ବିଜେପି ଅହଂକାରୀ, ଆମକୁ ଥରେ ସୁଯୋଗ ଦିଅ

ଆପ୍ର ଆଖି ଏବେ ଗୁଜରାଟ ଉପରେ
ଗାନ୍ଧୀନଗର (ଏଜେନ୍ସି): ପଞ୍ଜାବ ବିଜୟ ପରେ ଏବେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ନଜର ଗୁଜରାଟ ଉପରେ ପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଗଡ଼ ଭାବେ ପରିଚିତ ଗୁଜରାଟରେ ଆପ୍ ନିଜ ମ୍ୟାଜିକ୍ ଦେଖାଇବାକୁ ଉତ୍ସୁକ ହୋଇପଡିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଆପ୍ ଏବେ ଠାରୁ ଏଠାରେ ରାଜନୈତିକ ପ୍ରଚାର କରିବା ଆରମ୍ଭ କରିଦେଇଛି । ପ୍ରାପ୍ତ ସୂଚନାନୁସାରେ ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନ୍ଙ୍କ ସହ ଦୁଇଦିନିଆ ଅହମ୍ମଦାବାଦ୍ ଗସ୍ତ କରିବା ପୂର୍ବକ ଏଠାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଛନ୍ତି । କେଜରିୱାଲ କହିଛନ୍ତି, ଗତ ୨୫ ବର୍ଷ ଧରି ବିଜେପି ଏଠାରେ କ୍ଷମତାରେ ରହିବା ଯୋଗୁ ଅହଂକାରୀ ହୋଇପଡିଛି । ବିଜେପିର ଏହି ଅହଂକାରକୁ ଗୁଜରାଟବାସୀ ଭାଙ୍ଗିବା ଜରୁରି, ନଚେତ୍ ବିକାଶ ପ୍ରକ୍ରିୟା ବାଧିତ ହେବା ସ୍ୱାଭାବିକ୍ । ବିଜେପିକୁ ଗୁଜରାଟବାସୀ ଏତେ ବର୍ଷର ସୁଯୋଗ ଦେଇଛନ୍ତି, ଥରେ ତାଙ୍କ ଦଳକୁ ମଧ୍ୟ ସେବା କରିବାକୁ ସୁଯୋଗ ଦେବାକୁ କେଜରିୱାଲ ଗୁଜରାଟବାସୀଙ୍କୁ ଆହ୍ୱାନ କରି କହିଛନ୍ତି ।
ପ୍ରଦେଶ ଆପ୍ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ନାମରେ ଆୟୋଜିତ ୨ କିମି ଲମ୍ବ ଏକ ରୋଡ୍ ସୋ’ରେ ସାମିଲ ହେବା ଅବସରରେ କେଜରିୱାଲ କହିଛନ୍ତି, ଯଦି ତାଙ୍କ ସରକାର ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୁଏ, ତେବେ ରାଜ୍ୟବାସୀ ଆମ୍ ଆଦ୍ମୀ ପାର୍ଟିକୁ କ୍ଷମତାରୁ ବିତାଡିତ କରିବାର କ୍ଷମତା ରଖୁଛନ୍ତି । ଗୁଜରାଟରେ ବିଜେପି ସରକାର ଛତ୍ରଛାୟା ତଳେ ଭ୍ରଷ୍ଟଚାର, ଦୁର୍ନୀତି ଚରମ ସୀମା ଟପିଥିବା ବେଳେ ଆମ୍ ଆଦ୍ମୀ ପାର୍ଟି ଏକ ଭ୍ରଷ୍ଟଚାର ତଥା ଦୁର୍ନୀତି ମୁକ୍ତ ସରକାର ଏବଂ ସ୍ୱଚ୍ଛ ପ୍ରଶାସନ ରାଜ୍ୟବାସୀଙ୍କୁ ଦେବାକୁ ଚାହୁଁଛି । ଆମ୍ ଆଦ୍ମୀ ପାର୍ଟିକୁ ଥରେ ସୁଯୋଗ ମିଳିଲେ ରାଜ୍ୟବାସୀ ବିଜେପିକୁ ଭୁଲିଯିବେ ବୋଲି ଦୃଢ଼ୋକ୍ତି କରିବାକୁ ମଧ୍ୟ କେଜରିୱାଲ ଭୁଲିନାହାନ୍ତି ।
ଶୁକ୍ରବାର ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଅହମ୍ମଦାବାଦ୍ରେ ପହଞ୍ଚôଥିବା କେଜରିୱାଲ ଏବଂ ଭଗୱନ୍ତ ମାନ୍ ଶନିବାର ପ୍ରାତଃ ସମୟରେ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ଗସ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ହୃଦୟକୁଞ୍ଜ ସ୍ଥିତ ଗାନ୍ଧିଜୀଙ୍କ ବାସଭବନରେ ଲାଗିଥିବା ଚରଖା ମଧ୍ୟ ଚଲାଇଥିଲେ । ଆଶ୍ରମ କର୍ତ୍ତୃପକ୍ଷ ଉଭୟ ନେତାଙ୍କୁ ଉପହାରସ୍ୱରୂପ ଚରଖାର ପ୍ରତିକାତ୍ମକ ସ୍ମାରକୀ ଏବଂ ଗାନ୍ଧିଜୀଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ପ୍ରଦାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *