ବଟ୍ଲର୍ଙ୍କ ଶତକରେ ରାଜସ୍ଥାନ ବିଜୟୀ
ନଭି ମୁମ୍ବାଇ, ୨ା୪ (ଏଜେନ୍ସି): ଆଇପିଏଲ୍ ୨୦୨୨ରେ ଜୋସ୍ ବଟ୍ଲର୍ଙ୍କ ପ୍ରଥମ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଶନିବାର ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୨୩ ରନ୍ରେ ପରାସ୍ତ କରିଛି । ମୁମ୍ବାଇର ଏହା ଲଗାତାର ଦ୍ୱିତୀୟ ପରାଜୟ, ଅନ୍ୟପଟେ ରାଜସ୍ଥାନର ଏହା କ୍ରମାଗତ ଦ୍ୱିତୀୟ । ବଟ୍ଲର୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ରାଜସ୍ଥାନ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଇନିଂସ୍ ଓପନ୍ କରିଥିବା ଇଂଲିଶ୍ କ୍ରିକେଟର୍ ବଟ୍ଲର୍ ୬୮ ବଲ୍ରୁ ୧୦୦ ରନ୍ ସଂଗ୍ରହ କରିଥିଲେ । ଆଇପିଏଲ୍ ଇତିହାସରେ ଏହା ତାଙ୍କର ଦ୍ୱିତୀୟ ଶତକ ଥିଲା । ସେ ୧୧ ଚୌକା ଓ ୫ ଛକା ମାରିଥିଲେ । ବଟ୍ଲର୍ଙ୍କ ଛଡ଼ା କାରିବୀୟ ଶିମରନ୍ ହେଟମାୟର (୧୪ ବଲ୍ରୁ ୩୫ ରନ୍) ବିଧ୍ୱଂସୀ ଫର୍ମରେ ଦେଖିବାକୁ ମିଳିଥିଲେ ଯେତେବେଳେକି ଅଧିନାୟକ ସଞ୍ଜୁ ସାମ୍ସନ୍ (୨୧ ବଲ୍ରୁ ୩୦) ମଧ୍ୟ ଭଲ ଆରମ୍ଭ ଦେଇଥିଲେ । ସଞ୍ଜୁ ଓ ବଟ୍ଲର୍ଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୫୦ ବଲ୍ରୁ ୮୨ ରନ୍ର ଭାଗୀଦାରୀ ହୋଇଥିଲା । ଏହି ତିନି ଜଣଙ୍କ ଛଡ଼ା ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।
ରାଜସ୍ଥାନ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୯୩ ରନ୍ ସଂଗ୍ରହ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଯଶପ୍ରୀତ ବୁମ୍ରା (୧୭/୩) ଓ ଟାଇମଲ୍ ମିଲ୍ସ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।
୧୯୪ ରନ୍ର ବଡ଼ ବିଜୟଲକ୍ଷ୍ୟ ନେଇ ଖେଳିଥିବା ମୁମ୍ବାଇ ଟିମ୍ ପକ୍ଷରୁ ତିଲକ ବର୍ମା ୩୩ ବଲ୍ରୁ ୬୧ ରନ୍ କରିଥିବା ବେଳେ ଓପନର୍ ଈଶାନ୍ କିଶନ ୪୩ ବଲ୍ରୁ ୫୪ ରନ୍ର ଇନିଂସ୍ ଖେଳିଥିଲେ; କିନ୍ତୁ ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା । ଈଶାନ୍ ଓ ତିଲକଙ୍କ ମଧ୍ୟରେ ୮୧ ରନ୍ର ଭାଗୀଦାରୀ ହୋଇଥିଲା । ତେବେ କାଇରନ୍ ପୋଲାର୍ଡଙ୍କ ଧୀମା ବ୍ୟାଟିଂ ପାଇଁ ଟିମ୍ ବିଜୟଲକ୍ଷ୍ୟଠାରୁ ଦୂରରେ ରହି ଯାଇଥିଲା ଏବଂ ଧାର୍ଯ୍ୟ ଓଭର୍ରେ ୮ ୱିକେଟ୍ ହରାଇ ୧୭୦ ରନ୍ କରିବାକୁ ସମର୍ଥ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାଇରନ୍ ପୋଲାର୍ଡ ୨୨ ଓ ଅଧିନାୟକ ରୋହିତ ଶର୍ମା ୧୦ ରନ୍ କରିଥିଲେ ।
ରିଷ୍ଟ ସ୍ପିନର୍ ଯୁଜବେନ୍ଦ୍ର ଚହଲ୍ ପ୍ରଭାବଶାଳୀ ପ୍ରଦର୍ଶନ କରି ୪ ଓଭର୍ରେ ୨୬ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଏହାଛଡ଼ା ନବଦୀପ ସାଇନୀ ମଧ୍ୟ ୨ ୱିକେଟ୍ ପାଇଥିଲେ ।
ପରାଜୟ ପାଇଁ ପୋଲାର୍ଡ ଦାୟୀ
ମୁମ୍ବାଇ ଟିମ୍ର ପରାଜୟ ପାଇଁ କାଇରନ୍ ପୋଲର୍ଡଙ୍କୁ ଦାୟୀ କରାଯାଉଛି । ସେ ୨୪ ବଲ୍ରୁ ମାତ୍ର ୨୨ ରନ୍ କରିଥିଲେ । ସେ ୧୩ତମ ଓଭର୍ରେ ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳେ ଟିମ୍ର ସ୍କୋର୍ ଥିଲା ୧୨୧/୩ ଏବଂ ମୁମ୍ବାଇ ଭଲ ସ୍ଥିତିରେ ଥିଲା । ଶେଷ ୧୨ ବଲ୍ରେ ଟିମ୍କୁ ୩୯ ରନ୍ ଆବଶ୍ୟକ ଥିଲା, ହେଲେ ପୋଲାର୍ଡ ୧୦ ରନ୍ହିଁ କରି ପାରିଥିଲେ । ଏହା ପୂର୍ବରୁ ସେ ବୋଲର୍ ଭାବେ ୪ ଓଭର୍ରେ ୪୬ ରନ୍ ଦେଇଥିଲେ ।
ରୋହିତଙ୍କ ୧୫୦ କ୍ୟାଚ୍
ମ୍ୟାଚ୍ରେ ଗୋଟିଏ କ୍ୟାଚ୍ ଧରିବା ସହ ରୋହିତ ଶର୍ମା ଟି-୨୦ କ୍ରିକେଟ୍ରେ ୧୫୦ କ୍ୟାଚ୍ ପୂରଣ କରିଛନ୍ତି । ରୋହିତ ଏହି ଫର୍ମାଟ୍ରେ ୧୫୦ କ୍ୟାଚ୍ ଧରିବାରେ ଦେଶର ଚତୁର୍ଥ ଖେଳାଳି ହୋଇ ପାରିଛନ୍ତି । ହିଟ୍ମ୍ୟାନ୍ଙ୍କ ପୂର୍ବରୁ ମହେନ୍ଦ୍ର ସିଂ ଧୋନି (୨୦୦), ଦିନେଶ କାର୍ତ୍ତିକ (୧୯୨) ଓ ସୁରେଶ ରାଇନା (୧୭୨) ଏହି ଉପଲବ୍ଧି ହାସଲ କରିଥିଲେ ।
୩୦୦୦ ଟି-୨୦ ରନ୍ କ୍ଲବ୍ରେ ଈଶାନ୍
ମୁମ୍ବାଇର ଇନିଂସ୍ରେ ୧୭ତମ ରନ୍ କରିବା ସହିତ ଈଶାନ୍ ଟି-୨୦ କ୍ରିକେଟ୍ରେ ୩୦୦୦ ରନ୍ ପୂରଣ କରିଥିଲେ । ସେ ୫୪ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଆଇପିଏଲ୍ରେ ଏହା ତାଙ୍କର ଲଗାତାର ୫୦+ ସ୍କୋର୍ ।