ମେମୋରି ଚିପ୍ ପତ୍ତା ପାଇଲାନି କ୍ରାଇମ୍ ବ୍ରାଞ୍ଚ
ମାନସ ସ୍ୱାଇଁ ହତ୍ୟାକାଣ୍ଡ
କଟକ (ବୁ୍ୟରୋ) : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜି ଅଭିଯୁକ୍ତମାନଙ୍କ ରିମାଣ୍ଡ ଅବଧିର ଅନ୍ତିମ ଦିନ । ତେବେ ଅଧିକ ତଥ୍ୟ ପ୍ରମାଣ ହାସଲ କରିବା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଅପରାହ୍ନରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାସ୍ଥିତ ଶର୍ମିଷ୍ଠାର ସମ୍ପୂର୍ଣ୍ଣ କାର୍ଯ୍ୟାଳୟରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲେ । ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀକୁ ସମ୍ପୂର୍ଣ୍ଣ ଅଫିସକୁ ଅଣାଯାଇ କ୍ରାଇମସିନ ରିକ୍ରିଏସନ କରାଯାଇଥିଲା । କ୍ରାଇମ ସିନ ରିକ୍ରିଏସନ ପରେ ନିରଞ୍ଜନକୁ କଟକସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟକାର୍ଯ୍ୟାଳୟକୁ ନିଆଯାଇଥିଲା ବେଳେ ଶର୍ମିଷ୍ଠାକୁ ତାଙ୍କ ଫ୍ଲାଟକୁ ନିଆଯାଇଥିଲା । କ୍ରାଇମବ୍ରାଞ୍ଚର କର୍ମଚାରୀମାନେ ତାଲାଭାଙ୍ଗି ଶର୍ମିଷ୍ଠାଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ମାନସଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ କିପରି ଫେରାର ହୋଇଯାଇଥିଲେ ସେନେଇ ତଦନ୍ତକାରୀ ଟିମ ଶର୍ମିଷ୍ଠାକୁ ପଚାରିଥିଲେ । ଏଥିସହ ଶର୍ମିଷ୍ଠା ଗିରଫଦାରୀରୁ ବଞ୍ଚିବା ପାଇଁ ଫ୍ଲାଟ ଭିତରେ କେଉଁଠି ମୋବାଇଲ ରଖିଥିଲେ ତାହା ମଧ୍ୟ ପଚାରି ବୁଝିଥିଲେ । ଏହାପରେ କ୍ରାଇମବ୍ରାଞ୍ଚ ଟିମ ଉକ୍ତ ମୋବାଇଲ ଓ ଡାଏରୀକୁ ଜବତ କରିଥିବା ନେଇ ସୂଚନା ମିଳିଛି । ଆଜି ପଞ୍ଚମ ଦିନର ଜେରାବେଳେ ଘଟଣାର ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ ଶର୍ମିଷ୍ଠା ରାଉତକୁ ଫେରାର କରାଇବାରେ ସମ୍ପୃକ୍ତି ଥିବା ନେଇ ସ୍ୱୀକାର କରିଛି । ଶର୍ମିଷ୍ଠାକୁ ଯାଜପୁର କାଳିଆପାଣିକୁ ଫେରାର କରାଇଥିଲେ ନିରଞ୍ଜନ । ଫେରାର ହେବା ପାଇଁ ୧୦ ହଜାର ଟଙ୍କା ଓ କାର ଯୋଗାଇ ଦେଇଥିବା ନେଇ ନିରଞ୍ଜନ କ୍ରାଇମବ୍ରାଞ୍ଚ ଆଗରେ ପ୍ରକାଶ କରିଛି ।
