ରୁଷ୍ ମାଟିରେ ୟୁକ୍ରେନ୍ର ପ୍ରଥମ ଏୟାରଷ୍ଟ୍ରାଇକ୍
ମସ୍କୋ/କିବ୍ (ଏଜେନ୍ସି): ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ଇତି ମଧ୍ୟରେ ୩୭ଦିନ ଅତିକ୍ରାନ୍ତ ହୋଇଛି । ଏହି ୩୭ଦିନ ମଧ୍ୟରେ କେବଳ ରୁଷ୍ ପକ୍ଷରୁ ୟୁକ୍ରେନ୍ର ବିଭିନ୍ନ ସହର ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇ ଆସୁଥିବା ଶୁଣିବା ଦେଖିବାକୁ ମିଳିଥିଲା । କିନ୍ତୁ ପ୍ରଥମ ଥର ପାଇଁ ରୁଷ୍ର କୌଣସି ସହର ଉପରେ ୟୁକ୍ରେନ୍ ବାୟୁସେନା ଆକ୍ରମଣ କରିବାପୂର୍ବକ ବୋମାବର୍ଷା କରିବା ଭଳି ସମ୍ବାଦ ସାମ୍ନାକୁ ଆସିଛି । ରୁଷ୍ ନିଜେ ଏପ୍ରକାର ଦାବି କରିଛି । ରୁଷ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ୟୁକ୍ରେନ୍ର ହେଲିକପ୍ଟରଗୁଡ଼ିକ ରୁଷୀୟ ସହର ବେଲଗୋରୋଡ୍ ଉପରେ ଆକ୍ରମଣ କରିଛି । ଏଠାରେ ଥିବା ଏକ ଏୟାରପୋର୍ଟ ଏବଂ ପାଖରେ ଥିବା ତୈଳ ଡିପୋକୁ ନଷ୍ଟ କରିଦେବା ଉଦେ୍ଦଶ୍ୟରେ ୟୁକ୍ରେନ୍ ପକ୍ଷରୁ ବୋମାମାଡ଼ କରାଯାଇଛି । ତେବେ ବୋମାମାଡ଼ ଫଳରେ ତୈଳ ଡିପୋରେ ଭୟାବହ ଅଗ୍ନିକାଣ୍ଡ ସଂଘଠିତ ହୋଇଛି । ରୁଷ୍ ସେନା ପକ୍ଷରୁ ଅଗ୍ନିକାଣ୍ଡ ସମ୍ପର୍କିତ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ତୈଳ ଡିପୋ ଜଳୁଥିବାର ସ୍ପଷ୍ଟ ପ୍ରତୀତ ହୋଇଛି । ବେଲ୍ଗୋରୋଡ୍ ଗଭର୍ଣ୍ଣର ବ୍ୟାଚେସ୍ଲାଭ୍ ଗ୍ଲାାଡକୋଭ୍ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୟୁକ୍ରେନ୍ ସେନାର ଦୁଇ ଲଢ଼ୁଆ ହେଲିକପ୍ଟର ଅପେକ୍ଷାକୃତ କମ୍ ଉଚ୍ଚତାରେ ଉଡାଣ କରିବା ପୂର୍ବକ ରୁଷ୍ ସୀମାରେଖା ମଧ୍ୟକୁ ପ୍ରବେଶ କରିଥିଲେ ଏବଂ ଏୟାରପୋର୍ଟ ପାଖରେ ଥିବା ବୃହତ୍ ତୈଳଭଣ୍ଡାରକୁ ଟାର୍ଗେଟ୍ କରିଥିଲେ । ନିଆଁ ଲିଭାଇବା ପାଇଁ ପ୍ରାୟ ୧୭ଠଜଣ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ରୁଷ୍ ପକ୍ଷରୁ ଏପ୍ରକାର ଦାବିକୁ ନେଇ କେତେକାଂଶରେ ସନେ୍ଦହ ସୃଷ୍ଟି ହୋଇଛି । ରୁଷ୍-ୟୁକ୍ରେନ୍ ସୀମାରେଖା ଠାରୁ ପ୍ରାୟ ୪ଠ କିମି ଭିତରକୁ ବେଲ୍ଗୋରୋଡ୍ ସହର ଅବସ୍ଥିତ ଥିବା ବେଳେ ୟୁକ୍ରେନ୍ ସହର ଖାରକିବ୍ ଠାରୁ ପ୍ରାୟ ୮ଠ କିମି ଦୂର । ୟୁକ୍ରେନ୍ର ଦୁଇ ଲଢ଼ୁଆ ହେଲିକପ୍ଟର ୮ଠ କିମି ଦୂର ପର୍ଯ୍ୟନ୍ତ ଉଡାଣ ଭରିବା ଏବଂ ରୁଷ୍ ସୀମା ମଧ୍ୟକୁ ପ୍ରବେଶ କରିବା ସମ୍ପର୍କରେ ରୁଷ୍ ସେନା ଜାଣିପାରିଲାନି କିପରି? ଗୋଟିଏ ପଟେ ଏପ୍ରକାର ଆକ୍ରମଣ ସମ୍ପର୍କରେ ୟୁକ୍ରେନ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବା ବେଳେ ଏହି ଆକ୍ରମଣ ପଛରେ ବାସ୍ତବରେ ୟୁକ୍ରେନ୍ର ହାତ ରହିଛି ନା ସବୁକିଛି ନିଜେ କରି ୟୁକ୍ରେନ୍ ଉପରେ ଆଗାମୀ ଦିନରେ ଭୟାବହ ଆକ୍ରମଣ କରିବାକୁ ରୁଷ୍ ଏକ ସୁଯୋଗ ପ୍ରସ୍ତୁତ କରୁଛି ସେନେଇ ପ୍ରଶ୍ନ ଉଠିଛି । ଫେବ୍ରୁଆରୀ ୨୪ରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ଠାରୁ ବର୍ତ୍ତମାନ ସୁଦ୍ଧା ରୁଷ୍ ୟୁକ୍ରେନ୍ର ପ୍ରାୟ ସବୁ ସହରକୁ ଛାରଖାର କରିସାରିଛି । ଏତଦ୍ବ୍ୟତୀତ ୬ ୟୁକ୍ରେନୀୟ ମିଲିଟାରୀ ବେସ୍, ୫ ସାମରିକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଧୂଳିସାତ୍ କରିଦେଇଛି ।