ଦେଶରେ ଅସହ୍ୟ ତାତି
ଭାଙ୍ଗିଲା ୧୨୧ ବର୍ଷର ରେକର୍ଡ
ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ବଢ଼ୁଥିବା ତାତି ଏବେ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ପାଣିପାଗ ବିଭାଗ ଆଇଏମ୍ଡି ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଚଳିତ ବର୍ଷ ମାର୍ଚ୍ଚରେ ତାପମାତ୍ରା ୪ଠ ଡିଗ୍ରୀ (ସେଲ୍ସିୟସ୍) ଅତିକ୍ରମ କରିବା ଗତ ୧୨୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଏହାପୂର୍ବରୁ ୧୯ଠ୧ ମାର୍ଚ୍ଚରେ ଶେଷ ଥର ପାଇଁ ତାପମାତ୍ରା ୪ଠ ଡିଗ୍ରୀରୁ ଊଦ୍ଧ୍ୱର୍ ଥିବା ରେକର୍ଡ କରାଯାଇଥିଲା । ତେବେ ଚଳିତ ବର୍ଷ ମାର୍ଚ୍ଚରେ ହାରାହାରି ତାପମାତ୍ରା ୩୩.୧ଠ ଡିଗ୍ରୀ ରେକର୍ଡ ହୋଇଛି, ଯାହା ସାଧାରଣ ତାପମାତ୍ରାଠାରୁ ୧.୮୬ ଡିଗ୍ରୀ ଅଧିକ । ସେହିପରି ଉତ୍ତର-ପଶ୍ଚିମ ଅଞ୍ଚଳରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା, ଯାହା ସଧାରଣଠାରୁ ୩.୯୧ ଡିଗ୍ରୀ ଅଧିକ । ସେହିପରି ମଧ୍ୟ-ଭାରତରେ ମାର୍ଚ୍ଚରେ ୧.୬୨ ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି ।
ଆଇଏମ୍ଡି ରିପୋର୍ଟ ଅନୁସାରେ ଦେଶର ୯ ଉତ୍ତର ଓ ମଧ୍ୟ ଭାରତୀୟ ରାଜ୍ୟରେ ବର୍ତ୍ତମାନ ସମୟରେ ଲୁ’ (ହିଟ୍ ୱେଭ୍) ପ୍ରବାହ ବୃଦ୍ଧି ପାଇବ । ଆଗାମୀ ଦିନରେ ମଧ୍ୟପ୍ରଦେଶ, ରାଜସ୍ଥାନ, ପୂର୍ବ ଉତ୍ତରପ୍ରଦେଶ, ଛତିଶଗଡ, ହରିଆଣା, ଦିଲ୍ଲୀ, ଗୁଜରାଟ, ଝାଡଖଣ୍ଡ ଏବଂ ବିଦର୍ଭ ଆଦି ଅଞ୍ଚଳରେ ଲ’ ପ୍ରବାହ ରହିବା ଆଶଙ୍କା କରାଯାଉଛି । ବିଶେଷକରି ରାଜଧାନୀ ଦିଲ୍ଲୀରେ ଆସନ୍ତା ୪ରୁ ୮ତାରିଖ ମଧ୍ୟରେ ତାପମାତ୍ରା ୪ଠରୁ ୪୧ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଉଛି ।
ଅନ୍ୟପକ୍ଷେ ଏପ୍ରିଲ ମାସରେ ବର୍ଷା ସମ୍ଭାବନା ନଥିବା ଆଇଏମ୍ଡି ସ୍ପଷ୍ଟ କରିଛି । ଆଇଏମ୍ଡି ବିଶେଷଜ୍ଞଙ୍କ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚରେ ଦେଶରେ ହାରାହାରି ୮.୯ମିମି ବର୍ଷା ହୋଇଛି ଯାହାକି, ଦୀର୍ଘକାଳୀନ (ଋତୁଚକ୍ରଜନିତ) ହାରାହାରି ବର୍ଷା ପରିମାଣ (୩ଠ.୪ମିମି) ତୁଳନାରେ ପ୍ରାୟ ୭୧% କମ୍ ।