ଇସ୍ରୋ ଓ ନାସା ଯିବେ ଓଡ଼ିଶାର ଛାତ୍ରଛାତ୍ରୀ
ଭୁବନେଶ୍ୱର, (ବୁ୍ୟରୋ): ବିଜ୍ଞାନ ଶିକ୍ଷାକୁ ଅଧିକ ସଶକ୍ତ କରିବା ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ପରିଦର୍ଶନ କରିବା ନିମନ୍ତେ “ଇସ୍ରୋ’ ଓ “ନାସା’କୁ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଓଡ଼ିଶା ବିଜ୍ଞାନ ଏକାଡେମୀର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ “ମୋ ସ୍କୁଲ’ ଯୋଜନାରେ ଆଦର୍ଶ ବିଦ୍ୟାଳୟଗୁଡ଼ିକର ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କୁ ଉଚ୍ଚତର ତାଲିମ ଦିଆଯିବା ସହିତ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରିବା ନିମନ୍ତେ ସରକାର କାର୍ଯ୍ୟ କରୁଛନ୍ତି ।
ରାଜ୍ୟର ସମସ୍ତ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଏବଂ ୬ଟି ଜିଲ୍ଲାରେ ପ୍ଲାନେଟୋରିୟମ୍ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ । ଇମେଜ୍ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମାରୋହରେ ଆଞ୍ଚଳିକ ଭେଷଜ ବିଜ୍ଞାନ ପ୍ରତିଷ୍ଠାନର ନିଦେ୍ର୍ଦଶିକା ଡ. ସଂଘମିତ୍ରା ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିବାବେଳେ ଏକାଡେମୀର ସଭାପତି ପ୍ରଫେସର ବିଭୂତିଭୂଷଣ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଖ୍ୟାତିସଂପନ୍ନ ବୈଜ୍ଞାନିକ ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା, ଡ. ବେଦାଙ୍ଗ ଦାସ ମହାନ୍ତି, ପ୍ରଫେସର ଜ୍ୟୋତିର୍ମୟୀ ଦାଶ, ଡ. ଜ୍ୟୋତିରଞ୍ଜନ ଏସ୍. ରାୟ, ଡ. ମାମୋନୀ ଦାଶ ଓ ପ୍ରଫେସର ନାରାୟଣ ପ୍ରଧାନଙ୍କୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ମନ୍ତ୍ରୀ ସମ୍ମାନିତ କରିଥିଲେ ।
ଏକାଡେମୀ ଦ୍ୱାରା ପ୍ରକାଶିତ “ବିଜ୍ଞାନ ଦିଗନ୍ତ'(ଓଡ଼ିଆ) ଓ “ସାଇନ୍ସ ହୋରାଇଜନ୍'(ଇଂରାଜୀ) ପତ୍ରିକା ଉନ୍ମୋଚିତ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ପୂର୍ବରୁ ଦୁଇଦିନ ଧରି ବିଜ୍ଞାନ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭାବବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।