ମାନସଙ୍କୁ ଅପହରଣ ଦିନ ନିରଞ୍ଜନ ଦୟାଲ ଆଶ୍ରମ ଯାଇଥିଲା । ସେହିଦିନ ସନ୍ଧ୍ୟାରେ ସମ୍ପୂର୍ଣ୍ଣ ଅଫିସକୁ ନିରଞ୍ଜନ ଆସିଥିଲା । ସେଠାରେ ଶର୍ମିଷ୍ଠା, ଝୁନା ଏବଂ ଝୁନାର ସ୍ୱାମୀ ରାଜ ସେଠାରେ ଥିଲେ । ଶର୍ମିଷ୍ଠାଙ୍କ ଜଣେ କମ୍ପୁ୍ୟଟର ଅପରେଟର ମଧ୍ୟ ଉପସ୍ଥିତ ଥିଲେ । ଦୟାଲ ଆଶ୍ରମରୁ ମାନସଙ୍କୁ ସମ୍ପୂଣ୍ଣ ଅଫିସକୁ ଆଣାଯାଇଥିଲା । ସେଠାରେ ନିରଞ୍ଜନ ମଧ୍ୟ ମାନସକୁ ପିଟିଥିବା କ୍ରାଇମବ୍ରାଞ୍ଚ ଆଗରେ ସ୍ୱୀକାର କରିଛି । ରାତି ୧୦ଟା ବେଳକୁ ନିରଞ୍ଜନ ସମ୍ପୂଣ୍ଣ ଅଫିସରୁ ଚାଲି ଯାଇଥିଲେ । ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଟିମ ଭୁବନେଶ୍ୱରସ୍ଥିତ ସମ୍ପୂର୍ଣ୍ଣ ଅଫିସରେ ଆଜି ଅପରାହ୍ନରେ ଛାନ୍ଭିନ୍ ଆରମ୍ଭ କରିଥିଲା । ଅଫିସକୁ ପୂରା କର୍ଡନ କରି କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ କରିଥିଲା । ସୂଚନାନୁସାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ସମ୍ପୂର୍ଣ୍ଣ ଅଫିସରେ ମଧ୍ୟ ଶର୍ମିଷ୍ଠା ରହୁଥିଲା । ଏନେଇ କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍ ପହଞ୍ଚି ସେଠାରେ ତଦନ୍ତ ଚଳାଇଥିଲେ । ଦୁଇଟି ଟିମ୍ ଅଫିସରେ ଖୋଳତାଡ଼ କରିବା ସହ ଶର୍ମିଷ୍ଠାର ତଥ୍ୟ ଆଧାରରେ କିଛି ପ୍ରମାଣ ଯୋଗାଡ଼ କରିଛି କ୍ରାଇମବ୍ରାଞ୍ଚ । ଇତିମଧ୍ୟରେ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତ ଶର୍ମିଷ୍ଠା, ରଞ୍ଜନ, ଝୁନା ଓ ନିରଞ୍ଜନର ୫ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଥିବା ବେଳେ ଆସନ୍ତାକାଲି ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟ ହାଜର କରାଯିବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତକାଲି ଶର୍ମିଷ୍ଠାଙ୍କୁ ୩ ଜିଲ୍ଲା ବୁଲାଇ ସିନ ରିକ୍ରିଏସନ କରିଥିବା ବେଳେ ତଦନ୍ତକାରୀ ଟିମ ଆଗରେ ସବୁ ସତ ମାନି ଯାଇଥିଲେ । ମାନସଙ୍କୁ କେମିତି ଅପହରଣ କଲେ, କେଉଁଠି ଓ କିଏ କିଏ ମିଶି ହତ୍ୟାକଲେ ସବୁ କଥା କ୍ରାଇମବ୍ରାଞ୍ଚ ଆଗରେ କହିଥିଲେ ଶର୍ମିଷ୍ଠା । ହେଲେ କାହିଁକି ମାନସଙ୍କୁ ହତ୍ୟା କଲେ ତାହା କହିନାହିଁ ଶର୍ମିଷ୍ଠା । ତେବେ ଯେଉଁ ମେମୋରି ଚିପ୍କୁ ହାତେଇବା ପାଇଁ ମାନସଙ୍କୁ ହତ୍ୟା କରିଥିବା କୁହାଯାଉଥିଲା ସେନେଇ କ୍ରାମବ୍ରାଞ୍ଚ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି । ତେବେ ଏହି ମେମୋରି ଚିପ୍ରେ କେଉଁ ପ୍ରଭାବଶାଳୀଙ୍କ ଅଶ୍ଲୀଳ ଭିଡିଓସବୁ ରହିଥିଲା ଯେଉଁଥିô ପାଇଁ ମାନସଙ୍କୁ ରାସ୍ତାରୁ ହଟାଇ ଦେବାକୁ ଷଡ଼ଯନ୍ତ୍ର କରାଗଲା ତାହା ଏବେ ବି ଅନ୍ଧାରରେ ରହିଯାଇଛି ।