ମଧ୍ୟସ୍ଥ ସାଜିବ ଭାରତ!

୩୭ ଦିନରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ
ନୂଆଦିଲ୍ଲୀ (ଏଜେନ୍ସି): ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସମଗ୍ର ୟୁରୋପ ମହାଦେଶରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଭାରତ ଗସ୍ତରେ ଆସିଛନ୍ତି ରୁଷ୍ ବିଦେଶ ମନ୍ତ୍ରୀ ସର୍ଭେଇ ଲାଭରୋଭ୍ । ଗୁରୁବାର ଭାରତରେ ପହଞ୍ଚôଥିବା ଲାଭରୋଭ୍ ଶୁକ୍ରବାର ଭାରତୀୟ ପ୍ରତିପକ୍ଷ ତଥା କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗ ସହ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଉପରେ ମଧ୍ୟ ଆଲୋଚନା ହୋଇଛି । ଏହି ଅବସରରେ ଲାଭରୋଭ୍, ରୁଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଭାରତ ମଧ୍ୟସ୍ଥତା କରିବା ଉଚିତ୍ ବୋଲି କହିଛନ୍ତି ।
ଲାଭରୋଭ୍ଙ୍କ କହିବାନୁସାରେ ବର୍ତ୍ତମାନ ସୁଦ୍ଧା ଭାରତ ଏହି ପ୍ରସଙ୍ଗରେ ନିରପେକ୍ଷ ରହିଆସିଛି ଏବଂ ଶାନ୍ତି ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଛି । ଭାରତ କୌଣସି ଚାପରେ ଆସି ବୟାନବାଜି କରିନାହିଁ କିମ୍ବା ଏକପାଖିଆ ନିଷ୍ପତ୍ତି ନେଇନାହିଁ । ସୁତରାଂ ରୁଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଭାରତ ମଧ୍ୟସ୍ଥତା କରିବା ମଙ୍ଗଳକାରୀ ସାବ୍ୟସ୍ତ ହେବ ବୋଲି ରୁଷ୍ ଆଶାବାଦୀ ରହିଛି । ଜୟଶଙ୍କର ମଧ୍ୟ ଯୁଦ୍ଧ ଭଳି ଏକ ବିଷମ ପରିସ୍ଥିତିରୁ ସମଗ୍ର ବିଶ୍ୱକୁ ସୁରକ୍ଷା ଦେବା ଉଦେ୍ଦଶ୍ୟ ସବୁପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଏହି ଅବସରରେ ଲାଭରୋଭ୍ ଏବଂ ଜୟଶଙ୍କରଙ୍କ ମଧ୍ୟରେ ଅଶୋଧିତ ତୈଳ କିଣା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆମେରିକାର ବାରଣ ସତ୍ତ୍ୱେ ଭାରତ ରୁଷ୍ ଠାରୁ ତୈଳ କିିଣିବା ନିଷ୍ପତ୍ତିରେ ଅଟଳ ରହିବାକୁ ଲାଭରୋଭ୍ ପ୍ରଶଂସା କରିଥିଲେ ଏବଂ ଏଥିପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିବା ଦୋହରାଇଥିଲେ । ଲାଭରୋଭ୍ କହିଥିଲେ ଅପେକ୍ଷାକୃତ କମ୍ ମୂଲ୍ୟରେ (ବ୍ୟାରେଲ ପିଛା ୩୫ ଡଲାର କମ୍ ମୂଲ୍ୟରେ) ଭାରତକୁ ପର୍ଯ୍ୟାପ୍ତ ପରିମାଣର ତୈଳ ରପ୍ତାନୀ କରାଯିବ । ତେବେ କେବଳ ଅଶୋଧିତ ତୈଳ କିମ୍ବା ଗ୍ୟାସ ନୁହେଁ ବରଂ ଭାରତ, ରୁଷ୍ ଠାରୁ ଯାହା ବି ଚାହିଁବ, ରୁଷ୍ ସେସବୁକୁ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଅବସରରେ ରୁଷ୍-ଭାରତ ମଧ୍ୟରେ ରହିଆସିଥିବା ସମ୍ପର୍କ ବେଶ୍ ସୁଦୃଢ଼ ରହିଥିବା ଉଭୟ ନେତା କହିଛନ୍ତି ।
