ଭ କୋଇଲା ଗଚ୍ଛିତ ହୋଇ ରହିଛି । ଖଣିର ପିଆରସି କ୍ଷମତାକୁ ଆଧାର କରି ଏହି ଦୁଇଟି ଖଣିରୁ ବାର୍ଷିକ ୧୧୦୭.୦୫ କୋଟି ଟଙ୍କାର ରାଜସ୍ୱ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି । ଦୁଇଟି ଖଣିରେ ୧୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୦ ହଜାର ୮୧୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର ଦୁଇଟି ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କୋଇଲା ଖଣିର ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି ।
କୋଇଲା ମନ୍ତ୍ରଣାଳୟ ଦ୍ୱାରା ଇ-ନିଲାମି ପ୍ରକ୍ରିୟାରେ ଏସବୁ କୋଇଲା ଖଣିର ବାଣିଜି୍ୟକ ନିଲାମି ସମ୍ପାଦନ କରାଯାଇଛି । କୋଇଲା ଖଣି ଗୁଡ଼ିକର ବାଣିଜି୍ୟକ ନିଲାମି ପାଇଁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଟେଣ୍ଡର ଆହ୍ୱାନକାରୀ ନୋଟିସ (ଏନଆଇଟି) ଜାରି କରାଯାଇଥିଲା । କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) -ସିଏମ (ଏସପି) ଆଇନ, ୨୦୧୫ ଅଧୀନରେ ନିଲାମିର ୧୪ତମ ପର୍ଯ୍ୟାୟ ଏବଂ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) -ଏମଏମଡିଆର ଆଇନ, ୧୯୫୭ ଅଧୀନରେ ଏସବୁ କୋଇଲା ଖଣିର ନିଲାମି ନିମନ୍ତେ ଡିସେମ୍ବର ୧୬, ୨୦୨୧ରେ ଏନଆଇଟି ଜାରି କରାଯାଇଥିଲା । ଏମଏସଟିସି ପ୍ଲାଟଫର୍ମ ଜରିଆରେ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧, ୨୦୨୨ରେ ଅନୁଷ୍ଠିତ ଇ-ନିଲାମି ପ୍ରକ୍ରିୟାରେ ମୋଟ୍ ପାଞ୍ଚଟି ସିଏମଏସପି କୋଇଲା ଖଣିକୁ ନିଲାମି ନିମନ୍ତେ ରଖାଯାଇଥିଲା । ନିଲାମିରେ ସାମିଲ ଥିବା ସମସ୍ତ ୫ଟି କୋଇଲା ଖଣି ସମ୍ପୂର୍ଣ୍ଣ ଭାବେ ଅନ୍ୱେଷଣ କରାଯାଇଥିବା କୋଇଲା ଖଣି ହୋଇଥିବା ବେଳେ ଏସବୁ ଖଣିର ଭୂଗର୍ଭ ଭଣ୍ଡାରରେ ମୋଟ୍ ୬୬୫.୦୮ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି । ଏଗୁଡ଼ିକର ପିଆରସି କ୍ଷମତା ବାର୍ଷିକ ୧୪.୭୫୬ ନିୟୁତ ଟନ୍ ରହିଛି । ବାଣିଜି୍ୟକ କୋଇଲା ଖଣି ନିଲାମି ପ୍ରକ୍ରିୟା ଅଧୀନରେ ଏବେ ସୁଦ୍ଧା ମୋଟ୍ ୪୭ଟି କୋଇଲା ଖଣି ନିଲାମ ହୋଇସାରିଛି । ଏଥିରେ ଚତୁର୍ଥ ପର୍ଯ୍ୟାୟରେ ନିଲାମି ହୋଇଥିବା ଏହି ୫ଟି କୋଇଲା ଖଣି ମଧ୍ୟ ସାମିଲ ରହିଛି । ବର୍ତ୍ତମାନ ସୁଦ୍ଧା ନିଲାମ ହୋଇସାରିଥିବା କୋଇଲା ଖଣିଗୁଡ଼ିକର ସର୍ବମୋଟ୍ ପିଆରସି କ୍ଷମତା ବାର୍ଷିକ ୧୦୧.୪୦୪ ନିୟୁତ ଟନ୍ ରହିଛି ।