ସୁଟ୍ଆଉଟ୍ ବିଜୟରୁ ଶୀର୍ଷତ୍ୱ

ଏଫ୍ଆଇଏଚ୍ ପ୍ରୋ ଲିଗ୍
ଭୁବନେଶ୍ୱର, ୨ା୪ (ବୁ୍ୟରୋ): ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୧/୨୨ରେ ଭାରତ ଶନିବାର ଇଂଲଣ୍ଡକୁ ୩-୨ ନାଟକୀୟ ସୁଟ୍ଆଉଟ୍ରେ ପରାସ୍ତ କରିଛି । ରବିବାର ଡବଲ୍-ହେଡର୍ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ହରମନପ୍ରୀତ ସିଂହ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ଏହି ବିଜୟରୁ ୨ ପଏଣ୍ଟ (ବୋନସ୍ ସହ) ପାଇ ଭାରତ (୯ ମ୍ୟାଚ୍ରୁ ୧୮ ପଏଣ୍ଟ) ଟେବୁଲ୍ ଶୀର୍ଷରେ ପହଞ୍ଚିଛି ।
ଅମିତ ରୋହିଦାସଙ୍କ ନେତୃତ୍ୱାଧୀନ ଟିମ୍ ଏହା ପୂର୍ବରୁ ଆର୍ଜେଣ୍ଟିନା ବିପକ୍ଷ ଡବଲ୍-ହେଡର୍ର ପ୍ରଥମ ମ୍ୟାଚ୍ରେ ସୁଟ୍ଆଉଟ୍ରେ ପରାଜିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଆର୍ଜେଣ୍ଟିନାକୁ ୪-୩ରେ ମାତ୍ ଦେଇଥିଲା । ଏହାଛଡ଼ା ଭାରତୀୟ ଟିମ୍ ଘରେ ଦକ୍ଷିଣ ଆଫ୍ରିକାକୁ (୧୦-୨, ୧୦-୨) ଉଭୟ ମ୍ୟାଚ୍ରେ ପରାଜିତ କରିଥିଲା ଯେତେବେଳେକି ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଫ୍ରାନ୍ସ ବିପକ୍ଷ ପ୍ରଥମ ମ୍ୟାଚ୍ (୫-୦) ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ (୨-୫) ହାରି ଯାଇଥିଲା । ଏହାଛଡ଼ା ଘରେ ଭାରତୀୟ ଟିମ୍ ସ୍ପେନ୍ ଓ ଆର୍ଜେଣ୍ଟିନା ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲା ଏବଂ ଗୋଟିଏ ଲେଖାଏଁ ମ୍ୟାଚ୍ରେ ପରାଜିତ ହୋଇଥିଲା ।
କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚ୍ ୨-୨ ବରାବର ସ୍ଥିତିରେ ରହିଥିଲା । ଅଲିମ୍ପିକ୍ କାଂସ୍ୟ ବିଜେତା ଭାରତ ପକ୍ଷରୁ ଅଭିଷେକ (୧୪ତମ ମିନିଟ୍), ଶମଶେର ସିଂହ (୨୭ତମ) ଓ ହରମନପ୍ରୀତ ସିଂହ (୫୨ତମ) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ । ଅନ୍ୟପଟେ, ଇଂଲଣ୍ଡ ପକ୍ଷରୁ ନିକୋଲାସ୍ ବଣ୍ଡୁରାକ୍ (୮ମ ଓ ୨୮ତମ) ଦୁଇଟି ଓ ସାମ୍ ୱାର୍ଡ (୬୦ତମ) ଗୋଟିଏ ଗୋଲ୍ ଦେଇଥିଲେ ।
ଜୋର୍ଦାର ପ୍ରଦର୍ଶନରୁ ମ୍ୟାଚ୍ ଆରମ୍ଭ ହୋଇଥିଲା । ୮ମ ମିନିଟ୍ରେ ଇଂଲଣ୍ଡ ଟିମ୍ ଅଗ୍ରଣୀ ହାସଲ କରିଥିଲା । ନିକୋଲାସ୍ ପେନାଲ୍ଟି କର୍ଣ୍ଣରରୁ ଏହି ଗୋଲ୍ କରିଥିଲେ । ଭାରତ ପକ୍ଷରୁ ଅଭିଷେକ ୧୪ତମ ମିନିଟ୍ରେ ଗୋଲ୍ ପରିଶୋଧ କରିଥିଲେ ।
ମଧ୍ୟାନ୍ତରର ତିନି ମିନିଟ୍ ପୂର୍ବରୁ ଶମଶରଙ୍କ ଗୋଲ୍ ବଳରେ ଭାରତ ଆଗୁଆ ରହିଥିଲା । କିନ୍ତୁ ଏହାର ଏକ ମିନିଟ୍ ପରେ ଇଂଲଣ୍ଡର ନିକୋଲାସ୍ ଆଉ ଏକ ପିସିକୁ ଗୋଲ୍ରେ ପରିଣତ କରି ସ୍କୋର୍କୁ ସମାନ ସ୍ଥିତିକୁ ଆଣିଥିଲେ । ମଧ୍ୟାନ୍ତର ସୁଦ୍ଧା ସ୍କୋର୍ ୨-୨ ରହିଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ମ୍ୟାଚ୍ର ତୀବ୍ରତା ବଢ଼ିଥିଲା । ତୃତୀୟ କ୍ୱାର୍ଟରରେ କେହି କାହା ବିପକ୍ଷରେ ଗୋଲ୍ କରି ପାରି ନ ଥିଲେ । ଚତୁର୍ଥ କ୍ୱାର୍ଟରରେ ଅଗ୍ରଣୀ ହାସଲ ପାଇଁ ଉଭୟ ଟିମ୍ ପ୍ରୟାସ ଜାରି ରଖିଥିଲେ । ୫୨ତମ ମିନିଟ୍ରେ ଡ୍ରାଗ୍-ଫ୍ଲିକର୍ ହରମନପ୍ରୀତ ସିଂହ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଭାରତକୁ ପୁଣି ଅଗ୍ରଣୀ କରିଥିଲେ । କିନ୍ତୁ ମ୍ୟାଚ୍ର ଶେଷ ମିନିଟ୍ରେ ସାମ୍ ୱାର୍ଡ ଇଂଲଣ୍ଡ ପକ୍ଷରୁ ଗୋଲ୍ ପରିଶୋଧ କରିବା ଫଳରେ ମ୍ୟାଚ୍ ୩-୩ ସ୍ଥିତିରେ ରହିଥିଲା । ଏହାପରେ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା । ଏଥିରେ ଭାରତ ୩ଟି ଗୋଲ୍ କରିଥିବା ବେଳେ ଇଂଲଣ୍ଡ ୨ଟି ସ୍କୋର୍ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *