ହାଇ ଭୋଲଟେଜ୍ ଡ୍ରାମାର ଯବନିକା

ଛତ୍ରପୁର (ଆପ୍ର): ଛତ୍ରପୁର ରାଜନୀତିର ହାଇ ଭୋଲଟେଜ ଡ୍ରାମାରେ ପଡିଲା ଯବନିକା । ଶନିବାର ନିର୍ଦ୍ଧାରିତ ସମୟରେ ଭୋଟ ଦାନ ପ୍ରକ୍ରିୟା ଶେଷ ହୋଇ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଗତ ଶୁକ୍ରବାର ରାତିରେ ବରକୁଳ ଚିଲିକା ହେରିଟେଜ୍ ରିସର୍ଟରେ ପୁଲିସ ଦ୍ୱାରା ଅଟକ ଥିବା ୧୨ଜଣ ସମିତି ସଭ୍ୟ ଶନିବାର ୯ଟାରେ ମୁକୁଳିବା ପରେ ଛତ୍ରପୁର ପୁଲିସ ସୁରକ୍ଷା ବଳୟରେ ପହଞ୍ଚି ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଏଥିପାଇଁ ବ୍ଲକ ଅଫିସରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଗତ ଶୁକ୍ରବାର ଛତ୍ରପୁର ବ୍ଲକର ୧୨ ସମିତି ସଭ୍ୟସଭ୍ୟା ବାଲୁଗାଁସ୍ଥିତ ବରକୁଳ ଠାରେ ରାତ୍ରି ଯାପନ କରି ସକାଳୁ ଭୋଟ ଦେବାକୁ ଛତ୍ରପୁର ଫେରିବାକୁ ଯୋଜନା କରିଥିଲେ । ମାତ୍ର ଉକ୍ତ ରାତି ପ୍ରାୟ ଗୋଟାଏରେ ଅଚାନକ ପୁଲିସ ଲଜ୍ ଭିତରକୁ ପ୍ରବେଶ କରି ସମିତି ସଭ୍ୟସଭ୍ୟା ଏବଂ ସେମାନଙ୍କ ସହଯୋଗୀଙ୍କ ମୋବାଇଲ ଜବତ କରିବା ସହ ଏକପ୍ରକାର ଗୃହବନ୍ଦୀ କରି ରଖିଥିଲା । ଫଳରେ ସେମାନେ କାହା ସହିତ ଯୋଗାଯୋଗ ନକରିବା ସହିତ ଅନ୍ୟ କାହାକୁ ସେଠାରେ ପ୍ରବେଶ ଅନୁମତି ମିଳିନଥିଲା । ଫଳରେ ଶନିବାର ସକାଳୁ ସମିତି ସଭ୍ୟସଭ୍ୟାମାନେ ଲଜ୍ର ବାଲକୋନିରେ ଛିଡ଼ା ହୋଇ ମୁକୁଳିବା ପାଇଁ ନିବେଦନ କରିବା ସହ ନଛାଡିଲେ ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ମୁକ୍ତ କରାଯାଇଥିଲା । ଫଳରେ ଅଟକ ଥିବା ସମସ୍ତ ୧୨ଜଣ ସମିତି ସଭ୍ୟସଭ୍ୟା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ ଦେବାକୁ ସମର୍ଥ ହୋଇଥିଲେ ।
ସୂଚନାଯୋଗ୍ୟ, ଗତ ୧୨ତାରିଖରେ ଏହି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ହଠାତ ୬ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ପରୀକ୍ଷା କରାଯିବା ପରେ ସଂପୃକ୍ତ ୬ଜଣ କୋଭିଡ ପଜିଟିଭ ହୋଇଥିବା ଜଣାପଡିଥିଲା । ଫଳରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇ ଶନିବାର ଅର୍ଥାତ ୨ଏପ୍ରିଲରେ ନିର୍ବାଚନ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା । ଫଳରେ ଶନିବାର ଛତ୍ରପୁର ବ୍ଲକର ୧୮ଜଣ ସମିତି ସଭ୍ୟସଭ୍ୟା ମାନେ ପୂର୍ବରୁ କାଏମ୍ ଥିବା ବିଧାୟକ ବିରୋଧୀ ଗୋଷ୍ଠୀର ଅଧ୍ୟକ୍ଷା ପ୍ରାର୍ଥିନୀ କିରଣ କୁମାରୀ ଦାସ ଓ ବିଧାୟକ ଗୋଷ୍ଠୀର ସୁଜ୍ଞାନୀ କୁମାରୀ ସେଠୀଙ୍କ ମଧ୍ୟରେ ହୋଇଥିବା ପ୍ରତିଦ୍ୱନ୍ଦ୍ୱିତାରେ ଅଗସ୍ତିନୂଆଗାଁର ସମିତି ସଭ୍ୟା କିରଣ କୁମାରୀ ଦାସ ୧୨ଖଣ୍ଡ ଭୋଟ ପାଇଥିବା ବେଳେ ସୁଜ୍ଞାନୀ କୁମାରୀ ସେଠୀ ମାତ୍ର ୬ଖଣ୍ଡ ଭୋଟ ପାଇଥିଲେ । ଫଳରେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ବାଜି ମାରିବା ପରେ କିରଣ କୁମାରୀ ଦାସ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଶନିବାର ଅନୁଷ୍ଠିତ ଏହି ନିର୍ବାଚନ ପ୍ରକି୍ରୟାରେ ନିର୍ବାଚନ ଅଧିକାରୀ ଭାବେ ଛତ୍ରପୁର ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ । ପରେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ବିଜୟୀ ହେବା ପରେ ଲୋଏର ବସଷ୍ଟାଣ୍ଡସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ବିଜେଡି ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ କୁଶପୁତ୍ତଳିକା ଦାହ କରି ବିଧାୟକଙ୍କ ବିରୋଧରେ ନାରାବାଜି କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *