ଆଇଇ-୧ଠଠ ର୍ୟାଙ୍କ୍ କାର୍ଡ଼ରେ ନବୀନଙ୍କ ସମେତ ୪ ଓଡ଼ିଆ
ନୂଆଦିଲ୍ଲୀ (ଏଜେନ୍ସି): ଦେଶର ଅଗ୍ରଣୀ ଦୈନିକ ଇଂରାଜୀ ଖବରକାଗଜ ଇଣ୍ଡିଆନ୍ ଏକ୍ସପ୍ରେସ ପକ୍ଷରୁ ଦେଶର ୧ଠଠ ସବୁଠୁ ଅଧିକ କ୍ଷମତାଶାଳୀ ବ୍ୟକ୍ତିମାନଙ୍କ ଏକ ତାଲିକା ପ୍ରକାଶ ପାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । କୃଷି ଆଇନ୍ ପ୍ରସଙ୍ଗରେ ମୋଦିଙ୍କ ଭାବମୂର୍ତ୍ତି ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ସମୟରେ ୨ଠହଜାର ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଇ ମୋଦି ନିଜ ଲୋକପ୍ରିୟତାକୁ ପୁଣିଥରେ ସୁଦୃଢ଼ କରିବାରେ ସଫଳ ହୋଇଛନ୍ତି । ସେହିପରି ତାଲିକାର ୨ୟ ସ୍ଥାନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ୩ୟ ସ୍ଥାନରେ ଆରଏସ୍ଏସ୍ ମୁଖ୍ୟ ମୋହନ୍ ଭାଗବତ୍, ୪ର୍ଥରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ୫ମରେ ମୁକେଶ ଅମ୍ବାନୀ, ୬ଷ୍ଠରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ରହିଛନ୍ତି ।
ତାଲିକାରେ ସ୍ଥାନ ପାଇଥିବା ଦେଶର ୧ଠଠ ପଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଓଡ଼ିଶାର ୭୫ବର୍ଷୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪ ଓଡ଼ିଆ ସ୍ଥାନ ପାଇଛନ୍ତି । ୨ଠ୨୧ ବର୍ଷରେ ୪୫ତମ ସ୍ଥାନରେ ରହିଥିବା ନବୀନ ଏଥର (୨ଠ୨୨) ୩୧ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । କରୋନା ମହାମାରୀଜନିତ ସୁପରିଚାଳନା ଏବଂ ବିଭିନ୍ନ ଜନକଲ୍ୟାଣ ଯୋଜନା ନବୀନଙ୍କ ଲୋକପ୍ରିୟତା ହାରକୁ ବୃଦ୍ଧି କରିବାରେ ସଫଳ ହୋଇଛି । ସେହିପରି ଅନ୍ୟ ୩ ଓଡ଼ିଆଙ୍କ ମଧ୍ୟରେ ୫୨ବର୍ଷୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୮ତମ ସ୍ଥାନରେ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୧ତମ ସ୍ଥାନରେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ ପିକେ ମିଶ୍ର ୬୫ତମ ସ୍ଥାନ ଅକ୍ତିଆର କରିଛନ୍ତି । ତାଲିକାର ୭ମସ୍ଥାନରେ ରେ ବ୍ୟବସାୟୀ ଗୌତମ ଅଦାନୀ, ୮ମରେ ଏନ୍ଏସ୍ଏ ଅଜିତ୍ ଡୋଭାଲ, ୯ମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ୧ଠମ ସ୍ଥାନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ରହିଛନ୍ତି । ସେହିପରି ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୧ତମ ସ୍ଥାନରେ, ସିଜେଆଇ ଏନ୍ ଭି ରମନ୍ନା ୧୨ତମ ସ୍ଥାନରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧୩ତମ ସ୍ଥାନରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ୧୬ତମ ସ୍ଥାନରେ ରହିଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୨୭ତମ ସ୍ଥାନରେ ରହିଛନ୍ତି ।