ଜଳସେଚନରେ ଅନିୟମିତତା
ଭୁବନେଶ୍ୱର, ୩୧ା୩(ବୁ୍ୟରୋ): ରାଜ୍ୟର ଜଳସେଚନ କ୍ଷେତ୍ରରେ ବ୍ୟାପକ ଅନିୟମିତତାର ଗୁମର ଖୋଲିଛନ୍ତି ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) । ଚାଷ ପାଇଁ ପର୍ଯ୍ୟାପ୍ତ ତଥା ସୁନିଶ୍ଚିତ ଜଳଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର ବହୁ ମୂଲ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ (ପ୍ରମୁଖ, କ୍ଷୁଦ୍ର, ବୃହତ୍ ଆଦି) ଆରମ୍ଭ କରିଥିଲେ । ହେଲେ ଜଳସେଚନ ପ୍ରକଳ୍ପ ସମାପ୍ତ ହେବାରେ ବିଳମ୍ବ ଯୋଗୁ ପର୍ଯ୍ୟାପ୍ତ ତଥା ନିଶ୍ଚିତ ଜଳଯୋଗାଣ ଅଭାବରୁ କୃଷକଙ୍କୁ ଜଳସେଚନ ସୁବିଧାରୁ ବଞ୍ଚିତ କରାଯାଇଛି ବୋଲି ସିଏଜି ତାଙ୍କ ସଦ୍ୟତମ ଅଡିଟ୍ ରିପୋର୍ଟରେ ପ୍ରକାଶ କରିଛନ୍ତି ।
ମାର୍ଚ୍ଚ ୨ଠ୨ଠ ସୁଦ୍ଧା ସମାପ୍ତ ବର୍ଷ ପାଇଁ ଭୂପୃଷ୍ଠ ଜଳସେଚନର ସମ୍ପାଦନ ସମୀକ୍ଷାରେ ବ୍ୟାପକ ଅନିୟମିତତା ପଦାକୁ ଆଣିଛନ୍ତି ସିଏଜି । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସିଏଜିଙ୍କ ସମୀକ୍ଷା ରିପୋର୍ଟକୁ ଆଗତ କରିଥିଲେ । ଭୁବନେଶ୍ୱରଠାରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଓ ରେଳ ଅଡିଟ୍ ମହାନିଦେ୍ର୍ଦଶକ ବିଭୂଦତ୍ତ ବସନ୍ତିଆ ସାମ୍ବାଦିକ ସମ୍ମିଳନୀରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି ।
ଭୂପୃଷ୍ଠ ଜଳସେଚନର ସମ୍ପାଦନ ସମୀକ୍ଷାରେ ୨୦୧୪-୧୯ ମସିହା ମଧ୍ୟରେ ଜଳସମ୍ପଦ ବିଭାଗର ବିତ୍ତୀୟ ପରିଚାଳନା, ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ସମେତ ବିଭିନ୍ନ କ୍ଷେତ୍ରର ସମୀକ୍ଷା ସିଏଜି କରିଥିଲେ । ଏହି ସମୀକ୍ଷାବେଳେ ଜଣାପଡ଼ିଛି ଯେ, ଜଳସମ୍ପଦ ବିଭାଗ ପାଇଁ ୨୦୧୪-୧୫ରୁ ୨୦୧୯-୨୦ ମସିହା ମଧ୍ୟରେ ମୋଟ ୪୭୯୭୪କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହୋଇଥିବାବେଳେ ସେଥିରୁ ୪୨୩୦୪କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଏଥିରୁ ୧୨୭୪୨ କୋଟି ଟଙ୍କା ଖର୍ଚ୍ଚ କରି ୫.୦୨ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାର ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ମାତ୍ର ୨୪ ପ୍ରତିଶତ ଅର୍ଥାତ୍ ୧.୨୨ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସମ୍ଭବପର ହୋଇପାରିଲା । କେନ୍ଦ୍ର ସରକାରଙ୍କୁ ୟୁସି ନଦେବାରୁ କେନ୍ଦ୍ରୀୟ ଅନୁଦାନ ବନ୍ଦ ହୋଇଯିବା, ସରକାରଙ୍କ ରାଜସ୍ୱ ଜମା ନକରିବା ଓ ଅନାଦେୟ ଅଗ୍ରୀମଗୁଡ଼ିକୁ ବ୍ୟବସ୍ଥିତ ନକରିବା ଆଦି ଯୋଗୁ ୨୨୦୩.୮୪କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି । ପ୍ରକଳ୍ପଗୁଡ଼ିକ ପାଇଁ କର୍ତ୍ତୃପକ୍ଷ ଏହି ଅର୍ଥ ଖର୍ଚ୍ଚ କରିବାର କ୍ଷମତା ୭୪ରୁ ୯୯ ପ୍ରତିଶତ ଥିଲେ ମଧ୍ୟ ୨୦୧୪ରୁ ୨୦୨୦ ମସିହା ମଧ୍ୟରେ ୮୪୨.୯୮କୋଟି ଟଙ୍କା ଫେରିଛି ।
ବିଶେଷକରି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ବିଭାଗ ଦ୍ୱାରା ଜମି ହସ୍ତାନ୍ତରରେ ବିଳମ୍ବ, ବାଧ୍ୟତାମୂଳକ ମଞ୍ଜୁରୀ ପ୍ରାପ୍ତିରେ ଅବହେଳା ଯୋଗୁ ଏହି ପାଣ୍ଠି ଫେରସ୍ତ ହୋଇଥିଲା ।
ରାଜ୍ୟ ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନ କାର୍ଯ୍ୟ ଯୋଗୁ ୧୯୮୨ ମସିହାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ୨୨୧.୬୮କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ପ୍ରକଳ୍ପ ମୂଲ୍ୟରେ ୨୦୧୬ ସୁଦ୍ଧା ୪ଥର ସଂଶୋଧିତ ହୋଇ ୩୦୩୦ ପ୍ରତିଶତ ବୃଦ୍ଧି ସହ ୬୭୧୫.୯୬କୋଟି ଟଙ୍କାକୁ ପହଞ୍ଚିଛି । ଏଥିରେ ଝାଡ଼ଖଣ୍ଡ ସରକାରଙ୍କ ଭାଗ ୧୨୦୮.୪୬କୋଟି ଟଙ୍କା ଥିବାବେଳେ ସେଥିରୁ ୧୦୦୦କୋଟି ଝାଡ଼ଖଣ୍ଡ ସରକାରଙ୍କୁ ଦିଆଯାଇଥିଲା । ଏହି ପ୍ରକଳ୍ପରେ ୨୦୨୦ ମାର୍ଚ୍ଚ ସୁଦ୍ଧା ୪୮୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨୦୦୩ ମସିହାରେ ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ମୂଳ ବଜେଟ୍ ୧୩୬.୬୭କୋଟି ଟଙ୍କା ଥିବାବେଳେ ତାହା ୪୫୯ ପ୍ରତିଶତ ବୃଦ୍ଧି ପାଇ ୭୧୬ କୋଟି ହୋଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇସାରିଛି । ସେହିପରି ଲୋଏର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ୧୯୯୯ରେ ମାତ୍ର ୨୧୧କୋଟି ଟଙ୍କା ବ୍ୟୟବରାଦର ଅଟକଳ ରଖାଯାଇଥିଲା ଯାହା ୯୧୦ ପ୍ରତିଶତ ବୃଦ୍ଧି ପାଇ ୧୯୨୫ କୋଟି ହୋଇଥିଲା ଓ ସେହି କାର୍ଯ୍ୟ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଛି । ସେହିପରି ଦକ୍ଷିଣ ତଟ କେନାଲ ପାଇଁ ୧୯୭୮ ମସିହାରେ ମୂଳ ବଜେଟ୍ ୬୯.୬୪କୋଟି ଟଙ୍କା ଥିବାବେଳେ ତାହା ୪୫୯୬ ପ୍ରତିଶତ ବଢ଼ି ୩୨୦୦କୋଟି ହେଲାଣି । ଏଥିରୁ ୨୨୬୭କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ।
ରେଙ୍ଗାଲି ବାମ ତଟ କେନାଲର ମୂଳ ପ୍ରକଳ୍ପ ୧୯୭୮ରେ ମାତ୍ର ୧୬୪ କୋଟି ଟଙ୍କା ଥିବାବେଳେ ତାହା ୩୯୪୫ ପ୍ରତିଶତ ବୃଦ୍ଧି ପାଇ ୬୪୬୯.୨୭କୋଟି ଟଙ୍କାରେ ପହଞ୍ଚôଛି ଓ ସେଥିରୁ ୨୮୭୧କୋଟି ଖର୍ଚ୍ଚ ସରିଲାଣି ଓ ଏହା ୨୦୨୩ ମାର୍ଚ୍ଚରେ ଶେଷ ହେବ ବୋଲି ଦର୍ଶାଯାଇଛି । ସେହିପରି ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ମୂଳ ବ୍ୟୟବରାଦ ୧୪.୭୧କୋଟି ଥିବାବେଳେ ତାହା ୧୮୨ ପ୍ରତିଶତ ବୃଦ୍ଧି ପାଇଥିଲା । ଏହି କାର୍ଯ୍ୟ ମଧ୍ୟ ଶେଷ ହୋଇସାରିଛି । କେବଳ ମଧ୍ୟମ ଉଠା ଜଳସେଚନର ୯ଟି ପ୍ରକଳ୍ପ ଅର୍ଥ ସମାନ ରହିଥିଲା ଓ ତାହାର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି ।
ସିଏଜି କହିଛନ୍ତି ଯେ, ବିସ୍ତୁତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଓ ପ୍ରକ୍ରିୟାକରଣରେ ଅଭାବ, ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନରେ ବିଳମ୍ବ ସହିତ ଦକ୍ଷ କାର୍ଯ୍ୟ ପରିଚାଳନାର ଅଭାବ ହିଁ ପ୍ରକଳ୍ପଗୁଡ଼ିକର ମୂଲ୍ୟ ବୃଦ୍ଧି କରାଇଛି । କାର୍ଯ୍ୟର ପରିକଳ୍ପନା, ପରିସରରେ ପରିବର୍ତ୍ତନ, ଜଳସେଚନ ଉପଯୋଗୀ କ୍ଷେତ୍ର, ପ୍ରକଳ୍ପଗୁଡ଼ିକର ଉପକାର ମୂଲ୍ୟ ଅନୁପାତରେ ଭୁଲ୍ ଗଣନା, ପାଣି ଉପଲବ୍ଧତାର ତ୍ରୁଟିପୂର୍ଣ୍ଣ ନିର୍ଦ୍ଧାରଣ ଆଦି ହୋଇଛି ।