ସ୍ପଷ୍ଟୀକରଣ ଦେଲେ ସାଂସଦ ପିନାକୀ ମିଶ୍ର
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ଐତିହ୍ୟ କରିଡର୍ ନିର୍ମାଣ ପ୍ରସଙ୍ଗକୁ ନେଇ ସଂସଦରେ ମୁହାଁମୁହିଁ ହୋଇଥିଲେ ପୁରୀ ସାଂସଦ ପିନାକୀ ମିଶ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ଏହି ପ୍ରସଙ୍ଗରେ ସଂସଦରେ ସାଂସଦ ଶ୍ରୀ ମିଶ୍ର ଭକ୍ତଙ୍କ ଲାଗି ପାଇଖାନା ନିର୍ମାଣ କରାଯାଉଛି । ଅନ୍ୟ କୌଣସି ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରାଯାଉନାହିଁ ବୋଲି ଯୁକ୍ତି ବାଢ଼ିଥିଲେ । ମାତ୍ର ସାଂସଦ ଶ୍ରୀ ମିଶ୍ରଙ୍କ ବୟାନକୁ ବିରୋଧ କରି ପୁରୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ହେଲେ ବିରୋଧ ହେବାରୁ ଶନିବାର ସାଂସଦ ଶ୍ରୀ ମିଶ୍ର ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି ।
ପିନାକୀ କହିଛନ୍ତି, ସେ କୌଣସି ଭୁଲ ତଥ୍ୟ ଦେଇ ନାହାନ୍ତି । ଯଦି କୌଣସି ସଂଗଠନର ଅଭିଯୋଗ ରହିଛି ସେମାନେ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କଲେ ଏହାର ଉତ୍ତର ମିଳିପାରିବ । ଅନ୍ୟପକ୍ଷରେ ବିଜେପିର କିଛି ସମର୍ଥକ ଏହି ପ୍ରତିବାଦ ଜାଣିଶୁଣି ତାଙ୍କ ବିରୋଧରେ କରିଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ କୌଣସି ବେଆଇନ କାର୍ଯ୍ୟ ହୁଏ ନାହିଁ । ଗତ ୨୦୨୧ ସେପ୍ଟେମ୍ବର ୪ରେ ଏସ୍ଆଇରୁ ଏନ୍ଓସି ମିଳିବା ପରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗ ଭିତରେ ଭକ୍ତଙ୍କ ଲାଗି ବିଶ୍ରାମ ଓ ପ୍ରତୀକ୍ଷା ଗୃହ, ଯାତ୍ରୀଙ୍କ ଜିନିଷ ରଖିବା ଗୃହ, ସେବାୟତ ଓ ଭକ୍ତଙ୍କ ଲାଗି ଆଧୁନିକ ଶୌଚାଳୟ ଏବଂ ବିଦୁ୍ୟତ୍ ଗୃହ ଆଦି ନିର୍ମାଣ ହେବ । ମାତ୍ର ଏଏସ୍ଆଇ ପକ୍ଷରୁ ଅନୁମତି ଥିବା ଶୌଚାଳୟ କାର୍ଯ୍ୟ ଆରମ୍ଭ ହୋଇଛି । ଭକ୍ତଙ୍କ ପ୍ରତୀକ୍ଷା ପାଇଁ ପ୍ରତୀକ୍ଷା ଗୃହ, ଜିନିଷ ପତ୍ର ରଖିବା ଗୃହ ନିର୍ମାଣ ନେଇ ଅନୁମତି ଆସିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସାଂସଦ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏଣୁ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ଯୋଜନାର ନିର୍ମାଣରେ କୌଣସି ବେଆଇନ କାର୍ଯ୍ୟ ରାଜ୍ୟ ସରକାର କରୁ ନ ଥିବା ଦୃଢ଼ୋକ୍ତି ବାଢ଼ିଛନ୍ତି ।
ସୂଚନାଥାଉକି, ଶ୍ରୀମନ୍ଦିର ମେଘନାଦ ପାଚୋରୀଠାରୁ ୭୫ମିଟର ପରିସର ମଧ୍ୟରୁ ଉଚ୍ଛେଦ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି । ପ୍ରଥମେ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ସମ୍ମୁଖରେ ତଳୁ ମାଟି ଖୋଳା ଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ମାତ୍ର ଏହି କାର୍ଯ୍ୟକୁ ଏଏସ୍ଆଇ ପକ୍ଷରୁ ଅନୁମତି ମିଳି ନ ଥିବା ନେଇ ଅଭିଯୋଗ ହୋଇଥିଲା । ଗତ କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଶ୍ରୀଜଗନ୍ନାଥସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମିଳିତ ଭାବେ ଏଏସ୍ଆଇ ଡିଜିଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଏଏସ୍ଆଇ ଡିଜି କୌଣସି ଶହେ ମିଟର ପରିସର ମଧ୍ୟରେ କୌଣସି କ୍ରଂକିଟ୍ ଢଳେଇ ନିର୍ମାଣ କରିବାକୁ ଅନୁମତି ଦେଇନଥିବା ଉଭୟଙ୍କୁ କହିଥିଲେ । ଉକ୍ତ ଘଟଣାକୁ ନେଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଲୋକସଭାରେ ଉପସ୍ଥାପନ କରିବା ପରେ ପୁରୀ ସାଂସଦ ପିନାକୀ ମିଶ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁହାଁମୁହିଁ ହୋଇଥିଲେ । ପରେ ଲୋକସଭାରେ ସାଂସଦ ଶ୍ରୀ ମିଶ୍ର କହିଥିଲେ, କେବଳ ଭକ୍ତଙ୍କ ଲାଗି ଶୌଚାଳୟ ନିର୍ମାଣ କରାଯାଉଛି । ଶୌଚାଳୟ ନିର୍ମାଣ ନେଇ ସାଂସଦ ମିଛ କହିଲେ ବୋଲି ପୁରୀର ବିଭିନ୍ନ ସଂଗଠନ ପକ୍ଷରୁ ଦୃଢ଼ ବିରୋଧ କରିଥିଲେ ।
ବିଜେପିର ବିକ୍ଷୋଭ
ଶ୍ରୀମନ୍ଦିର ସୁରକ୍ଷା ପାଇଁ ସାଂସଦ ଅପରାଜିତା ଯେଉଁ ପ୍ରଶ୍ନ ସଂସଦରେ ଉଠେଇଥିଲେ ତା’ର ପ୍ରତି ଉତ୍ତରରେ ପୁରୀ ସାଂସଦ ଯେଉଁଭଳି ମିଥ୍ୟା ତଥ୍ୟ ଉପସ୍ଥାପନା କରିଥିଲେ ତାହାକୁ ବିରୋଧ କରିଛି ପୁରୀ ବିଜେପି ଯୁବ ମୋର୍ଚ୍ଚା । ଏକ ଶୋଭାଯାତ୍ରାରେ ଟାଉନ୍ ଥାନା ଠାରେ ପିନାକୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏଥିରେ ପୁରୀ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ, ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ, ଜିଲ୍ଲା ଉପ ସଭାପତି ଦିଗଦର୍ଶନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ମମତା ପତି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ସତ୍ୟଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।