ଜୁଲାଇରେ ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗସ୍ତ!
ନୂଆଦିଲ୍ଲୀ, ୧ା୪ (ଏଜେନ୍ସି)
ଟିମ୍ ଇଣ୍ଡିଆ ଜୁଲାଇରେ ଇଂଲଣ୍ଡ ଗସ୍ତ ପରେ ସେଠାରୁ ଶେଷ ସପ୍ତାହରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ ବୋଲି ସୂଚନା ମିଳିଛି । ଏହି ଗସ୍ତରେ ତିନିଟି ଦିନିକିଆ ଓ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳାଯିବ । ଏହାପରେ ୱେଷ୍ଟଇଣ୍ଡିଜ୍ ଖେଳାଳି କାରିବିୟାନ୍ ପ୍ରିମିଅର୍ ଲିଗ୍ରେ ନିଜ ନିଜ ଫ୍ରାଞ୍ଚାଇଜୀରେ ସାମିଲ୍ ହେବେ । ଏହା ଅଗଷ୍ଟ ୨୯ରୁ ଆରମ୍ଭ ହେବ । ଟି-୨୦ର ଶେଷ ଦୁଇଟି ମ୍ୟାଚ୍ ଆମେରିକାରେ ଖେଳାଯାଇପାରେ । ତେବେ ଏହି ଗସ୍ତ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।
କ୍ରିକେଟ୍ ୱେବ୍ସାଇଟ୍ କ୍ରିକ୍ବଜ୍ ଅନୁଯାୟୀ ଭାରତୀୟ ଟିମ୍ ଇଂଲଣ୍ଡରେ ଗୋଟିଏ ଟେଷ୍ଟ ଓ ପାଞ୍ଚ ହ୍ୱାଇଟ୍ ବଲ୍ ମ୍ୟାଚ୍ ଖେଳିବା ପରେ ଜୁଲାଇ ଶେଷ ସପ୍ତାହରେ ସେଠାରୁ ସିଧା ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ । କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ପ୍ରସ୍ତାବିତ ପାଞ୍ଚ ଟି-୨୦ ମ୍ୟାଚ୍ର ଶେଷ ଦୁଇ ମ୍ୟାଚ୍ ଆମେରିକାର ଫ୍ଲୋରିଡ଼ାରେ କରାଇବା ପାଇଁ ଯୋଜନା କରୁଛି । ଆମେରିକାରେ ପ୍ରଥମ ଥର ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଉ ନାହିଁ । ଏଥି ପୂର୍ବରୁ ଛଅ ଆନ୍ତର୍ଜାତିକ ମ୍ୟାଚ୍ ସେଠାରେ ଆୟୋଜିତ ହୋଇଛି । ଭାରତ ବି ଏଠାରେ ଚାରି ମ୍ୟାଚ୍ ଖେଳିଛି ।