ପରେ ପରେ ଲାଭରୋଭ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିବା ସୂଚନା ମିଳିଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ପକ୍ଷରୁ ଏକ ବିଶେଷ ବାର୍ତ୍ତା ନେଇ ଆସିଥିବା ଲାଭରୋଭ୍ କହିବା ପରେ ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ମୋଦିଙ୍କ ସହ ତାଙ୍କର ଏକାନ୍ତ ବୈଠକର ଆୟୋଜନ କରାଯାଇଥିଲା । ଦୀର୍ଘ ୪ଠମିନିଟ ଧରି ଚାଲିଥିବା ଏହି ସାକ୍ଷାତକାର ଅବସରରେ ଉଭୟଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି, ସେସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ ।ୟୁକ୍ରେନ୍ ସହ ଯୁଦ୍ଧ ପରିସ୍ଥିତି ସମ୍ପର୍କରେ ଲାଭରୋଭ୍, ମୋଦିଙ୍କୁ ଅବଗତ କରାଇଥିବା ଅନୁମାନ କରାଯାଉଛି । ତେବେ କୂଟନୈତିକ ସୁରକ୍ଷା ଦୃଷ୍ଟିରୁ ଏହି ବୈଠକକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଥିବା କୁହାଯାଇଛି । ପ୍ରକାଶ ଗତ ଦୁଇ ସପ୍ତାହ ମଧ୍ୟରେ ଭାରତ ଗସ୍ତରେ ଏକାଧିକ ରାଷ୍ଟ୍ରର ବିଦେଶ ମନ୍ତ୍ରୀ (ଚୀନ୍, ବ୍ରିଟେନ୍, ଅଷ୍ଟି୍ରଆ, ଗ୍ରୀସ୍ ଏବଂ ମେକ୍ସିକୋ) ଆସିସାରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଲାଭରୋଭ୍ଙ୍କ ବ୍ୟତୀତ କାହାକୁ ମଧ୍ୟ ସାକ୍ଷାତ କରିନାହାନ୍ତି । ପୂର୍ବରୁ ୟୁକ୍ରେନ୍ ଭାରତକୁ ମଧ୍ୟସ୍ଥତା କରିବାକୁ ଆହ୍ୱାନ କରିଆସୁଥିବା ବେଳେ ଏବେ ରୁଷ୍ ମଧ୍ୟ ନିଜ ଆଡୁ ଭାରତକୁ ମଧ୍ୟସ୍ଥତା ପ୍ରସ୍ତାବ ଦେଇଛି । ସିଧାସଳଖ କହିଲେ ରୁଷ୍-ୟୁକ୍ରେନ୍ ଯୁଦ୍ଧର ଭାଗ୍ୟ ନିର୍ଦ୍ଧାରଣ କ୍ଷମତା ଏବେ ଭାରତ ହାତକୁ ଆସିଯାଇଛି । ଯେଉଁଠି ଆମେରିକା ସମେତ ସମଗ୍ର ୟୁରୋପ, ନାଟୋ, ଜାତିସଂଘ ଯୁଦ୍ଧ ରୋକିବା ଦିଗରେ ବିଫଳ ହୋଇଛନ୍ତି ସେଠାରେ ଭାରତକୁ ମଧ୍ୟସ୍ଥତା ପାଇଁ ଉଭୟ ପକ୍ଷ ଆମନ୍ତ୍ରଣ କରିବା ଅନ୍ତର୍ଜାତୀୟସ୍ତରରେ ଭାରତର ଦବ୍ଦବାକୁ ପ୍ରତିପାଦିତ କରୁଛି ।
ସୂଚନାଯୋଗ୍ୟ, ୟୁକ୍ରେନ୍ ସହ ଯୁଦ୍ଧ କାରଣରୁ ରୁଷ୍ ସହ ସମ୍ପର୍କ ନରଖିବା ପାଇଁ ଅନ୍ତର୍ଜାତୀୟସ୍ତରରେ ଭୀଷଣ ଚାପ ପ୍ରୟୋଗ ସତ୍ତ୍ୱେ ଭାରତ କିନ୍ତୁ ନିଜ ପୁରୁଣା ବନ୍ଧୁ ରୁଷ୍ ସହ ସମ୍ପର୍କକୁ ପ୍ରଭାବିତ ହେବାକୁ ଦେଇନି । ବରଂ ଆମେରିକାର ନାଲିଆଖି ସତ୍ତ୍ୱେ ଭାରତ, ରୁଷ୍ ଠାରୁ ସାମରିକ ଅସ୍ତ୍ରଶସ୍ତ୍ର ତଥା ତୈଳ ଆମଦାନୀ ଜାରି ରଖିଛି । ଏହାକୁ ନେଇ ଆମେରିକା ସମେତ ଅନେକ ଦେଶ ଭାରତ ଉପରେ ଅସନ୍ତୁଷ୍ଟ ହୋଇପଡିଛନ୍ତି । ତେବେ ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି ବୋଲି ଆମେରିକା ମଧ୍ୟ ସ୍ୱୀକାର କରିସାରିଛି । ସୂଚନାଯୋଗ୍ୟ ନିକଟରେ ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍ ବିଦେଶ ସଚିବ ଲିଜ ଟ୍ରସ୍ ଯେତେବେଳେ ରୁଷ୍ ଠାରୁ ଭାରତ ଅଶୋଧିତ ତୈଳ କିଣିବା ବନ୍ଦ କରୁ ବୋଲି କହିଲେ ସେତେବେଳେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଅତ୍ୟନ୍ତ ବିନମ୍ରତାର ସହ କହିଲେ ଭାରତ, ରୁଷ୍ ଠାରୁ ମାତ୍ର ୧% ତୈଳ କ୍ରୟ କରୁଛି ଯେତେବେଳେ କି ସମଗ୍ର ୟୁରୋପ, ରୁଷ୍ ଠାରୁ ପ୍ରାୟ ୧୫% ତୈଳ ଖରିଦ୍ କରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *